ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏକ ବିରୋଧୀ ମେଣ୍ଟ ଗଠନ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। କଂଗ୍ରେସ, ଜେଡିୟୁ (ଜନତା ଦଳ ୟୁନାଇଟେଡ) ଏବଂ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ)ର ବରିଷ୍ଠ ନେତାମାନେ ଆଜି ଦିଲ୍ଲୀରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି, ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବିହାରର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ଅଧ୍ୟକ୍ଷ ତେଜସ୍ବୀ ଯାଦବ, ଜେଡିୟୁ ସଭାପତି ରାଜୀବ ରଂଜନ ସିଂହ, ଆରଜେଡିର ରାଜ୍ୟସଭା ସାଂସଦ ମନୋଜ କୁମାର ଝା ଏବଂ କଂଗ୍ରେସ ନେତା ସଲମାନ ଖୁର୍‌ସିଦ ମଧ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି। ମିଳିଥିବା ସୂଚନାନୂଯାୟୀ ବରିଷ୍ଠ ନେତାମାନେ ଏହି ନିଷ୍ପତ୍ତି ନେଇଛନ୍ତି ‌ଯେ କଂଗ୍ରେସ ଏହାର ସହଯୋଗୀ ଦଳ ଡିଏମ୍‌କେ ଏବଂ ଏନ୍‌ସିପି ନିକଟରେ ପହଞ୍ଚିବ।

Advertisment

ଅନ୍ୟପକ୍ଷେ ନୀତୀଶ ବିଜେପି ବିରୋଧୀ ଦଳମାନଙ୍କ ସହ କଥାବାର୍ତ୍ତା ଆରମ୍ଭ କରିବେ। ନୀତୀଶ ଟିଏମ୍‌ସି, ଆପ୍‌ ଏବଂ ବିଆରଏସ୍‌ (ଭାରତ ରାଷ୍ଟ୍ର ସମିତି) ନିକଟରେ ପହଞ୍ଚିବେ। ଏହି ପ୍ରକ୍ରିୟାରେ ଆଜି ନୀତୀଶ ଓ ତେଜସ୍ବୀ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ସବୁ ପ୍ରମୁଖ ବିରୋଧୀ ଦଳ ସହ ବୁଝାମଣା ହେବାପରେ ରଣନୀତି ନିର୍ଦ୍ଧାରଣ ପାଇଁ ବଡ଼ ବୈଠକ ହେବ। ଆଜି ବୈଠକ ପରେ ମଲ୍ଲିକାର୍ଜୁନ ଖଡ଼ଗେ ଗଣମାଧ୍ୟମକୁ କହିଛନ୍ତି ଯେ ଏହା ଏକ ଐତିହାସିକ ପଦ‌କ୍ଷେପ ଏବଂ ସେମାନେ ସମସ୍ତ ବିରୋଧୀ ଦଳଙ୍କୁ ଆଗାମୀ ନିର୍ବାଚନ ପାଇଁ ଏକଜୁଟ୍‌ କରିବାର ଲକ୍ଷ୍ୟ ରଖିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ବି‌ରୋଧୀ ଦଳଙ୍କୁ ଏକଜୁଟ କରିବାପାଇଁ ଏଭଳି ବଡ଼ ପଦକ୍ଷେପ ଗ୍ରହଣ ହୋଇଛି। ଏହା ଏକ ପ୍ରକ୍ରିୟା। ଜେଡିୟୁ ମୁଖ୍ୟ ରାଜୀବ ରଂଜନ ସିଂହ ମଧ୍ୟ ଏହାକୁ ଏକ ଐତିହାସିକ ବୈଠକ ବୋଲି କହିଛନ୍ତି।