ନୂଆଦିଲ୍ଲୀ: ଭାରତ-ଆମେରିକା ସାମରିକ ସହଯୋଗ କ୍ଷେତ୍ରରେ ଆଜି ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଭାରତୀୟ ସେନା ପାଇଁ ଅତି ଜରୁରୀ ଥିବା ଉନ୍ନତ ଯୋଗାଯୋଗ କୌଶଳ ଏବଂ ଗୋପନୀୟତା ରକ୍ଷା ସଂକ୍ରାନ୍ତ ବୈଷୟିକ ସହଯୋଗ ଚୁକ୍ତି ଆଜି ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଛି। ନୂଆଦିଲ୍ଲୀରେ ଆଜି ବହୁ ପ୍ରତୀକ୍ଷିତ ୨+୨ ଆଲୋଚନା ପରେ ଯୋଗାଯୋଗ, ଅନୁକୂଳତା ଏବଂ ନିରାପତ୍ତା ଚୁକ୍ତି (କୋମ୍୍କାସା) ସଂପନ୍ନ ହୋଇଥିଲା। ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜିମ୍ ମାଟିସ୍, ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିଓ, ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିଲା। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ବିଦେଶ ମନ୍ତ୍ରୀ ସ୍ୱରାଜ କହିଥିଲେ ଯେ ୨+୨ ଆଲୋଚନା ସଂପୂର୍ଣ୍ଣ ସଫଳ ହୋଇଛି ଏବଂ ପାରସ୍ପରିକ ସହଯୋଗ ବୃଦ୍ଧି ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିଛି। କୋମ୍୍କାସା ଚୁକ୍ତି ଦୁଇ ଦେଶର ସାମରିକ ସଂପର୍କକୁ ସୁଦୃଢ଼ କରିବା ପାଇଁ ଏକ ମାଇଲ୍ ଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆମେରିକା ବିଦେଶ ମନ୍ତ୍ରୀ ପୋମ୍ପିଓ କହିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ନିରାପତ୍ତା ଯୋଗାଯୋଗ ସଂକ୍ରାନ୍ତ ଯନ୍ତ୍ରାଂଶ ଭାରତକୁ ଉପଲବ୍ଧ ହେବ ବୋଲି ସେ କହିଛନ୍ତି। ଆଜିର ଆଲୋଚନାରେ ସୀମାପାର ଆତଙ୍କବାଦ ଏବଂ ଏଚ୍୧ବି ଭିସା ପ୍ରସଙ୍ଗରେ ମଧ୍ୟ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ଦୋମୁହାଁ ନୀତିକୁ ଆଦୌ ବରଦାସ୍ତ କରାଯିବ ନାହିଁ ଏବଂ ସୀମାପାର ଆତଙ୍କବାଦ ରୋକିବାକୁ ଭାରତ କୌଣସି ପଦକ୍ଷେପ ନେବାରେ ପଛଘୁଞ୍ଚା ଦେବନାହିଁ ବୋଲି ଆମେରିକାକୁ ରୋକଠୋକ ଜଣାଇ ଦିଆଯାଇଥିଲା। ଏହା ସହିତ ଭାରତ ତା’ର ଘନିଷ୍ଠ ସହଯୋଗୀ ରୁଷ୍ ସହିତ ସାମରିକ କାରବାର କ୍ଷେତ୍ରରେ ମଧ୍ୟ ପୂର୍ବ ସ୍ଥିତିରେ କାଏମ ରହିବ ବୋଲି ବୈଠକରେ ସ୍ପଷ୍ଟ କରାଯାଇଥିଲା। ଭାରତ ଏବଂ ଆମେରିକା ମଧ୍ୟରେ ସୁଦୃଢ଼ ନାଗରିକ ସଂପର୍କ ରହିଥିବାରୁ ଏଚ୍୧ବି ଭିସା କଟକଣା ଭାରତ କ୍ଷେତ୍ରରେ କୋହଳ କରାଯିବାକୁ ବିଦେଶ ମନ୍ତ୍ରୀ ସ୍ୱରାଜ ଗୁରୁତ୍ୱାରୋପ କରିଥିଲେ। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଏବେ ବଡ଼ ବିପଦର କାରଣ ହୋଇଥିବାରୁ ଆମେରିକା ପାକିସ୍ତାନରୁ ପରିଚାଳିତ ହେଉଥିବା ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଏବା ଏବଂ ଜୈଶ ଏ ମହମ୍ମଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ଦାବି କରିଛି।
ଐତିହାସିକ ୨+୨ ଆଲୋଚନା
ଭାରତ-ଆମେରିକା ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ, ସୀମାପାର ଆତଙ୍କବାଦ, ଏଚ୍୧ବି ଭିସା ପ୍ରସଙ୍ଗରେ ଆଲୋଚନା
/sambad/media/post_attachments/wp-content/uploads/2018/09/22-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)