ଐତିହାସିକ ନିଷ୍ପତ୍ତି, ହଟିଲା ୩୭୦ ଜମ୍ମୁ-କଶ୍ମୀରକୁ ଆଉ ମିଳିବନି ସ୍ବତନ୍ତ୍ର ମାନ୍ୟତା

ଧାରା ୩୫(ଏ) ମଧ୍ୟ ଉଚ୍ଛେଦ ହେଲା, ଏବେ କେବଳ ଭାରତୀୟ ସମ୍ବିଧାନ ଓ ତ୍ରିରଙ୍ଗା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରକୁ ଭାରତ ଠାରୁ ଅଲଗା କରି ରଖିଥିବା ସମ୍ବିଧାନର ଧାରା ୩୭୦କୁ ଶେଷରେ‌ ଉଚ୍ଛେଦ କରାଯାଇଛି। ଏବେ କଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଗୋଟିଏ ସାମ୍ବିଧାନିକ ବ୍ୟବସ୍ଥା ପ୍ରଚଳିତ ହେବ ଏବଂ କେବଳ ଜାତୀୟ ପତାକା ତ୍ରିରଙ୍ଗା ହିଁ ଉଡ଼ିବ। କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ଆଜି ଏଭଳି ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେତିକି ନୁହେଁ, କଶ୍ମୀରରେ କେବଳ ସ୍ଥାନୀୟ ବାସିନ୍ଦାଙ୍କୁ ଘର କରିବା ଓ ସରକାରୀ ଚାକିରିରେ ମିଳୁଥିବା ସ୍ବତନ୍ତ୍ର ସୁବିଧା ସଂକ୍ରାନ୍ତ ଧାରା ୩୫-ଏକୁ ମଧ୍ୟ ଉଚ୍ଛେଦ କରିଛନ୍ତି। ଏହାସହିତ ଜମ୍ମୁ-କଶ୍ମୀର ରାଜ୍ୟ ମାନ୍ୟତା ମଧ୍ୟ ହରାଇବ। ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇଛି। ସଂସଦରେ ଆଜି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ଘୋଷଣା କରିବା ପରେ ଗତକିଛି ଦିନ ଧରି ଜମ୍ମୁ-କଶ୍ମୀରକୁ ନେଇ ଲାଗି ରହିଥିବା କଲ୍ପନାଜଳ୍ପନାର ଅବସାନ ଘଟିଛି। ବିରୋଧୀ ଦଳଙ୍କ ପ୍ରବଳ ବିରୋଧ ମଧ୍ୟରେ ସରକାର ଏସଂକ୍ରାନ୍ତ ଦୁଇଟି ବିଲ୍‌କୁ ରାଜ୍ୟସଭାରେ ଆଗତ କରିଥିଲେ ଏବଂ ଏହା ଗୃହୀତ ମଧ୍ୟ ହୋଇଯାଇଛି। ଆଜିର ଦିନକୁ ଐତିହାସିକ ଦିନ ବର୍ଣ୍ଣନା କରି ଅମିତ ଶାହ କହିଛନ୍ତି ଯେ ୭୦ ବର୍ଷ ତଳେ କରାଯାଇଥିବା ଐତିହାସିକ ତ୍ରୁଟିକୁ ସଂଶୋଧନ କରାଯାଇଛି। ଧାରା ୩୭୦କୁ କଶ୍ମୀରରେ ଆତଙ୍କବାଦର ମୂଳ କାରଣ ଦର୍ଶାଇ ସେ କହିଲେ ଯେ ରାଜ୍ୟରେ ଏବେ ଶାନ୍ତି ଓ ସ୍ଥିରତାର ଯୁଗ ଆରମ୍ଭ ହେବ।

ଦୁଇ ଭାଗ ହେଲା ଜମ୍ମୁ-କଶ୍ମୀର
ଜମ୍ମୁ-କଶ୍ମୀର ଏବେ କେନ୍ଦ୍ର ଶାସିତ ଅଞ୍ଚଳ
ରାଜ୍ୟସଭାରେ ମିଳିଲା ଅଭୂତପୂର୍ବ ସମର୍ଥନ

ତେବେ ଗୃହରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଏବଂ ଶାହଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଆଜାଦ କହିଥିଲେ ଯେ ଜମ୍ମୁ କଶ୍ମୀରରେ ଏବେ କର୍ଫ୍ୟୁ ଜାରି ହୋଇଛି ଏବଂ ରାଜ୍ୟରେ ଯୁଦ୍ଧ ଭଳି ସ୍ଥିତି ଲାଗି ରହିଛି। ସରକାର ଧାରା ୩୭୦ ହଟାଇ ଜମ୍ମୁ-କଶ୍ମୀରକୁ ଏହାର ସ୍ବତନ୍ତ୍ର ଅଧିକାରରୁ ବଞ୍ଚିତ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । ଏହାର ଜବାବରେ ଶାହ କହିଥିଲେ, ଜମ୍ମୁ କଶ୍ମୀରକୁ କେବଳ ୩ଟି ପରିବାର ହିଁ ଆଜି ପର୍ଯ୍ୟନ୍ତ ଲୁଟି ଚାଲିଥିଲେ ଏବଂ ଏବେ ବିକାଶର ମୁଖ୍ୟସ୍ରୋତ ସହିତ ଏହି ଅଂଚଳ ସାମିଲ ହେବ। ଧାରା ୩୭୦ ଭାରତକୁ ଜମ୍ମୁ କଶ୍ମୀର ସହ ଯୋଡ଼ୁଥିବା ନେଇ ଗୁଲାମନବୀଙ୍କ ଯୁକ୍ତିକୁ ଶାହ ଖଣ୍ଡନ କରିଥିଲେ। ଶାହ ପ୍ରସ୍ତାବ ଆଗତ କରିବା ସମୟରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। କଂଗ୍ରେସ, ଟିଏମ୍‌ସି ଏବଂ ଡିଏମ୍‌କେ ଜୋରଦାର୍‌ ବିରୋଧ କରି ଗୃହର ମଧ୍ୟଭାଗକୁ ଆସି ହଙ୍ଗାମା କରିଥିଲେ। ପ୍ରସ୍ତାବକୁ ସମାଜବାଦୀ ପାର୍ଟି ବିରୋଧ କରୁଥିଲେ ମଧ୍ୟ ହଙ୍ଗାମାରେ ସାମିଲ ହୋଇନଥିଲା। ତେବେ ବିଜେଡି, ଏଆଇଏଡିଏମ୍‌କେ, ବିଏସ୍‌ପି ଏବଂ ଆପ୍‌ ଆଦି ଦଳ ଅପ୍ରତ୍ୟାଶିତ ଭାବେ ବିଲ୍‌କୁ ସମର୍ଥନ କରିଥିଲେ। ଏନ୍‌ଡିଏର ଅଂଶୀଦାର ନୀତୀଶ କୁମାରଙ୍କ ଜେଡିୟୁ ଏହି ପ୍ରସ୍ତାବକୁ ବିରୋଧ କରିବା ସହିତ ଏହାର ସଭ୍ୟମାନେ ପ୍ରତିବ‌ାଦ କରି କକ୍ଷତ୍ୟାଗ କରିଥି‌େଲ। ରାଜ୍ୟସଭାରେ ଏହି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ୧୨୫ ଜଣ ସମର୍ଥନ କରିଥିବା ବେଳେ ୬୧ ଜଣ ବିରୋଧ କରିଥିଲେ।

କ’ଣ ହେଲା
ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ଏବେ ଜମ୍ମୁ କଶ୍ମୀରରେ ଅନେକ କିଛି ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଆସିଛି। ସେଗୁଡ଼ିକ ହେଲା:-
ପୃଥକ୍ ସମ୍ବିଧାନ ରହିବ ନାହିଁ
ପୂର୍ବରୁ ଜମ୍ମୁ କଶ୍ମୀରରେ ପୃଥକ୍ ସମ୍ବିଧାନ ରହିଥିଲା। ଧାରା ୩୭୦ ଉଚ୍ଛେଦ ‌ହେବା ଫଳରେ ରାଜ୍ୟ ପାଇଁ ଆଉ ପୃଥକ୍ ସମ୍ବିଧାନ ରହିନାହିଁ। ଫଳରେ ଏହି ରାଜ୍ୟକୁ ଦିଆଯାଇଥିବା ସ୍ବତନ୍ତ୍ର ସ୍ବାୟତ୍ତତାରେ ପୂର୍ଣ୍ଣଛେଦ ପଡ଼ିଛି। ଅନ୍ୟ ରାଜ୍ୟ ଭଳି ଜମ୍ମୁ କଶ୍ମୀରରେ ମଧ୍ୟ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେବ।
ରାଜ୍ୟ ବାହାର ବ୍ୟକ୍ତି ସମ୍ପତ୍ତି କିଣିପାରିବେ
ସମ୍ବିଧାନର ଧାରା ୩୭୦ରୁ ଉପଧାରା ‘୩୫ ଏ’ ଅନୁଯାୟୀ, ରାଜ୍ୟର ବିଧାନସଭାକୁ ସ୍ଥାୟୀ ବାସିନ୍ଦାଙ୍କ ସଂଜ୍ଞା ନିରୂପଣ କ୍ଷମତା ଦିଆଯାଇଥିଲା। ଫଳରେ ରାଜ୍ୟବାସୀ ସ୍ବତନ୍ତ୍ର ଅଧିକାର ଏବଂ ସୁବିଧା ପାଇ ଆସୁଥିଲେ। କିନ୍ତୁ ଏବେ ୩୭୦ ଧାରା ଉଚ୍ଛେଦ ହେବା ଫଳରେ ‘୩୫ କ’ ଉପଧାରା ମଧ୍ୟ ଅକାମୀ ହୋଇଯାଇଛି। ଏଥି‌ଯୋଗୁ ଅନ୍ୟ ରାଜ୍ୟର ବ୍ୟକ୍ତିମାନେ ଜମ୍ମୁ କଶ୍ମୀରରେ ଜମି ଏବଂ ଘର ଆଦି ସମ୍ପତ୍ତି କିଣିବା ଅଧିକାର ପାଇବେ। ଫଳରେ ବାହାରର ବ୍ୟକ୍ତିମାନେ ଜମ୍ମୁ କଶ୍ମୀ‌ରରେ ସ୍ଥାୟୀଭାବେ ବସବାସ କରିପାରିବେ।
କେନ୍ଦ୍ରୀୟ ଆଇନ ରାଜ୍ୟରେ ଲାଗୁହେବ
ପୂର୍ବରୁ ରାଜ୍ୟ ପାଇଁ କୌଣସି ଆଇନ ପ୍ରଣୟନ କରିବାକୁ ହେଲେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ବିଧାନସଭାର ଅନୁମତି ନେବାକୁ ପଡ଼ୁଥିଲା। କିନ୍ତୁ ଏବେ କେନ୍ଦ୍ରୀୟ ଆଇନ ଆପେ ରାଜ୍ୟରେ କାର୍ଯ୍ୟକାରୀ ହେବ।
ପୃଥକ ପତାକା ରହିବ ନାହିଁ
ପୂର୍ବରୁ ଧାରା ୩୭୦ ଅନୁଯାୟୀ ଜମ୍ମୁ କଶ୍ମୀର ବାସୀଙ୍କୁ ଭାରତର ପତାକା ସହିତ ରାଜ୍ୟ ପାଇଁ ଏକ ସ୍ବତନ୍ତ୍ର ପତାକା ଉଡ଼ାଇବା ଅନୁମତି ପ୍ରଦାନ କରାଯାଉଥିଲା। ତେବେ ବର୍ତ୍ତମାନ ରାଜ୍ୟବାସୀଙ୍କୁ ସେମାନଙ୍କ ‌ସ୍ବତନ୍ତ୍ର ପତାକା ଉଡ଼ାଇବା ଅନୁମତି ମିଳିବ ନାହିଁ।
ବିଧାନସଭା କାର୍ଯ୍ୟକାଳ ୫ ବର୍ଷ ହେବ
ଏବେ ଜମ୍ମୁ କଶ୍ମୀର ବିଧାନସଭାର କାର୍ଯ୍ୟକାଳ ୬ ବର୍ଷ ରହିଛି। କିନ୍ତୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ପରେ ଜମ୍ମୁ କଶ୍ମୀରରେ ଯେଉଁ ବିଧାନସଭା ରହିବ ତାହାର କାର୍ଯ୍ୟକାଳ ଦେଶର ଅନ୍ୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ‌ଭଳି ୫ ବର୍ଷ ରହିବ।
ରାଜ୍ୟପାଳ ଶାସନ ପରିବର୍ତ୍ତେ ରାଷ୍ଟ୍ରପତି ଶାସନ
ସମ୍ବିଧାନର ଧାରା ୩୫୬ ଅନୁସାରେ କୌଣସି ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ରାଷ୍ଟ୍ରପତି ଶାସନ ଜାରି ହୋଇଥାଏ। କିନ୍ତୁ କଶ୍ମୀରରେ ୬ ମାସ ପାଇଁ ରାଜ୍ୟପାଳ ଶାସନ ଲାଗୁ ହେଉଥିଲା। ଏହାପରେ ସେଠାରେ ରାଷ୍ଟ୍ରପତି ଶାସନ ଜାରି କରାଯାଇ ରାଜ୍ୟପାଳ ଶାସନର କାର୍ଯ୍ୟକାଳକୁ ବୃଦ୍ଧି କରାଯାଉଥିଲା। କିନ୍ତୁ ଏବେ ସେଠାରେ ରାଷ୍ଟ୍ରପତି ଶାସନ ଜାରି ହେବ।
ଆରପିସି ବଦଳରେ ଆଇପିସି
ରାଜ୍ୟରେ କୌଣସି ଆପରାଧିକ ମାମଲାରେ‌ ରଣବୀର ପିଙ୍ଗଳ କୋଡ୍ (ଆର୍‌ପିସି) ଲାଗୁ ହେଉଥିଲା। କିନ୍ତୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ଜମ୍ମୁ କଶ୍ମୀର ଓ ଲାଦାଖରେ ଆର୍‌ପିସି ବଦଳରେ ଆଇପିସି କାର୍ଯ୍ୟକାରୀ ହେବ।
ଆଇନ ଶୃଙ୍ଖଳା ବ୍ୟବସ୍ଥା ବଦଳିବ
ପୂର୍ବରୁ ଆଇନ ଶୃଙ୍ଖଳା ରାଜ୍ୟ ବିଷୟ ଥିଲା। କିନ୍ତୁ ଏବେ ଜମ୍ମୁ କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଂଚଳରେ ପରିଣତ କରାଯାଇଛି। ତେଣୁ ଏବେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ପୁନର୍ଗଠନ କରିବାକୁ ହେବ। ଦିଲ୍ଲୀ କିମ୍ବା ପୁଡ଼ୁଚେରି ଭଳି କୌଣସି ଗୋଟିଏ ପ୍ରକାର ଆଇନ ଶୃଙ୍ଖଳା ବ୍ୟବସ୍ଥା ଗ୍ରହଣ କରାଯାଇପାରେ। ଦିଲ୍ଲୀରେ ଆଇନ ଶୃଙ୍ଖଳା କେନ୍ଦ୍ର ସରକାରଙ୍କ ଅଧୀନରେ ଥିବାବେଳେ ପୁଡ଼ୁଚେରିରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ରାଜ୍ୟ ହାତରେ ରହିଛି।

ସମ୍ବନ୍ଧିତ ଖବର