ନୂଆଦିଲ୍ଲୀ : ସୁପ୍ରିମ୍ କୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ର ହେଉଛନ୍ତି ୪୫ତମ ପ୍ରଧାନ ବିଚାରପତି। ୨୦୧୭ ଅଗଷ୍ଟ ୨୮ ତାରିଖରେ ସେ ଜଷ୍ଟିସ୍ ଜଗଦୀଶ ସିଂହ ଖେହରଙ୍କ ସ୍ଥାନରେ ନିଯୁକ୍ତ ହୋଇଥିଲେ। ସେ ଆସନ୍ତା ୨ ତାରିଖରେ ଅବସର ଗ୍ରହଣ କରିବେ। ଏହି ଦିନ ସେ ୬୫ ବର୍ଷରେ ପଦାର୍ପଣ କରିବେ। ତେବେ ତାଙ୍କ ସ୍ଥାନରେ ଅକ୍ଟୋବର ୩ ତାରିଖରେ ଭାରତର ୪୬ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ୍ ରଞ୍ଜନ ଗୋଗୋଇ। ଜଷ୍ଟିସ୍ ମିଶ୍ର ପ୍ରଧାନ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥା ଯୁଗାନ୍ତକାରୀ ରାୟ ଦେଇଛନ୍ତି। ଦେଶର ଆର୍ଥିକ, ଧାର୍ମିକ, ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ‌ସେ ରାୟ ଦେଇ ଇତିହାସ ସୃଷ୍ଟି କରିଛନ୍ତି। ରେକର୍ଡ ସଂଖ୍ୟକ ସମ୍ବିଧାନ ପୀଠର ନେତୃତ୍ବ ନେଇ ସେ ଆଉ ଏକ ବିରଳ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। କାର୍ଯ୍ୟକାଳର ଅନ୍ତିମ ଦିନଗୁଡ଼ିକରେ ଜଷ୍ଟିସ୍ ମିଶ୍ର ନେଇଥିବା କିଛି ଗୁରୁତ୍ବପୂର୍ଣ୍ଣ ରାୟ ସଂପର୍କରେ ଏ ଉପସ୍ଥାପନା...

Advertisment

ସମଲିଙ୍ଗୀ ସଂପର୍କ ଅପରାଧ ନୁହେଁ
ସମଲିଙ୍ଗୀ ସଂପର୍କକୁ ନେଇ ବିବାଦ ଥମିବାର ନାଁ‌ ନେଉନଥିଲା। ଦୁଇଜଣ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ସହମତି ଭିତ୍ତିରେ ଶାରୀରିକ ସଂପର୍କକୁ ସମ୍ବିଧାନସିଦ୍ଧ ବିବେଚନା କରାଯାଉଥିବା ବେଳେ ସମଲିଙ୍ଗୀ ସଂପର୍କ କ୍ଷେତ୍ରରେ ତାହା ଅପରାଧ ଥିଲା। ଧାରା ୩୭୭ରେ ସେହି ନିୟମ ରହିଥିଲା। କିନ୍ତୁ ଜଷ୍ଟିସ୍ ମିଶ୍ରଙ୍କ ନେତୃତ୍ବାଧୀନ ସମ୍ବିଧାନ ପୀଠ ଧାରା ୩୭୭କୁ ଅପରାଧମୁକ୍ତ ବୋଲି ରାୟ ଦେଇଛନ୍ତି। ଫଳରେ ଏଲଜିବିଟି (ଲେସବିୟାନ୍, ଗେ, ବାଇ-ସେକ୍ସୁଆଲ୍ ଏବଂ ଟ୍ରାନ୍ସଜେଣ୍ଡର) ସଂପ୍ରଦାୟ ଏହାକୁ ନେଇ ଖୁସି ମନାଇଛନ୍ତି। ଦୀର୍ଘଦିନ ଧରି ସେମାନେ ଯେଉଁଥିପାଇଁ ସ୍ବର ଉଠାଇଥିଲେ, ତାହା ସଫଳ ହୋଇଥିଲା।
ଦାଗୀ ନେତାଙ୍କୁ କଟକଣା ନାହିଁ
ବିଭିନ୍ନ ଫୌଜଦାରୀ ମାମଲାରେ ଅଭିଯୁକ୍ତ ଥିବା ଦାଗୀ ‌େନତାମାନଙ୍କ ବାବଦରେ ଜଷ୍ଟିସ୍ ମିଶ୍ରଙ୍କ ଖଣ୍ଡପୀଠ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଦାଗୀ ନେତାମାନଙ୍କୁ ନିର୍ବାଚନ ଲଢ଼ିବାରୁ ରୋକାଯାଇ ପାରିବ ନାହିଁ ଏବଂ ଏ ବାବଦରେ ସଂସଦରେ ଆଇନ ଆଣିବାକୁ ଖଣ୍ଡପୀଠ କହିଥିଲେ।

ସାଂସଦ, ବିଧାୟକ ଲଢ଼ିବେ ମାମଲା
‌େଦଶର ସାଂସଦ ଏବଂ ବିଧାୟକମାନେ ନିଜ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ କୋର୍ଟରେ ମାମଲା ଲଢ଼ିପାରିବେ ବୋଲି ଜଷ୍ଟିସ୍ ମିଶ୍ରଙ୍କ ଅଧ୍ୟକ୍ଷତା‌େର ଗଠିତ ଖଣ୍ଡପୀଠ ରାୟ ଦେଇଥିଲେ। ଖଣ୍ଡପୀଠ ନିଜ ରାୟରେ କହିଥିଲେ, ଆଇନପ୍ରଣେତାମାନେ ସରକାରଙ୍କ ସ୍ଥାୟୀ ଚାକିରିଆ ନୁହନ୍ତି। ତେଣୁ ସେମାନଙ୍କୁ ସରକାରୀ କର୍ମଚାରୀଙ୍କ ସହିତ ତୁଳନା କରାଯାଇ ପାରିବ ନାହିଁ। ତେଣୁ ଏ ବାବଦ ଆବେଦନକୁ ଖାରଜ କରି ଖଣ୍ଡପୀଠ କହିଥିଲେ, ଓକିଲମାନେ ଜନପ୍ରତିନିଧି ହେବା କ୍ଷେତ୍ରରେ ମଧ୍ୟ କୋର୍ଟରେ ମାମଲା ଲଢ଼ିପାରିବେ।

ଆଧାର ବୈଧ, ସୁରକ୍ଷିତ
ଜଷ୍ଟିସ୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନ ପୀଠ ଆଧାର ବାବଦରେ ଐତିହାସିକ ରାୟ ଦେଇଥିଲେ। ଆଧାରକୁ ସାମ୍ବିଧାନିକ ବୈଧ ବୋଲି ରାୟ ଦେବା ସହିତ ଏହା ସୁରକ୍ଷିତ ଏବଂ ଏହାର ନକଲ କରାଯାଇ ପାରିବ ନାହିଁ ବୋଲି ଦର୍ଶାଇଥିଲେ। ଖଣ୍ଡପୀଠ ନିଜ ରାୟରେ ସ୍ପଷ୍ଟ କରି କହିଥିଲେ, ଆୟକର ରିଟର୍ଣ୍ଣ, ପାନ୍ ଏବଂ ସରକାରୀ ସ୍କିମଗୁଡ଼ିକ ପାଇଁ ଆଧାର ଜରୁରୀ ହେବ। କିନ୍ତୁ ମୋବାଇଲ ସିମ୍ ଏବଂ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ଏହାକୁ ମଗାଯିବ ନାହିଁ। ସେହିଭଳି ନାମଲେଖା ପାଇଁ ମଧ୍ୟ ଆଧାର ଜରୁରୀ ନୁହେଁ ବୋଲି କୁହାଯାଇଥିଲା।

ଏସସି/ଏସଟି କର୍ମଚାରୀଙ୍କ ପଦୋନ୍ନତିରେ ସଂରକ୍ଷଣ ରାସ୍ତା ସଫା
ପ୍ରଧାନ ବିଚାରପତି ଜ‌ଷ୍ଟିସ୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏସ/ଏସଟି କର୍ମଚାରୀଙ୍କ ପଦୋନ୍ନତିରେ ସଂରକ୍ଷଣ ରାସ୍ତା ସଫା କରିଦେଇଥିଲେ। ପଦୋନ୍ନତିରେ ସଂରକ୍ଷଣ ଦେବା ପାଇଁ ଏସସି/ଏସଟିଙ୍କ ପଛୁଆପଣ ସଂଖ୍ୟା ହାସଲ କରିବା ଆବଶ୍ୟକ ନାହିଁ ବୋଲି କହିଥିଲେ। ଖଣ୍ଡପୀଠ କହିଥିଲେ, ୨୦୦୬ର ନାଗରାଜ ରାୟ ଅନୁସାରେ ପଦୋନ୍ନତିରେ ସଂରକ୍ଷଣ ପାଇଁ କ୍ରିମିଲେୟର ସିଦ୍ଧାନ୍ତ ଲାଗୁ ହେବ।

ଅଯୋଧ୍ୟା ମାମଲା ରାୟ ସଂରକ୍ଷିତ
ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମ୍ କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ମସ୍‌ଜିଦ୍ ଇସଲାମର ଅବିଚ୍ଛେଦ୍ୟ ଅଂଶ ନୁହେଁ ବୋଲି ୧୯୯୪ରେ ସୁପ୍ରିମ୍ କୋର୍ଟ ଯେଉଁ ରାୟ ଦେଇଥି‌େଲ ତାହାର ପୁନର୍ବିଚାର ନ କରିବାକୁ ଜଷ୍ଟିସ୍ ମିଶ୍ରଙ୍କ ନେତୃତ୍ବା‌ଧୀନ ଖଣ୍ଡପୀଠ ରାୟ ଦେଇଛନ୍ତି। ଏହାଦ୍ବାରା ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ପାଇଁ ରାସ୍ତା ପରିଷ୍କାର ହୋଇଯାଇଛି।

ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ କଟକଣା ହଟିଲା
ଶବରିମାଳା ମନ୍ଦିରରେ ସବୁ ବୟସର ମହିଳା ବିନା କୌଣସି କଟକଣାରେ ପ୍ରବେଶ କରିପାରିବେ ବୋଲି ଜଷ୍ଟିସ୍ ମିଶ୍ରଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ରାୟ ଦେଇଛନ୍ତି। ପୂର୍ବରୁ ମନ୍ଦିରରେ ୧୦ ବର୍ଷରୁ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ମହିଳାଙ୍କ ପ୍ରବେଶ ଉପରେ କଠୋର କଟକଣା ରହିଥିଲା।