ଆବୁଧାବି: ସଂଯୁକ୍ତ ଆରବ ରାଷ୍ଟ୍ର (ୟୁଏଇ) ଶନିବାର କହିଛି ଯେ ଏହାର ଆଇନରେ ଏକ ଐତିହାସିକ ସଂସ୍କାର ଅଣାଯାଇଛି, ଯାହା ୨୦୨୨ ଜାନୁଆରି ୨ରୁ କାର୍ଯ୍ୟକାରୀ ହେବ। ସରକାର ଚଳିତ ବର୍ଷ ପ୍ରଚଳିତ ଦଣ୍ଡ ସଂହିତାରେ ୪୦ଟି ଆଇନଗତ ପରିବର୍ତ୍ତନ କରିଛନ୍ତି। ସଂଘୀୟ ଅପରାଧ ଏବଂ ଦଣ୍ଡ ଆଇନରେ ହୋଇଥିବା ପରିବର୍ତ୍ତନ ମହିଳା, ଘରୋଇ କର୍ମଚାରୀ ଏବଂ ଜନ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ। ରକ୍ଷଣଶୀଳ ଉପସାଗରୀୟ ପଡ଼ୋଶୀ ସାଉଦି ଆରବ ନିଜକୁ ବିଦେଶୀ ପୁଞ୍ଜି ବିନିଯୋଗ ପାଇଁ ଉନ୍ମୁକ୍ତ କରିଥିବା ବେଳେ ୟୁଏଇ ଏହାର ଆଇନଗତ ବ୍ୟବସ୍ଥାରେ ସଂସ୍କାର ଆଣିଛି। ପ୍ରମୁଖ ପରିବର୍ତ୍ତନଗୁଡିକ ମଧ୍ୟରେ ରହିଛି ବିବାହ ପୂର୍ବରୁ ଯୌନ ସମ୍ପର୍କ ଏବଂ ମଦ୍ୟପାନକୁ ଅପରାଧୀକରଣ ନ କରିବା ଏବଂ ସମ୍ମାନ ପାଇଁ ହତ୍ୟା (ଅନର କିଲିଂ) ଘଟଣାରେ ହତ୍ୟାକାରୀ ପ୍ରତି ଦୟା ପ୍ରଦର୍ଶନ ନ କରିବା।

Advertisment

ବିବାହ ପୂର୍ବରୁ ଯୌନ ସମ୍ପର୍କ ଏବଂ ସେମାନଙ୍କଠାରୁ ଜନ୍ମ ହୋଇଥିବା ପିଲାମାନଙ୍କର ଭବିଷ୍ୟତ ନେଇ ପୂର୍ବ ଆଇନରେ ସ୍ପଷ୍ଟତା ନ ଥିଲା। ପିତାମାତା ବିବାହ କରିବା ଆବଶ୍ୟକ ନାହିଁ ବୋଲି ଏଥିରେ ଦର୍ଶାଯାଇଥିଲା। କିନ୍ତୁ ନୂତନ ନିୟମ ଅନୁଯାୟୀ ଯେ କୌଣସି ଦମ୍ପତି ବିବାହ ବନ୍ଧନରେ ଆବଦ୍ଧ ନ ହୋଇ ସନ୍ତାନ ଜନ୍ମ କରିଥିଲେ ସେମାନଙ୍କୁ ବିବାହ କରିବାକୁ ହେବ କିମ୍ବା ଏକକ ଭାବରେ ବା ଦ୍ବୈତ ଭାବରେ ସେମାନେ ଶିଶୁକୁ ନିଜର ସନ୍ତାନ ବୋଲି ସ୍ୱୀକାର କରିବାକୁ ପଡିବ ଏବଂ ଦେଶର ଆଇନ ଅନୁଯାୟୀ ପରିଚୟପତ୍ର ଓ ଭ୍ରମଣ ଦଲିଲ ପ୍ରଦାନ କରିବାକୁ ପଡିବ। ଉଭୟ ମାତାପିତାଙ୍କ ମଧ୍ୟରୁ ଅନ୍ତତଃ ଜଣେ ଦେଶର ନାଗରିକ ହୋଇଥିବା ଦରକାର। ଯଦି ମାତାପିତା ପିଲାକୁ ସ୍ବୀକାର ନ କରନ୍ତି ବା ‌ତା’ର ଯତ୍ନ ନ ନିଅନ୍ତି ତେବେ ତାଙ୍କ ବିରୋଧରେ ଦୁଇ ବର୍ଷ ଜେଲଦଣ୍ଡ ସହିତ ଏକ ଅପରାଧିକ ମାମଲା ରୁଜୁ କରାଯିବ। ୟୁଏଇର ଅନ୍ୟ ପରିବର୍ତ୍ତନଗୁଡ଼ିକ ଭିତରେ ରହିଛି ପ୍ରତିଭାଙ୍କୁ ଆକର୍ଷିତ କରିବା ଏବଂ ଦେଶରେ ରହି ବ୍ୟବସାୟ ଆଦି କରିବା ପାଇଁ ଉତ୍ସାହିତ କରିବାକୁ ଦୀର୍ଘକାଳୀନ ଭିସା ବ୍ୟବସ୍ଥା ପ୍ରବର୍ତ୍ତନ କରିବା।