ଆରଏସଏସ ଇତିହାସରେ ପ୍ରଥମ ଥର ହେବାକୁ ଯାଉଛି ଏହି ଘଟଣା

ନାଗପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରତିବର୍ଷ ନାଗପୁରର ମୁଖ୍ୟାଳୟରେ ବିଜୟାଦଶମୀ ଅବସରରେ କାର୍ଯ୍ୟକ୍ରମ ଆୟୋଜନ କରିଥାଏ। କିନ୍ତୁ ଏଥର ଏହା ସ୍ୱତନ୍ତ୍ର ଏବଂ ଐତିହାସିକ ହେବାକୁ ଯାଉଛି। ଏହାର କାରଣ ହେଉଛି ଆରଏସଏସ ଇତିହାସର ୯୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଛି | ଅକ୍ଟୋବର ୫ ତାରିଖ ଦିନ ଦଶହରା ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ | ଆରଏସଏସ ପକ୍ଷରୁ କୁହାଯାଇଛି ଯେ ଚଳିତବର୍ଷ ପର୍ବତାରୋହୀ ତଥା ପଦ୍ମଶ୍ରୀ ବିଜେତା ସନ୍ତୋଷ ଯାଦବଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ସରସଂଘଚାଳକ ମୋହନ ଭାଗବତ ଉପସ୍ଥିତ ରହିବେ |

ସୂଚନା ମୁତାବକ ଦଶହରା ଅବସରରେ ସରସଂଘଚାଳକ ଦେଇଥିବା ଭାଷଣ ସଂଗଠନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ଅବସରରେ ସଂଘ ପରିବାରର ମୁଖ୍ୟ ଦେଶ ତଥା ସମାଜର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଥା ହୁଅନ୍ତି। ଏହା ସଂଘର ଏଜେଣ୍ଡା ଭାବରେ ମଧ୍ୟ ଦେଖାଯାଏ | ଉଲ୍ଲେଖ ଥାଉ କି ସନ୍ତୋଷ ଯାଦବ ହେଉଛନ୍ତି ପ୍ରଥମ ମହିଳା ପର୍ବତାରୋହୀ ଯିଏ ଦୁଇଥର ମାଉଣ୍ଟ ଏଭରେଷ୍ଟରେ ପହଂଚିଥିଲେ ।

ସେ ମେ ୧୯୯୨ ରେ ପ୍ରଥମ ଥର ପାଇଁ ମାଉଣ୍ଟ ଏଭରେଷ୍ଟର ଶିଖରରେ ପହଞ୍ଚିଥିଲେ | ଏହା ପରେ, ସେ ମେ ୧୯୯୩ରେ ଦ୍ୱିତୀୟ ଥର ପାଇଁ ଏଭରେଷ୍ଟରେ ପହଂଚିଥିଲେ | ସନ୍ତୋଷ ଯାଦବଙ୍କୁ ୧୯୯୪ରେ ଜାତୀୟ ଦୁଃସାହସିକ ପୁରସ୍କାର ଏବଂ ୨୦୦୦ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା |

ସମ୍ବନ୍ଧିତ ଖବର