ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍‌ଟେନ୍‌ ଶୁଭାଂଶୁ ଶୁକ୍ଳା ଅନ୍ୟ ତିନିଜଣ କ୍ରୁ ମେମ୍ବରଙ୍କ ସହ ଗୁରୁବାର ସଫଳତାର ସହିତ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ପହଞ୍ଚିଛନ୍ତି। ସେ ମହାକାଶକୁ ଯିବାରେ ରାକେଶ ଶର୍ମାଙ୍କ ପରେ ଦ୍ବିତୀୟ ଭାରତୀୟ ଓ ଆଇଏସ୍‌ଏସ୍‌ରେ ପହଞ୍ଚିବାରେ ପ୍ରଥମ ଭାରତୀୟ ଭାବେ ଇତିହାସ ରଚିଛନ୍ତି। ଫ୍ଲୋରିଡାସ୍ଥିତ ‘ନାସା’ କେନେଡି ସ୍ପେସ୍ ସେଣ୍ଟରରୁ ଉତ୍‌କ୍ଷେପଣ ହେବାର ୨୮ ଘଣ୍ଟା ପରେ ଗୁରୁବାର ମହାକାଶଯାନ ଆକ୍ସମ୍-୪ (ଆକ୍ସ-୪) ସଫଳତାର ସହ ଆଇଏସ୍ଏସ୍‌ରେ ପହଞ୍ଚିଥିଲା। ୧୯୮୪ ମସିହାରେ ରାକେଶ ଶର୍ମାଙ୍କ ଅଭିଯାନର ୪୧ ବର୍ଷ ପରେ ଭାରତ ଶୁଭାଂଶୁଙ୍କ ଜରିଆରେ ମହାକାଶଯାତ୍ରାକୁ ପ୍ରତ୍ୟାବର୍ତ୍ତନ କରିଛି। ମିସନ୍‌ ପାଇଲଟ୍‌ ଭାବେ କାର୍ଯ୍ୟ କରୁଥିବା ଶୁଭାଂଶୁଙ୍କ ସହ ଆମେରିକାର ପେଗି ହ୍ୱିଟସନ୍‌, ପୋଲାଣ୍ଡର ସାଓଜ୍ ଉଜନାନ୍‌ସ୍କି ଓ ହଙ୍ଗେରୀର ଟିବୋର କାପୁ ସାମିଲ ଅଛନ୍ତି।

Advertisment

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଲା ଆକ୍ସମ୍-୪
ଆଇଏସ୍‌ଏସ୍‌ରେ ପହଞ୍ଚିବାରେ ପ୍ରଥମ ଭାରତୀୟ

ପୃଥିବୀଠାରୁ ୪୧୮ କିଲୋମିଟର ଉଚ୍ଚତାରେ ଉଡ଼ୁଥିବା ଓ ଘଣ୍ଟାପ୍ରତି ୧୭,୦୦୦ କିଲୋମିଟର ବେଗରେ ଯାତ୍ରା କରୁଥିବା ମହାକାଶଚାରୀମାନେ ମାଇକ୍ରୋଗ୍ରାଭିଟି ସହ ଖାପ ଖୁଆଇ ଏହି ଐତିହାସିକ ମୁହୂର୍ତ୍ତ ପାଇଁ ପ୍ରସ୍ତୁତ ହୋଇଥିଲେ। ୧୪୦ କୋଟି ଭାରତୀୟଙ୍କ ଆଶାକୁ ବହନ କରୁଥିବା ଶୁଭାଂଶୁ ମହାକାଶରୁ ନମସ୍କାର କରି ଭାରତୀୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା କେବଳ ମୋର ଉପଲବ୍ଧି ନୁହେଁ- ଏହା ଏକ ସାମୂହିକ ସଫଳତା। ମୁଁ ଏବେ ବି ଶୂନ୍ୟ ମାଧ୍ୟାକର୍ଷଣ ସହ ଅଭ୍ୟସ୍ତ ହେଉଛି। ଯେପରି ଏକ ଶିଶୁ ଚାଲି ଶିଖେ। ମହାକାଶ ଯାତ୍ରାର ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରୁଛି ବୋଲି କହିଛନ୍ତି ଶୁଭାଂଶୁ। 

ଆକ୍ସ-୪ ଟିମ୍ ଆଇଏସ୍ଏସ୍‌ରେ ୧୪ ଦିନ ବିତାଇବ। ସେମାନେ ଆଇଏସ୍‌ଏସ୍‌ରେ ଥିବା ୭୩ ଜଣ କର୍ମଚାରୀଙ୍କ ସହ ୬୦ରୁ ଅଧିକ ବୈଜ୍ଞାନିକ ପରୀକ୍ଷଣ କରିବେ। ଇସ୍ରୋ ପକ୍ଷରୁ ୭ଟି ଗୁରୁତ୍ବପୂର୍ଣ୍ଣ ଗବେଷଣା ମଧ୍ୟ ଶୁଭାଂଶୁଙ୍କୁ କରିବାକୁ ପଡ଼ିବ। କର୍କଟ ଗବେଷଣା, ଡିଏନ୍‌ଏ ମରାମତି ଓ ଉନ୍ନତ ଉତ୍ପାଦନ ପ୍ରକଳ୍ପ ଏଥିରେ ଅନ୍ତର୍ଭୁକ୍ତ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଶୁଭାଂଶୁଙ୍କୁ ଅଭିନନ୍ଦନ ଜଣାଇବା ସହ ବିଶ୍ୱ ମହାକାଶ ପ୍ରୟାସରେ ଭାରତର ଯୋଗଦାନ ଉପରେ ଆଲୋକପାତ କରିଥିଲେ। ଶୁଭାଂଶୁଙ୍କ ଗବେଷଣା ଭବିଷ୍ୟତରେ ଭାରତର ଗଗନଯାନ ଅଭିଯାନରେ ସାହାଯ୍ୟ କରିବ ବୋଲି ମୋଦୀ କହିଛନ୍ତି।