୪ ଜଣଙ୍କୁ ଏକ ସଙ୍ଗେ ଫାଶୀ, ଇତିହାସର ହେବ ପୁନରାବୃତ୍ତି

୩୬ ବର୍ଷ ତଳେ ବି ୪ ଜଣଙ୍କୁ ଫାଶୀ ହୋଇଥିଲା

ପୁନେ: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସମ୍ପୃକ୍ତ ଚାରିଜଣ ଦୋଷୀଙ୍କୁ ଜାନୁଆରି ୨୨ ତାରିଖ ସକାଳ ୭ଟାରେ ତିହାର ଜେଲ୍‌ରେ ଫାଶୀ ଦିଆଯିବ। ଏକ ସମୟରେ ୪ ଜଣକୁ ଫାଶୀ ଦିଆଯିବା ଭାରତୀୟ ଅପରାଧ ଇତିହାସରେ ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ବି ଏକସଙ୍ଗରେ ୪ ଜଣଙ୍କୁ ଫାଶୀ ଦିଆଯାଇଛି। ୧୯୮୩ ମସିହାରେ ଏହି ଘଟଣା ଘଟିଥିଲା। ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଯୋଶୀ-ଅଭୟଙ୍କର ହତ୍ୟା ମାମଲାରେ ସମ୍ପୃକ୍ତ ୪ ଜଣ ଦୋଷୀଙ୍କୁ ସମାନ ଦିନରେ ପୁନେର ୟେରୱାଡ଼ା ଜେଲରେ ଫାଶୀ ଦିଆଯାଇଥିଲା। ୧୯୮୩ ମସିହା ଅକ୍ଟୋବର ୨୫ ତାରିଖରେ ରାଜେନ୍ଦ୍ର ଜ୍ୱାକ୍କଲ, ଦିଲ୍ଲୀପ ସୁତାର, ସାନ୍ତରାମ ଜାଗତାପ ଓ ମୁନାବାର ହାରୁନ ସାହାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଦିଆଯାଇଥିଲା। ଏହି ୪ ଅପରାଧୀ ୧୯୭୬ ମସିହା ଜାନୁୟାରିରୁ ୧୯୭୭ ମସିହା ମାର୍ଚ୍ଚ ମଧ୍ୟରେ ୧୦ ଜଣଙ୍କୁ ହତ୍ୟା କରିଥିଲେ। ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ସୁଭାଷ ଚନ୍ଦଙ୍କ ସାକ୍ଷ୍ୟ ପରେ ଘଟଣା ଉପରୁ ପରଦା ହଟିଥିଲା। ହତ୍ୟାକାରୀ ପୁନେର ଅଭିନବ କଳା ମହାବିଦ୍ୟାଳୟର ଛାତ୍ର ଥିଲେ। ଅଭିଯୁକ୍ତମାନେ ନିଶା ଦ୍ରବ୍ୟ ସେବନ କରୁଥିବାରୁ ପ୍ରଚୁର ଟଙ୍କା ଆବଶ୍ୟକ ପଡୁଥିଲା। ଏଥିପାଇଁ ବାଇକରେ ଯାଉଥିବା ଲୋକଙ୍କୁ ସେମାନଙ୍କ ଟାର୍ଗେଟ କରୁଥିଲେ।

ଏହି ଅଭିଯୁକ୍ତମାନେ ପ୍ରଥମ ହତ୍ୟାକାଣ୍ଡ ୧୯୭୬ ମସିହା ଜାନୁୟାରି ୧୬ ତାରିଖରେ କରିଥିଲେ। ହତ୍ୟାର ଶିକାର ହୋଇଥିବା ପ୍ରସାଦ ହେଗଡେ ହତ୍ୟାକାରୀଙ୍କ ସହପାଠୀ ଥିଲେ। ପ୍ରସାଦଙ୍କ ବାପା କଲେଜ ପଛପଟେ ଏକ ହୋଟେଲ କରିଥିଲେ। ଟଙ୍କା ଆଦାୟ ପାଇଁ ହତ୍ୟାକାରୀମାନେ ପ୍ରସାଦଙ୍କୁ ଅପହରଣ କରି ତାଙ୍କ ବାପାଙ୍କୁ ଟଙ୍କା ମାଗିଥିଲେ। ମାତ୍ର ପରେ ଅତ୍ୟନ୍ତ ନିଷ୍ଠୁର ଭ‌ାବେ ନିଜ ସହପାଠୀକୁ ହତ୍ୟା କରିଥିଲେ। ସେହିପରି ୩୧ ଅକ୍ଟୋବର ୧୯୭୬ ମସିହାରୁ ୨୩ ମାର୍ଚ୍ଚ ୧୯୭୭ ମଧ୍ୟରେ ହତ୍ୟାକାରୀମାନେ ଅନ୍ୟ ୯ ଜଣକୁ ହତ୍ୟା କରିଥିଲେ। ଏହି ହତ୍ୟାକାରୀମାନେ ଲୋକଙ୍କ ଘରେ ପଶି ଲୁଟ କରିବା ସହ ସଦସ୍ୟମାନଙ୍କୁ ହତ୍ୟା କରୁଥିଲେ। ସେହି ସମୟରେ ଏହି ସିରିଜ ହତ୍ୟାକାଣ୍ଡ ସମଗ୍ର ମହାରାଷ୍ଟ୍ରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ପରେ ଏମାନଙ୍କୁ ଧରାଯାଇଥିଲା ଓ କୋର୍ଟରେ ବଳିଷ୍ଠ ପ୍ରମାଣ ଦାଖଲ ହୋଇଥିଲା। କୋର୍ଟ ଏମାନଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ।

ସମ୍ବନ୍ଧିତ ଖବର