ନୂଆଦିଲ୍ଲୀ: ହିଟ୍ ଆଣ୍ଡ୍ ରନ୍ ମାମଲାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ରେ ରଖାଯାଇଥିବା ନୂଆ ବର୍ଦ୍ଧିତ ଦଣ୍ଡ ବ୍ୟବସ୍ଥା ବିରୋଧରେ ଟ୍ରକ୍ ଅପରେଟରମାନଙ୍କ ଧର୍ମଘଟ ଏବେ ଚର୍ଚ୍ଚାର ପ୍ରସଙ୍ଗ ରହିଛି। ତେବେ କ’ଣ ଏହି ବିବାଦ? ଏଠାରେ ସଡ଼କ ଦୁର୍ଘଟଣା ସମସ୍ୟା ଓ ଏହାର ନିରାକରଣ ପାଇଁ ଆପରାଧିକ ନ୍ୟାୟ ବ୍ୟବସ୍ଥାରେ କରାଯାଇଥିବା ପରିବର୍ତ୍ତନ ଉପରେ ଆଲୋଚନା କରିବା।
ସମୁଦାୟ ଦୁର୍ଘଟଣାରେ ହିଟ୍ ଆଣ୍ଡ ରନ୍ ମାମଲାର ଭାଗ କେତେ?
ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୨୦୨୨ରେ ସମୁଦାୟ ସଡ଼କ ଦୁର୍ଘଟଣା ଓ ମୃତ୍ୟୁରେ ହିଟ୍ ଆଣ୍ଡ ରନ୍ ମାମଲାର ଅଂଶ ୧୪.୬% ଏବଂ ୧୮.୧% ଥିଲା। ୨୦୨୧ରେ ଏହି ସଂଖ୍ୟା ୧୬.୮% ଓ ୧୧.୮% ଥିଲା। ଭାରତରେ ସଡ଼କ ଦୁର୍ଘଟଣା ଓ ତଜ୍ଜନିତ ମୃତ୍ୟୁର ସବୁଠାରୁ ବଡ଼ କାରଣ କ’ଣ ହିଟ୍ ଆଣ୍ଡ ରନ୍ ଘଟଣା? ତଥ୍ୟ ଦର୍ଶାଉଛି ଯେ, ଭାରତରେ ସଡ଼କ ଦୁର୍ଘଟଣା କିମ୍ବା ତଜ୍ଜନିତ ମୃତ୍ୟୁର କୌଣସି ବଡ଼ କାରଣ ନାହିଁ। ଏଥିରେ ମୁହାଁମୁହିଁ ଧକ୍କା, ପଛପଟୁ ଧକ୍କା କିମ୍ବା ପାର୍ଶ୍ୱରୁ ଧକ୍କା ହେବା ଭଳି ଅନେକ କାରଣର ପ୍ରାୟ ସମାନ ଅଂଶ ରହିଛି। କହିବାକୁ ଗଲେ ୯ ପ୍ରକାର ସଡ଼କ ଦୁର୍ଘଟଣା ଓ ଆନୁଷଙ୍ଗିକ ମୃତ୍ୟୁ ମଧ୍ୟରେ ହିଟ୍ ଆଣ୍ଡ୍ ରନ୍ର ଅଂଶ ୨୦୨୨ରେ ପଞ୍ଚମ ଓ ଦ୍ବିତୀୟ ସ୍ଥାନରେ ରହିଛି।
ମାନୁନାହାନ୍ତି ଟ୍ରାଫିକ୍ ନିୟମ
ବେପରୁଆ ଚାଳକମାନଙ୍କ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଏବଂ ଦ୍ରୁତ ଗତିରେ ଗାଡ଼ି ଚାଳନା ଯୋଗୁ ଅଧିକ ଦୁର୍ଘଟଣା ଘଟିଥାଏ। ୨୦୨୨ରେ ମୋଟ ଦୁର୍ଘଟଣାର ପ୍ରାୟ ୭୨% ଏବଂ ତଜ୍ଜନିତ ମୃତ୍ୟୁର ୭୧% ଅତ୍ୟଧିକ ଦ୍ରୁତ ଗତି ଯୋଗୁଁ ହୋଇଛି ବୋଲି ଏମ୍ଓଆର୍ଟିଏଚ୍ ତଥ୍ୟରୁ ଜଣାପଡିଛି। ତଥ୍ୟରୁ ଏହା ମଧ୍ୟ ଜଣାପଡିଛି ଯେ ଭାରତର ରାଜପଥଗୁଡିକ ସାଧାରଣ ରାସ୍ତା ତୁଳନାରେ ଅଧିକ ଦୁର୍ଘଟଣାପ୍ରବଣ। ୨୦୨୨ରେ ମୋଟ ସଡ଼କ ଦୈର୍ଘ୍ୟରେ ଜାତୀୟ ଓ ରାଜ୍ୟ ରାଜପଥର ଅଂଶ ମାତ୍ର ୪.୯% ଥିବାବେଳେ ସଡ଼କ ଦୁର୍ଘଟଣାରେ ମୋଟ ମୃତ୍ୟୁର ୬୦.୫% ଏହି ରାସ୍ତାରେ ହୋଇଛି।
ଅପରାଧୀମାନେ ଖସିଯାଇ ପାରନ୍ତି କି?
ବିଚାର ହେଲେ ସେମାନେ ପ୍ରାୟତଃ ଖସିଯାଇ ପାରନ୍ତି ନାହିଁ। ହିଟ୍ ଆଣ୍ଡ୍ ରନ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଅନ୍ୟ ଦୁର୍ଘଟଣା ତୁଳନାରେ ଭଲ। ଉଦାହରଣ ସ୍ୱରୂପ, ୨୦୨୨ରେ ଶୁଣାଣି ଶେଷ ହୋଇଥିବା ହିଟ୍ ଆଣ୍ଡ୍ ରନ୍ ମାମଲାରେ ଦୋଷୀ ସାବ୍ୟସ୍ତ ହାର ୪୭.୯% ଥିଲା। ଅନ୍ୟାନ୍ୟ ଦୁର୍ଘଟଣାରେ ଏହି ହାର ମାତ୍ର ୨୧.୮% ଥିଲା। ଏପରିକି ହତ୍ୟା ଓ ହତ୍ୟା ତୁଲ୍ୟ ଘଟଣାରେ ଦୋଷୀ ସାବ୍ୟସ୍ତ ହାର କମ୍ ଥିଲା- ୪୩.୮% ଓ ୩୮.୭%। ୨୦୨୨ରେ ପୁଲିସ ଦ୍ୱାରା ସମାଧାନ ହୋଇଥିବା ହିଟ୍ ଆଣ୍ଡ୍ ରନ୍ର ମାତ୍ର ୬୬.୪% ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ୮୧.୫% ହତ୍ୟା ମାମଲା, ୮୪% ହତ୍ୟା ତୁଲ୍ୟ ମାମଲା ଏବଂ ୭୯.୬% ଅନ୍ୟାନ୍ୟ ଦୁର୍ଘଟଣାରେ ଚାର୍ଜସିଟ୍ ଦାଖଲ ହୋଇଛି। ହିଟ୍ ଆଣ୍ଡ୍ ରନ୍ ମାମଲାରେ ଚାର୍ଜସିଟ୍ ଦାଖଲ ନ ହେବାର ଏକ ବଡ଼ କାରଣ ହେଉଛି ପୁଲିସ ଏହି ମାମଲାକୁ ସତ ବୋଲି ବିଶ୍ୱାସ କଲେ ମଧ୍ୟ ପ୍ରମାଣ ପାଉନାହିଁ। ୨୦୨୨ ମସିହାରେ ପୁଲିସ ଦ୍ୱାରା ସମାଧାନ ହୋଇଥିବା ମାମଲାରେ ହିଟ୍ ଆଣ୍ଡ୍ ରନ୍ ମାମଲାର ୨୮%, ହତ୍ୟା ମାମଲାର ୧୧%, ହତ୍ୟା ତୁଲ୍ୟ ମାମଲାର ୯% ଏବଂ ଅନ୍ୟାନ୍ୟ ଦୁର୍ଘଟଣାର ୧୧% ମାମଲା ରହିଛି। ଏଥିରୁ ଜଣାପଡୁଛି ଯେ ହିଟ୍ ଆଣ୍ଡ୍ ରନ୍ ମାମଲାରେ ଚାର୍ଜସିଟ୍ ହାର କମ୍ ହେବା ପଛରେ ଅପରାଧୀଙ୍କୁ ନ ପାଇବା ଏକ କାରଣ ହୋଇପାରେ। ଯଦିଓ ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍)ର ଧାରା ଏହି ତଥ୍ୟ ଦ୍ୱାରା ପ୍ରେରିତ ହୋଇପାରେ, କିନ୍ତୁ ଏହା ଭାରତର ପରିବହନ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶରେ ପ୍ରତିକ୍ରିୟା ସୃଷ୍ଟି କରିଥିବା ଜଣାପଡିଛି।