ହିଟ୍‌ଲିଷ୍ଟ୍‍ରେ ୩୦୦ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହେବା ସହିତ ସୁରକ୍ଷା ବାହିନୀର ଆତଙ୍କବାଦୀ ନିପାତ ଅଭିଯାନ ‘ଅପରେସନ ଅଲ୍‌ ଆଉଟ୍‌-୨’ ଆରମ୍ଭ ହୋଇଯାଇଛି। ଏହି ପର୍ଯ୍ୟାୟରେ ସେନାର ହିଟ୍‌ଲିଷ୍ଟରେ ପ୍ରାୟ ୩ ଶହ ଆତଙ୍କବାଦୀ ରହିଛନ୍ତି। ତାଲିକାରେ ୧୦ ଜଣ ଆତଙ୍କବାଦୀଙ୍କୁ ସର୍ବାଧିକ ବିପଜ୍ଜନକ ଶ୍ରେଣୀରେ ରଖାଯାଇଛି। ସାମ୍ବାଦିକ ସୁଜାତ ବୁଖାରି ଏବଂ ଯବାନ ଔରଙ୍ଗଜେବଙ୍କ ହତ୍ୟାକାରୀମାନେ ମଧ୍ୟ ଏହି ହିଟ୍‌୍‌ଲିଷ୍ଟରେ ସାମିଲ ଅଛନ୍ତି। ଅଲ୍‌ଆଉଟ୍‌ ପାର୍ଟ-୧ରେ ସୁରକ୍ଷାବାହିନୀ ପ୍ରାୟ ୨ ଶହ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ଏବେ ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି ଜଣାପଡ଼ିଛି। ଏଥିପାଇଁ ୬୦ ଜଣ ଏନ୍‌୍‌ଏସ୍‌ଜି ସ୍ନାଇପରଙ୍କୁ ମଧ୍ୟ ନିୟୋଜିତ କରାଯିବ। ସ୍ନାଇପର ଏବଂ ରାଡାର ସହ ଏନ୍‌୍‌ଏସ୍‌୍‌ଜି କମାଣ୍ଡୋ ଗତକାଲି ଶ୍ରୀନଗରରେ ପହଞ୍ଚିଥିବାରୁ ଖୁବ୍‌ଶୀଘ୍ର କୌଣସି ବଡ଼ ଅପରେସନ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ସେନା-ସିଆରପିଏଫ୍‌-ପୁଲିସ-ଏନ୍‌୍‌ଏସ୍‌୍‌ଜିର ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ଵୟ ବୈଠକ ଇତିମଧ୍ୟରେ ଅନୁଷ୍ଠିତ ହୋଇଛି। ଦକ୍ଷିଣ କଶ୍ମୀରରେ ସର୍ବାଧିକ ଆତଙ୍କବାଦୀ ଲୁଚି ରହିଥିବାରୁ ସେମାନଙ୍କୁ ଠାବ କରିବା ପାଇଁ ଉପଗ୍ରହ ଛବିର ସହାୟତା ମଧ୍ୟ ନିଆଯାଉଛି। ଆଜି ଆଇଏସ୍‌୍‌ କଶ୍ମୀର ମୁଖ୍ୟ ସମେତ ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯିବ ସହ ଅନନ୍ତନାଗ ଅଂଚଳରୁ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ବିଶାଳ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ସେନାର ହିଟ୍‌ ଲିଷ୍ଟ୍‍ର ସର୍ବାଗ୍ରେ ଆତଙ୍କବାଦୀ ଜାକିର ମୁସା ରହିଥିବା ଜଣାପଡ଼ଇଛି। ମୁସା ଅଲ୍‌୍‌ କାଏଦାର କଶ୍ମୀର ସଂଗଠନର ମୁଖ୍ୟ ସଂଚାଳକ। ବୁରହନ ଓ୍ଵାନିର ମୃତ୍ୟୁ ପରେ ମୁସା ହିଜ୍‌ବୁଲକୁ ଛାଡ଼ି ଅଲ୍‌୍‌ କାଏଦାରେ ସାମିଲ ହୋଇଥିଲା। ମୁସା ଅବନ୍ତୀପୁରାର ନୁରପୋରା ଅଂଚଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଦ୍ୱିତୀୟ ସ୍ଥାନରେ ଡ. ସୈଫୁଲ୍ଲା ଓରଫ୍‌ ଅବୁ ମୁସେବ୍‌ ରହିଛି। ସୈଫୁଲ୍ଲା ଶ୍ରୀନଗର ଅଂଚଳ ପାଇଁ ହିଜ୍‌୍‌ବୁଲ ସଂଗଠନର ନେତୃତ୍ୱ ନେଉଛି। ପୁଲଓ୍ଵାମା ଅଂଚଳରେ ସୈଫୁଲ୍ଲା ଆତ୍ମଗୋପନ କରି ରହିଥିବା ଜଣାପଡ଼ିଛି। ଅନ୍ୟତମ କୁଖ୍ୟାତ ଆତଙ୍କବାଦୀ ନାଭେଦ୍‌ ଜଟ୍ଟ, ଜହୁର ଅହମ୍ମଦ ଠୋକର, ଜୁବେର୍‌ ଉଲ୍‌ ଇସ୍‌୍‌ଲାମ, ମୋଇନ୍‌ ଉଲ୍‌ ଇସ୍‌୍‌ଲାମ ଏବଂ ଜୀନତ ଉଲ ଇସ୍‌୍‌ଲାମ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ରହିଛନ୍ତି। ଏମାନଙ୍କ ନିପାତ ପାଇଁ ସେନା ସ୍ୱତନ୍ତ୍ର ଅଭିଯାନ ଚଳାଇବ ବୋଲି ଜଣାପଡ଼ିଛି। ପାକିସ୍ତାନ ସେନା ଏବଂ ଆଇଏସ୍‌୍‌ଆଇଠାରୁ ଏହି ଆତଙ୍କବାଦୀମାନେ ସିଧାସଳଖ ସହାୟତା ପାଉଛନ୍ତି ଏବଂ ଘାଟିରେ ସୁରକ୍ଷା ବାହିନୀ ଉପରେ ଲଗାତାର ଆକ୍ରମଣ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର