ଅସୁରକ୍ଷିତ ଯୌନ ସମ୍ପର୍କ ରଖିବା ଯୋଗୁଁ ୧୦ ବର୍ଷ ମଧ୍ୟରେ ୧୭ ଲକ୍ଷ ଲୋକ ହେଲେ ‘ଏଡ୍ସ’ ର ଶିକାର

ନୂଆଦିଲ୍ଲୀ: ଗତ ୧୦ ବର୍ଷ ମଧ୍ୟରେ ଅସୁରକ୍ଷିତ ଯୌନ ସମ୍ପର୍କ ରଖିବା ହେତୁ ଦେଶରେ ୧୭ ଲକ୍ଷରୁ ଅଧିକ ଲୋକ ଏଚ୍.ଆଇ.ଭିର ଶିକାର ହୋଇଛନ୍ତି | ସୂଚନା ଅଧିକାରରେ ଜାତୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ ପକ୍ଷରୁ ମିଳିଥିବା ଉତ୍ତରରେ କିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି | ଅବଶ୍ୟ, ଏହି ସମୟ ମଧ୍ୟରେ ଏଚ୍.ଆଇ.ଭି ସଂକ୍ରମିତ ଲୋକଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ଅସୁରକ୍ଷିତ ଯୌନ ସମ୍ପର୍କ ମାଧ୍ୟମରେ ଏଚ୍.ଆଇ.ଭି ସଂକ୍ରମଣ ୨୦୧୧-୧୨ ରେ ୨.୪ ଲକ୍ଷ ଲୋକଙ୍କ ମଧ୍ୟରେ ହୋଇଥିବାବେଳେ ୨୦୨୦-୨୧ ରେ ଏହି ସଂଖ୍ୟା ୮୫,୨୬୮କୁ ହ୍ରାସ ପାଇଛି।

ମଧ୍ୟପ୍ରଦେଶର ଚନ୍ଦ୍ରଶେଖର ଗୌରଙ୍କ ଦ୍ୱାରା ଏହି ଆରଟିଆଇ ଦାଖଲ କରାଯାଇଥିଲା। ତଥ୍ୟ ମୁତାବକ ରାଜ୍ୟମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୩ ଲକ୍ଷ ୧୮ ହଜାର ୮୨୪ ମାମଲା ରେକର୍ଡ ହୋଇଥିବାବେଳେ ଏହା ପଛକୁ ମହାରାଷ୍ଟ୍ର( ୨,୮୪,୫୭୭), କର୍ଣ୍ଣାଟକ( ୨,୧୨,୯୮୨), ତାମିଲନାଡୁ (୧,୧୬,୫୩୬), ଉତ୍ତରପ୍ରଦେଶ (୧,୧୦,୯୧୧) ଏବଂ ଗୁଜୁରାଟ (୮୭,୪୪୦)ରେ ଏଚଆଇଭି ପଜିଟିଭ ଅଛନ୍ତି |

ଏହା ବ୍ୟତୀତ, ୨୦୧୧-୧୨ ରୁ ୨୦୨୦-୨୧ ମଧ୍ୟରେ ୧୫,୭୮୨ ଲୋକ ରକ୍ତ ମାଧ୍ୟମରେ ସଂକ୍ରମିତ ହୋଇଥିଲେ। ଏଥିସହ ୪ ହଜାର ୪୨୩ ପିଲାଙ୍କୁ ଏହି ସଂକ୍ରମଣ ସେମାନଙ୍କ ମା’ଙ୍କ ଠାରୁ ବ୍ୟାପିଛି। ତଥ୍ୟ ଅନୁଯାୟୀ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଏଚ୍‌ଆଇଭି ସଂକ୍ରମଣରେ କ୍ରମାଗତ ହ୍ରାସ ଘଟିଛି। ୨୦୨୦ ସୁଦ୍ଧା, ଦେଶରେ ମୋଟ ୨୩,୧୮,୭୩୭ ଜଣ ଏଚଆଇଭି ପଜିଟିଭ ଅଛନ୍ତି, ଯେଉଁଥିରେ ୮୧ ହଜାର ୪୩୦ଜଣ ପିଲା ଅଛନ୍ତି।

ସମ୍ବନ୍ଧିତ ଖବର