କୋଭିଡ୍‌ ପାଇଁ ଏଚ୍‌ଆଇଭି-ଟିବି-ମ୍ୟାଲେରିଆ ମୃତ୍ୟୁ ବଢ଼ିଯିବ

କୋଭିଡ୍‌ ପାଇଁ ଏଚ୍‌ଆଇଭି-ଟିବି-ମ୍ୟାଲେରିଆ ମୃତ୍ୟୁ ବଢ଼ିଯିବ ଲଣ୍ଡନ, ୧୪/୭: ସାରା ବିଶ୍ବରେ ମହାମାରୀ କୋଭିଡ୍‌ର ଉପଦ୍ରବ ପରିପ୍ରେକ୍ଷୀରେ ଅନ୍ୟାନ୍ୟ ଦୁଃସାଧ୍ୟ ରୋଗଗୁଡ଼ିକରେ ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟସେବା ମିଳିବାରେ ଅକଳ୍ପନୀୟ ବ୍ୟାହତ ଘଟିଛି। ସୁତରାଂ ଆଗାମୀ ଦିନରେ ବିଶେଷ କରି କିଛି ନିମ୍ନ ତଥା ମଧ୍ୟବିତ୍ତ ରାଷ୍ଟ୍ରମାନଙ୍କରେ ଏଚ୍‌ଆଇଭି, ଟିବି ଓ ମ୍ୟାଲେରିଆ ପରି ରୋଗରେ ପୀଡ଼ିତଙ୍କ ମୃତ୍ୟୁସଂଖ୍ୟ ଆଶାତୀତ ଭାବେ ବଢ଼ିଯିବ ବୋଲି ଲାନ୍ସେଟ୍‌ ଗ୍ଳୋବାଲ୍ ହେଲ୍ଥ ପକ୍ଷରୁ ସତର୍କ କରାଇ ଦିଆଯାଇଛି। ଗବେଷକମାନଙ୍କ ଆକଳନ ଅନୁଯାୟୀ, ଏହି ସବୁ ସଂକ୍ରାମକ ରୋଗ ଦ୍ବାରା ଭୀଷଣ ଭାବେ ପ୍ରଭାବିତ ଇଲାକାଗୁଡ଼ିକରେ ଉପଲବ୍ଧ ସ୍ବାସ୍ଥ୍ୟସେବା ପ୍ରତି କୋଭିଡ୍‌ ଜନିତ ବ୍ୟାଘାତ ହିଁ କୋଭିଡ୍‌ର ସିଧାସଳଖ ସଂକ୍ରମଣ ସଙ୍ଗେ ସମାନ। କାରଣ ଏହିସବୁ ରୋଗ ପାଇଁ ପୂର୍ବରୁ ଉଦ୍ଦିଷ୍ଟ ମୌଳିକ ସେବା ଓ ଭିତ୍ତିଭୂମିଗୁଡ଼ିକ ମହାମାରୀ କୋଭିଡ୍‌ ପାଇଁ ହିଁ ବିନିଯୋଗ ହେବାକୁ ପଡ଼ିଲା।

ଦୀର୍ଘ ଦୁଇ ଦଶନ୍ଧି ଧରି ଏହି ସବୁ ରୋଗର ଚିକିତ୍ସା ପାଇଁ ଜାରି ରହିଥିବା ଉନ୍ନତ ସ୍ବାସ୍ଥ୍ୟସେବା କୋଭିଡ୍‌ ମୁକାବିଲା କରିବାରେ ହିଁ ଛିନ୍‌ଛତ୍ର ହୋଇଗଲା ବୋଲି ଅନ୍ୟତମ ଗବେଷକ ଲଣ୍ଡନ ଇମ୍ପେରିଆଲ୍‌ କଲେଜ୍‌ର ଟିମୋଥି ହାଲେଟ୍ କହିଛନ୍ତି। ଏଚ୍‌ଆଇଭି ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ଉପଚାର ଥିବା ଆଣ୍ଟିରେଟୋଭାଇରାଲ୍‌ ଥେରାପି(ଏଆର୍‌ଟି)ର ଯୋଗାଣ ଓ ପରିଚାଳନା କୋଭି଼ଡ୍ ସଂକ୍ରମଣ ବେଳେ ଭୀଷଣ ଭାବରେ ପ୍ରଭାବିତ ହୋଇଛି। ସେହିପରି ଟିବି କ୍ଷେତ୍ରରେ ସମୟୋପଯୋଗୀ ରୋଗ ବିଶ୍ଳେଷଣ ଓ ନୂତନ ରୋଗୀ ଚିହ୍ନଟ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଅନୁରୂପ ଭାବେ ମ୍ୟାଲେରିଆ ପାଇଁ ମଧ୍ୟ ନିୟମିତ ଜାରି ରହିଥିବା ତିନି ବର୍ଷିଆ ଯୋଜନା ବାଟ ହୁଡ଼ିବାକୁ ବାଧ୍ୟ ହୋଇଛି। ସୁତରାଂ ଆଗକୁ ଏହି ସବୁ ରୋଗରେ ପୀଡ଼ିତଙ୍କ ମୃତ୍ୟୁହାର କଳ୍ପନାତୀତ ଭାବେ ବଢ଼ିଯିବ ବୋଲି ହାଲେଟ୍ ଟିପ୍ପଣୀ କରିଛନ୍ତି।

ସମ୍ବନ୍ଧିତ ଖବର