କ୍ୟାଡର୍‌ମାନଙ୍କୁ ଉତ୍ସାହ ଦେବାକୁ ସାମାଜିକ ଗଣମାଧ୍ୟମରେ ଅଡିଓ ରିଲିଜ୍‌ କଲେ ହିଜ୍‌ବୁଲ୍‌ କମାଣ୍ଡର୍‌

ନୂଆଦିଲ୍ଲୀ: ଶନିବାର ଦିନ ହିଜ୍‌ବୁଲ୍‌ ମୁଜାହିଦୀନ୍‌ର ମୁଖ୍ୟ କମାଣ୍ଡର୍‌ ରିୟାଜ୍‌ ନାଇକୁ ଏକ ନୂଆ ଅଡିଓ ରିଲିଜ୍‌ କରିଛନ୍ତି। ୧୬ ମିନିଟ୍‌ ଅବଧିର ଏହି ନୂତନ ଅଡିଓ ଟେପ୍‌ରେ ନାଇକୁ କହିଛନ୍ତି ଯେ ଭାରତୀୟ ନିରାପତ୍ତା ବଳ ବିରୋଧରେ କରାଯାଉଥିବା ଲଢ଼େଇ ଉପରେ ଧାରା ୩୭୦ ଉଚ୍ଛେଦ କୌଣସି ପ୍ରଭାବ ପକାଇବ ନାହିଁ।

ନିକଟରେ ନଜର ବନ୍ଦୀରୁ ମୁକ୍ତ ହୋଇଥିବା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦ୍ଦୁଲ୍ଲା ଏବଂ ଓମାର ଅବ୍‌ଦୁଲ୍ଲା ଓ ମେହବୁବା ମୁଫ୍‌ତିଙ୍କ ପ୍ରସଙ୍ଗ ମଧ୍ୟ ନାଇକୁ ଉଠାଇଛନ୍ତି। ସେ କହିଛନ୍ତି ଭାରତ ସରକାର ଏହି ରାଜନେତାମାନଙ୍କୁ କାମରେ ଲଗାଇବା ପରେ ଫିଙ୍ଗି ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ବିଶ୍ୱ କଶ୍ମୀରର ଅଗ୍ରଗତି ଦେଖୁଛି। ଯୁକ୍ତରାଷ୍ଟ୍ର ଆମେରିକାର ସୈନ୍ୟ ଆଫଗାନିସ୍ତାନ ଛାଡ଼ିବା ପରି ଭାରତୀୟ ସେନା କଶ୍ମୀର ଛାଡ଼ିବେ।

Image Source: India Today

ଅଡିଓ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ନିରାପତ୍ତା କର୍ତ୍ତୃପକ୍ଷ କହିଛନ୍ତି ଯେ ଏହା ଭିଡିଓ ପରି ଏତେ ପ୍ରଭାବଶାଳୀ ନୁହେଁ। ସେ ଆହୁରି କହିଛନ୍ତି ଯେ ଏ ଭଳି ସମସ୍ୟା ଲାଗି ରହିଲେ ପରିସ୍ଥିତିର ସମୀକ୍ଷା କରାଯାଇ ପୁଣି ସାମାଜିକ ଗଣମାଧ୍ୟମ ବନ୍ଦ କରାଯିବ।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ପ୍ରାୟ ୭ ମାସ ଧରି କଶ୍ମୀର ଉପତ୍ୟକାରେ ସାମାଜିକ ଗଣମାଧ୍ୟମ ଉପରେ ନିଷେଧାଦେଶ ଜାରି ହୋଇଥିଲା। ଧାରା ୩୭୦ ଉଚ୍ଛେଦ ହେବା ପରେ ଏହା ହେଉଛି ହିଜ୍‌ବୁଲ୍‌ର ପ୍ରଥମ ଅଡିଓ କ୍ଲିପ୍‌।

ସମ୍ବନ୍ଧିତ ଖବର