ଶ୍ରୀନଗର: ଆସନ୍ତା ମାସରେ ଜମ୍ମୁ କଶ୍ମୀରରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଆଶାୟୀ ପ୍ରାର୍ଥୀଙ୍କ ଉଦ୍ଦେଶ୍ୟରେ ଜଣେ ହିଜବୁଲ୍ କମାଣ୍ଡର ଅଡିଓ କ୍ଲିପ୍ ମାଧ୍ୟମରେ ଦେଇଥିବା ଧମକ ଆତଙ୍କ ଖେଳାଇଦେଇଛି। ଯେଉଁମାନେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ସେମାନଙ୍କ ଆଖିରେ ଏସିଡ୍ ପକାଇ ଅନ୍ଧ କରିଦିଆଯିବ ବୋଲି ହିଜବୁଲ ମୁଜାହିଦ୍ଦିନ ଅପରେସନାଲ କମାଣ୍ଡର ରିୟାଜ ନାଇକୋ ଧମକ ଦେଇଛି। ପରିଣତି ସ୍ୱରୂପ ପ୍ରତିଦ୍ୱନ୍ଦ୍ୱୀମାନେ ସେମାନଙ୍କ ପରିବାର ଲାଗି ବୋଝ ହେବେ ବୋଲି ସେ ଚେତାବନୀ ଦେଇଛି। ୨୦୧୬ ମସିହା ପେଲେଟ୍ ଗୁଳିରେ ଅନେକ କଶ୍ମୀର ଯୁବକଙ୍କର ଦୃଷ୍ଟିଶକ୍ତି ନଷ୍ଟ ହୋଇଥିଲା। ଠିକ୍ ସେହିପରି ପଞ୍ଚାୟତ ନିର୍ବାଚନରେ ନେତାମାନଙ୍କ ଅବସ୍ଥା ସେପରି ହେବ ବୋଲି ସେ କହିଛି। ଏ ଥର ନିର୍ବାଚନରେ କୌଣସି ଆଶାୟୀକୁ ହତ୍ୟା କରାନଯାଇ ସେମାନଙ୍କ ଘରକୁ ଯାଇ ସେମାନଙ୍କ ଆଖିରେ କେଇ ବୁନ୍ଦା ଏସିଡ୍ ପକାଇ ଦିଆଯିବ ବୋଲି ସେ କହିଛି।