ଟେରର୍‌-ଫଣ୍ଡିଙ୍ଗ୍‌ ମାମଲାରେ ହିଜ୍‌ବୁଲ୍‌ ମୁଜାହିଦୀନ୍‌ ମୁଖ୍ୟଙ୍କ ପୁଅ ଶକୀଲ୍‌ ଗିରଫ

ଶ୍ରୀନଗର: ଟେରର୍‌ ଫଣ୍ଡିଙ୍ଗ୍‌ ମାମଲାରେ ହିଜ୍‌ବୁଲ୍‌ ମୁଜାହିଦୀନ୍‌ର ମୁଖ୍ୟ ସୟେଦ୍‌ ସଲାଉଦ୍ଦିନ୍‌ଙ୍କ ପୁଅ ଶକୀଲ୍‌ଙ୍କୁ ଗୁରୁବାର ସକାଳେ ଶ୍ରୀନଗର ଠାରେ ଗିରଫ କରାଯାଇଥିବା କଥା ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସିର (ଏନ୍‌ଆଇଏ) ଜଣେ ମୁଖପାତ୍ର କହିଛନ୍ତି।

ସୌରାସ୍ଥିତ ଶେର୍‌-ଏ-କଶ୍ମୀର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ରେ ଜଣେ ଟେକ୍ନିସିଆନ୍‌ ଭାବେ ଶକୀଲ୍‌ କାର୍ଯ୍ୟ କରନ୍ତି।
ଢେଲାଫିଙ୍ଗା ସହ ଉପତ୍ୟକାରେ ହିଂସା ପାଇଁ ଇନ୍ଧନ ଯୋଗାଇବା ନିମନ୍ତେ ଲସ୍କର୍‌-ଏ-ତୈବାର ପୃଷ୍ଠପୋଷକ ମହମ୍ମଦ ସଇଦଙ୍କ ଠାରୁ ପାଣ୍ଠି ପାଉଥିବା ସନ୍ଦେହରେ ବିଚ୍ଛିନ୍ନତାବାଦୀ ଦଳର ସଂଗଠନ ‘ଅଲ୍‌ ପାର୍ଟିଜ୍‌ ହୁରିୟାତ୍‌ କନ୍‌ଫରେନ୍‌ସ୍‌’ ଏବଂ ତିନୋଟି ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦୀନ୍‌, ଲସ୍କର୍‌-ଏ-ତୈବା ଓ ଦୁଖତାର୍‌ନ୍‌-ଏ- ମିଲାତର ନେତା ଓ ସଦସ୍ୟ ବିରୋଧରେ ମେ ୨୦୧୭ରେ ଏନ୍‌ଆଇଏ ତଦନ୍ତ ଆରମ୍ଭ କରିଥିଲା।

ଏ ବର୍ଷ ଜାନୁଆରି ମାସରେ ଏଜେନ୍‌ସି ସାତଟି ମଧ୍ୟମ ପାହ୍ୟାର ବିଚ୍ଛିନ୍ନତାବାଦୀ- ହୁରିୟାତ୍‌ କଠୋରପନ୍ଥୀ ସୟେଦ୍‌ ଅଲି ଶାହା ଗୀଲାନିଙ୍କ ଜ୍ୱାଇଁ ଅଲତଫ୍‌ ଅହମଦ୍‌ ଶାହା, ହୁରିୟାତ୍‌ (ମିରେଓ୍ଵଜ୍‌ ଉମାର ଫାରୁକ ଗୋଷ୍ଠୀ) ଗଣମାଧ୍ୟମ ଉପଦେଷ୍ଟା ଏବଂ ରଣନୀତିକାରୀ ଅଫ୍‌ତାବ ଅହମଦ ଶାହା, ଫାରୁକ୍‌ ଅହମଦ୍‌ ଦର ଓ ବିଟ୍ଟା କରାଟେ, ପ୍ରମୁଖ କଶ୍ମୀରୀ ବ୍ୟବସାୟୀ ଜହୂର ଅହମଦ ଶାହା ଓ୍ଵାଟାଲି, ଆତଙ୍କବାଦୀ ନେତା ହାଫିଜ୍‌ ମହମ୍ମଦ ସଇଦ୍‌ ଏବଂ ସୟେଦ୍‌ ସଲାହୁଦ୍ଦିନ୍‌ଙ୍କୁ ଚାର୍ଜ କରିଥିଲା। ଏହି ମାମଲାରେ ଏନ୍‌ଆଇଏ ଗୀଲାନି, ମିର୍‌େଓ୍ଵଜ୍‌ ଉମର ଫାରୂକ କିଂବା ଅନ୍ୟ କୌଣସି ଶୀର୍ଷସ୍ତରୀୟ ବିଚ୍ଛିନ୍ନତାବାଦୀ ନେତାଙ୍କୁ ପ୍ରଶ୍ନ ପଚାରି ନାହିଁ।

ସେମାନଙ୍କ ମଧ୍ୟରୁ ଅଲ୍‌ତାଫ୍‌ ଅହମଦ୍‌ ଶାହା, ଅଫତାଫ୍‌ ଅହମଦ୍‌ ଶାହା, ରାଜା ମେହେରାଜଉଦ୍ଦିନ୍‌ କଲ୍‌ଓ୍ଵାଲ୍‌ ଏବଂ ବଶିର ଅହମଦ୍‌ ଭଟ ଓରଫ୍‌ ପୀର ସୈଫୁଲାଙ୍କୁ ଜୁଲାଇ ୨୦୧୭ରେ ଗିରଫ କରାଯାଇ ଜେଲ୍‌ରେ ରଖାଯାଇଥିଲେ। ଓ୍ଵାତାଲିଙ୍କୁ ଅଗଷ୍ଟ ମାସରେ ଗିରଫ କରାଯାଇଥିଲା ଏବଂ ଦୁଇ ଅଭିଯୁକ୍ତ ଢେଲାଫିଙ୍ଗାଳି କମ୍ରାନ୍‌ ଏବଂ ଜାେଓ୍ଵଦ୍‌ ଅହମଦ୍‌ ଭଟଙ୍କୁ ସେପ୍ଟେମ୍ବର ମାସରେ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର