‘ପାଟି ବନ୍ଦ ରଖନ୍ତୁ’: ନିର୍ବାଚନ କମିଶନର ନିଯୁକ୍ତି ମାମଲାର ଶୁଣାଣି ସମୟରେ ବରିଷ୍ଠ ଆଡଭୋକେଟ୍‌ ପ୍ରଶାନ୍ତ ଭୂଷଣଙ୍କୁ କହିଲେ ଆଟର୍ଣ୍ଣି ଜେନେରାଲ

ନୂଆଦିଲ୍ଲୀ: ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ଭାବେ କେନ୍ଦ୍ର ସରକାର ତରବରିଆ ଭାବେ ନିଯୁକ୍ତି ଦେବା ଘଟଣାକୁ ଚ୍ୟାଲେଞ୍ଜ କରି ଆଗତ ମାମଲାର ଶୁଣାଣି ଆଜି ସୁପ୍ରିମ୍‌ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠରେ ଚାଲିଥିବା ବେଳେ ଆଟର୍ଣ୍ଣି ଜେନେରାଲ ବରିଷ୍ଠ ଆଡଭୋକେଟ୍‌ ପ୍ରଶାନ୍ତ ଭୂଷଣଙ୍କୁ ‘ପାଟି ବନ୍ଦ ରଖନ୍ତୁ’ ବୋଲି କହିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ରିପୋର୍ଟରୁ ପ୍ରକାଶ, ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ କେ ଏମ୍ ଜୋସେଫଙ୍କ ନେତୃତ୍ୱରେ ଏକ ପାଞ୍ଚଜଣିଆ ସମ୍ବିଧାନ ବେଞ୍ଚ ଅରୁଣ ଗୋଏଲଙ୍କ ନିର୍ବାଚନ କମିଶନର ଭାବରେ ନିଯୁକ୍ତି ସମ୍ବନ୍ଧୀୟ କେନ୍ଦ୍ରର ମୂଳ ଫାଇଲକୁ ଅନୁଧ୍ୟାନ କରିଥିଲେ। ପରେ ଏହି ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମତ ରଖୁଥିଲେ ଆଟର୍ଣ୍ଣି ଜେନେରାଲ୍। ଏହି ସମୟରେ ଆଇନଜୀବୀ ପ୍ରଶାନ୍ତ ଭୂଷଣ ବେଞ୍ଚ ସମ୍ମୁଖରେ ନିଜର ଯୁକ୍ତି ଉପସ୍ଥାପନ କରିବା ଲାଗି ଉଦ୍ୟମ କରୁଥିବା ବେଳେ କେନ୍ଦ୍ର ସରକାରଙ୍କର ଶୀର୍ଷତମ ଆଇନ ଅଧିକାରୀ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ ଆଡ଼ଭୋକେଟ ଭୂଷଣଙ୍କୁ ବାଧା ଦେବାକୁ ଯାଇ କହିଥିଲେ, ‘ଦୟାକରି କିଛି ସମୟ ପାଇଁ ପାଟି ବନ୍ଦ ରଖନ୍ତୁ’! ପରେ ଆଟର୍ଣ୍ଣି ଜେନେରାଲ ଭେଙ୍କଟରମଣୀ ଖଣ୍ଡପୀଠଙ୍କୁ କହଥିଲେ ଯେ ଗୋଏଲଙ୍କ ନିଯୁକ୍ତି ସମ୍ବନ୍ଧୀୟ ସମଗ୍ର ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ଭାବରେ ଅନୁଧ୍ୟାନ କରାଯିବ।

ଉଲ୍ଲେଖଯୋଗ୍ୟ, ସରକାରଙ୍କ କଥାରେ ‘ହଁ’ ମାରୁଥିବା ବ୍ୟକ୍ତି ନିର୍ବାଚନ କମିଶନ ନହେବା ଉଚିତ ବୋଲି ବୁଧବାର ଦିନ ସୁପ୍ରିମ୍‌ କହିଥିଲେ। ଆଜି ଏହି ନିଯୁକ୍ତି ସଂକ୍ରାନ୍ତରେ ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଦର୍ଶାଇଥିଲେ, ସଂକ୍ଷିପ୍ତ ତାଲିକାରେ ଥିବା ୪ଜଣଙ୍କ ମଧ୍ୟରୁ ଆଇନ ମନ୍ତ୍ରୀ ଜଣଙ୍କୁ ଚୟନ କରିଛନ୍ତି। ନଭେମ୍ବର ୧୮ ତାରିଖରେ ପ୍ରସ୍ତୁତ କରାଯାଇଥିବା ଫାଇଲ୍‌ ସେହି ଦିନ ହିଁ ଆଗତ କରାଯାଇଛି। ପ୍ରଧାନମନ୍ତ୍ରୀ ବି ସେହିଦିନ ତାଙ୍କ ନାଁକୁ ସୁପାରିସ କରିଛନ୍ତି। ଆମେ ଏ ସଂକ୍ରାନ୍ତରେ ବିବାଦ କରିବାକୁ ଚାହୁଁନାହୁଁ। କିନ୍ତୁ, ଏତେ ତରବରିଆ ଭାବେ ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ଦେବା କ’ଣ ଆବଶ୍ୟକ ପଡ଼ିଲା? ବୋଲି ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲଙ୍କୁ ପଚାରିଥିଲେ।

ଅଦାଲତ ଆହୁରି ମଧ୍ୟ କହିଛନ୍ତି, ମେ ୧୫ରୁ ନିର୍ବାଚନ କମିଶନର ପଦବୀ ଖାଲି ପଡ଼ିଥିଲା। ମେ ମାସରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଖାଲି ଥିବା ପଦବୀ ପୂରଣ ପାଇଁ ସରକାରଙ୍କୁ ଏତେ ତରବର ହେବାକୁ ପଡ଼ିଲା କାହିଁକି, ଆମକୁ ଜଣାଅ। ପୁଣି, ଏହି ନିଯୁକ୍ତି ପ୍ରକ୍ରିୟା ଗୋଟିଏ ଦିନରେ ଆରମ୍ଭ ହୋଇ ଗୋଟିଏ ଦିନରେ ଶେଷ ହୋଇଗଲା। ପ୍ରକ୍ରିୟା ସମ୍ପନ୍ନ ହୋଇ ବିଜ୍ଞପ୍ତି ପ୍ରକାଶ ପାଇବାକୁ ୨୪ଘଣ୍ଟା ବି ଲାଗିଲା ନାହିଁ! ଏ କ୍ଷେତ୍ରରେ କେଉଁ ପ୍ରକାର ମୂଲ୍ୟାୟନ କରାଗଲା କି? ଆମେ ଅରୁଣ ଗୋଏଲ୍‌ଙ୍କ ଯୋଗ୍ୟତା ଉପରେ ସନ୍ଦେହ କରୁନାହୁଁ, ତାଙ୍କ ନିଯୁକ୍ତି ପ୍ରକ୍ରିୟା ଉପରେ ସନ୍ଦେହ କରୁଛୁ ବୋଲି କହିଛନ୍ତି ଖଣ୍ଡପୀଠ।

ସମ୍ବନ୍ଧିତ ଖବର