ହୋଲିକା ଦହନରେ ଜଳା ଯିବା ‘କରୋନାସୁର’ର ପୁତ୍ତଳିକା

ମୁମ୍ବାଇ: ସୋମବାର ଦିନ କେରଳ ଏବଂ ଜମ୍ମୁରେ ଦୁଇ ଜଣଙ୍କର ରକ୍ତ ନମୁନା ପଜିଟିଭ୍‌ ଆସିବା ପରେ ସମଗ୍ର ଭାରତରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୩ରେ ପହଞ୍ଚିଛି। ଏସବୁକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଶନିବାର କରୋନାଭାଇରସକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିର ସମୀକ୍ଷା କରି ଅଧିକାରୀଙ୍କୁ କରୋନା ସନ୍ଦିଗ୍ଧଙ୍କୁ ପୃଥକ ରଖିବା ସହିତ ସେମାନଙ୍କ ଉଚିତ ଚିକିତ୍ସା କରିବାକୁ କହିଛନ୍ତି।

ଏହି କରୋନାଭାଇରସ୍‌ ଭୟରେ ଲୋକମାନେ ଚଳିତବର୍ଷ ହୋଲି ଖେଳିବାରୁ ନିଜକୁ ଦୂରେଇ ରଖିଛନ୍ତି। ଏବେ ସାରା ବିଶ୍ୱ ପାଇଁ କରୋନାଭାଇରସ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ ହୋଲିକା ଦହନ ମାଧ୍ୟମରେ ଏହାକୁ ଦୂରେଇ ଦେଇ ହେବ ବୋଲି କେହି କେହି ମତ ରଖିଛନ୍ତି। ଏହାକୁ ନେଇ ମୁମ୍ବାଇରେ ଏକ ନିଆରା ଢ଼ଙ୍ଗରେ ହୋଲିକା ଦହନ ପର୍ବ ପାଳନ କରାଯାଉଛି।

ସୋମବାର ମୁୁମ୍ବାଇରେ ହୋଲିକା ଦହନ ପାଳନ କରାଯାଉଥିବା ବେଳେ ଏହାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମୁମ୍ବାଇର ୱର୍ଲିରେ କରୋନା ଭାଇରସ ଥିମ୍‌କୁ ନେଇ ‘କରୋନାସୁର’ର ପୁତ୍ତଳିକା ତିଆରି କରାଯାଇଛି। ହୋଲିକା ଦହନ ଅବସରରେ ଏହାକୁ ଜଳା ଯିବ। ଏହି ‘କରୋନାସୁର’ର ପୁତ୍ତଳିକାରେ କୋଭିଡ-୧୯ ଲେଖା ଯାଇଥିବା ବେଳେ ସେ ଏକ ସୁଟକେସ୍‌ ଧରିଥିବା ଦେଖିବାକୁ ମିଳିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ର ଅଧିକାରୀଙ୍କ ଆକଳନ ଅନୁସାରେ, ପୃଥିବୀରେ ସଂପ୍ରତି କରୋନାଭାଇରସ୍‌  ଦ୍ବାରା ନୂତନ ସଂକ୍ରମଣ ସଂଖ୍ୟା ୨,୨୪୧ ଥିବା ଜଣାପଡ଼ିଛି। ଏହାକୁ ମିଶାଇଲେ ବିଶ୍ବରେ ସର୍ବମୋଟ ମାରାତ୍ମକ କରୋନାଭାଇରସ୍‌ରେ ସଂକ୍ରମଣ ସଂଖ୍ୟା ୯୫,୩୩୩ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର