ହରିଦ୍ବାରରେ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କ ଅସ୍ଥି ଓ ଚିତାଭସ୍ମ ବିସର୍ଜନ

ହରିଦ୍ବାର : ଆଜି ପୂର୍ବାହ୍ଣ ସାଢ଼େ ୮ଟା ସମୟରେ ହରିଦ୍ବାରଠାରେ ସତ୍‌ସଙ୍ଗର ପୂର୍ବତନ ଆଚାର୍ଯ୍ୟଦେବ ଶ୍ରୀଶ୍ରୀଦାଦା (ଶ୍ରୀଶ୍ରୀଅଶୋକ ଚକ୍ରବର୍ତ୍ତୀ)ଙ୍କ ପବିତ୍ର ଅସ୍ଥି ଓ ଚିତାଭସ୍ମ ବିସର୍ଜନ ତାଙ୍କର କନିଷ୍ଠାତ୍ମଜ ପୂଜନୀୟ ଅନିନ୍ଦ୍ୟଦ୍ୟୁତି ଚକ୍ରବର୍ତ୍ତୀ (ପୂଜନୀୟ ବିଙ୍କିଦା)ଙ୍କ ଦ୍ବାରା ସ୍ଥାନୀୟ ଓ ବହିରାଗତ ସହସ୍ରାଧିକ ଭକ୍ତବୃନ୍ଦଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ସକାଳେ ଶ୍ରୀଶ୍ରୀଦାଦାଙ୍କ ଅସ୍ଥି ଓ ଚିତାଭସ୍ମ ଧରି ପୂଜନୀୟ ବିଙ୍କିଦା’ ହଜାର ହଜାର ସତସଙ୍ଗୀଙ୍କ ଗହଣରେ ହରିଦ୍ବାର ହର କି ପୌଡ଼ିଠାରେ ପହଞ୍ଚିଥିଲେ। ଏହାପରେ ବୈଦିକ କର୍ମକାଣ୍ଡ ଅନୁସାରେ ଗଙ୍ଗା ନଦୀକୂଳରେ ଶ୍ରାଦ୍ଧକର୍ମାଦି କରାଯାଇଥିଲା। ତତ୍ପରେ ଶ୍ରୀଶ୍ରୀଦାଦାଙ୍କ ଚିତାଭସ୍ମ ବୈଦିକ ମନ୍ତ୍ରୋଚ୍ଚାରଣ ଓ  ‘ବନ୍ଦେ ପୁରୁ‌ଷୋତ୍ତମମ୍’ ଧ୍ବନି ମଧ୍ୟରେ ଗଙ୍ଗାନଦୀର ବ୍ରହ୍ମକୁଣ୍ଡରେ ବିସର୍ଜନ କରାଯାଇଥିଲା। ଭାରତ ସେବାଶ୍ରମ ସଂଘର ସ୍ବୀକୃତିପ୍ରାପ୍ତ ପୁରୋହିତ ଅଭିନବ ଶାସ୍ତ୍ରୀ ଓ ଅଭିନବ ସିଦ୍ଧାର୍ଥ ଶାସ୍ତ୍ରୀ  ବିସର୍ଜନ ପୂଜାବିଧି ସମାପନ କରିଥିଲେ।

ପୂଜନୀୟ ବିଙ୍କିଦା ସପାର୍ଶଦ ଶ୍ରୀଶ୍ରୀଦାଦାଙ୍କ ଅସ୍ଥିକଳସ ସହ ବୁଧବାର ସକାଳ ସାଢ଼େ ୬ଟାରେ ଦେଓଘରୁ ବାହାରି ସନ୍ଧ୍ୟାରେ ଲକ୍ଷ୍ନୌରେ ପହଞ୍ଚିଥିଲେ। ଲକ୍ଷ୍ନୌ ସତ୍‌ସଙ୍ଗ ଠାକୁରବାଡ଼ିରେ ରାତ୍ରିଯାପନ କରି ଗୁରୁବାର ସକାଳେ ଡେରାଡୁନ୍ ଯାତ୍ରା କରିଥିଲେ। ଡେରାଡୁନ୍ ସତ୍‌ସଙ୍ଗ କେନ୍ଦ୍ରରେ ସନ୍ଧ୍ୟା ପୂର୍ବରୁ ପହଞ୍ଚିଥିଲେ ଏବଂ ସନ୍ଧ୍ୟାରେ ଆୟୋଜିତ କର୍ମୀ ସମ୍ମିଳନୀରେ ଉଦ୍‌ବୋଧନ ଦେଇଥିଲେ। ସେଠାରେ ରାତ୍ରି ରହଣି କରି ଶୁକ୍ରବାର ସକାଳେ ହରିଦ୍ବାର ଅଭିମୁଖେ ଯାତ୍ରା କରିଥିଲେ। ଏହାପରେ ବ୍ୟାସଗାଦି, ପ୍ରୟାଗରାଜ, ବାରାଣସୀ, କାବେରୀ, ସାଗରସଙ୍ଗମ, କନ୍ୟାକୁମାରୀ, ନର୍ମଦା, ଗୋଦାବରୀ, ଦ୍ବାରିକା, ପୁରୀ ମହୋଦଧି, ସିନ୍ଧୁନଦୀ, ବ୍ରହ୍ମପୁତ୍ର, ବାଂଲାଦେଶର ପାବନାସ୍ଥିତ ପଦ୍ମାନଦୀରେ ଚିତାଭସ୍ମ ବିସର୍ଜନ କାର୍ଯ୍ୟକ୍ରମ ରହିଛି।

ଏହି କାର୍ଯ୍ୟକ୍ରମରେ ଦେଓଘର ସତସଙ୍ଗ ଆଶ୍ରମରୁ ଆଗତ ବିଶ୍ବଜିତ୍ ଚୌଧୁରୀ, ଗୌରକୃଷ୍ଣ ନାୟକ, କମଲ ଚକ୍ରବର୍ତ୍ତୀ, ରମଣ ଶ୍ରୀବାସ୍ତବ, ଦୀପ୍ତି କୁମାର ସାହା, ବିଶ୍ବଜିତ୍ କର୍ମକାର (ରନି), ରାମ କିଙ୍କର ସିଂହ ଓ ନୂଆଦିଲ୍ଲୀରୁ ଆଗତ ମହେଶ୍ବର ଦାସ, ଡା.ଜ୍ୟୋତିର୍ମୟ ପତି, ଗୌରାଙ୍ଗ ଦଳାଇ, ଏଲ.ବି.ଝା, ହରିଦ୍ବାରରୁ ହରିଶଙ୍କର ଶର୍ମା, ଡ.ଦିଲ୍ଲୀପ କର, ସୁବ୍ରତ ଦତ୍ତ,  ଓଡ଼ିଶାରୁ ଆଗତ ହିମାଂଶୁ ଭୂଷଣ ସାହୁ, ଦୋଳଗୋବିନ୍ଦ ପଣ୍ଡା, ଲଳିତ ନାରାୟଣ ଓଝା , ସୁବ୍ରତ ବିଶ୍ବାଳ, ଦୁଷ୍ମନ୍ତ ବେହେରା, ଅବିନାଶ ଦାସ, ପରମାନନ୍ଦ ସାମଲ,ଲକ୍ଷ୍ନୌରୁ ଆଗତ କୃତିକୁମାର ଗାଙ୍ଗୁଲି, ଅଜୟ କିଶୋର ମହାନ୍ତ, ପଙ୍କଜ ପାଣ୍ଡେ, ଡେରାଡୁନରୁ ଆଗତ ଏସ୍ ବାହାଦୁର ଆଲେ, ଗୁରୁଦେବନ ମିତ୍ର, ଆନନ୍ଦ ସିଂ, ସିଲଂରୁ ଆଗତ ଆମୋଦ ଯୋଶୀ ଓ ନେପାଳର ଲୁମ୍ବିନୀରୁ ଆଗତ ଧନରାଜ ଭଟ୍ଟାରି ପ୍ରମୁଖ ସତସଙ୍ଗର କର୍ମୀ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର