ସ୍ବାସ୍ଥ୍ୟ ମନ୍ତ୍ରାଳୟର ସଂଶୋଧିତ ଗାଇଡ୍‌ଲାଇନ୍: ୧୭ ଦିନରେ ହୋମ୍‌ କ୍ବାରେଣ୍ଟିନ୍ ଶେଷ ହୋଇପାରିବ

ନୂଆଦିଲ୍ଲୀ: ଗୃହ ଏକାନ୍ତବାସରେ ଥିବା ରୋଗୀମାନେ ୧୭ ଦିନ ପରେ କ୍ବାରେଣ୍ଟିନ୍ ଶେଷ କରିପାରିବେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏକ ସଂଶୋଧିତ ଗାଇଡ୍‌ଲାଇନ୍‌ରେ କହିଛି। କନ୍ତୁ, ଲକ୍ଷଣ ପ୍ରକାଶ ପାଇବାର ୧୦ ଦିନ ମଧ୍ୟରେ ସମ୍ପୃକ୍ତ ରୋଗୀଙ୍କୁ ଜ୍ବର ନ ହୋଇଥିବା ଆବଶ୍ୟକ। ରବିବାର ଦିନ ଜାରି ହୋଇଥିବା ଏହି ସଂଶୋଧିତ ଗାଇଡ୍‌ଲାଇନ୍ ଅନୁସାରେ, ଗୃହ ଏକାନ୍ତବାସ ଶେଷ ହେବା ପରେ ସାମାନ୍ୟ କରୋନାଭାଇରସ୍ ଲକ୍ଷଣ ଥିବା ରୋଗୀମାନଙ୍କୁ ଆଉ ନମୁନା ପରୀକ୍ଷା କରାଇବାକୁ ପଡ଼ିବନାହିଁ।

ଏଠାରେ ପ୍ରକାଶଯୋଗ୍ୟ ଯେ, ଏପ୍ରିଲ୍ ୨୭ ତାରିଖ ଦିନ ଗୃହ ମନ୍ତ୍ରାଳୟ ଜାରି କରିଥିବା ଗାଇଡ୍‌ଲାଇନ୍ ଅନୁସାରେ, ରୋଗୀ ସଂକ୍ରମଣ ମୁକ୍ତ ବୋଲି ସର୍ଭିଲେନ୍‌ସ୍ ମେଡିକାଲ୍ ଅଫିସର୍ ‌ସାର୍ଟିଫିକେଟ୍ ଦେବା ପରେ ଯାଇ ଗୃହ ଏକାନ୍ତବାସ ଶେଷ ହେଉଥିଲା।

Image Source: The Sun

ଯଦି ଘରେ ଉପଯୁକ୍ତ ଆତ୍ମ-ଏକାନ୍ତବାସର ସୁବିଧା ଅଛି ଓ ରୋଗୀଙ୍କର ଯତ୍ନ ନେବାକୁ ଲୋକ ଅଛନ୍ତି, ତେବେ ସାମାନ୍ୟ କିଂବା ପ୍ରାକ୍ ଲକ୍ଷଣ ଥିବା କରୋନାଭାଇରସ୍ ଆକ୍ରାନ୍ତ ରୋଗୀମାନେ ଘରେ ରହିପାରିବେ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଛି। ଏହାଛଡ଼ା ଗୃହ-ଏକାନ୍ତବାସରେ ଥିବା ରୋଗୀ ନିଜର ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଜିଲ୍ଲା ସର୍ଭିଲେନ୍ସ ଅଧିକାରୀଙ୍କୁ ନିୟମିତ ସୂଚନା ଦେବେ। ଘରେ ତାଙ୍କର ତତ୍ତ୍ବ ନେଉଥିବା ଓ ସଂସ୍ପର୍ଶରେ ଆସୁଥିବା ସଦସ୍ୟମାନେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଏବଂ ଡାକ୍ତର ପ୍ରେସ୍କ୍ରାଇବ୍ କରିଥିବା ଅନ୍ୟାନ୍ୟ ଔଷଧ ଖାଇବେ।

ଏହାଛଡ଼ା, ମୋବାଇଲ୍‌ରେ ଆରୋଗ୍ୟ ସେତୁ ଡାଉନ୍ ଲୋଡ୍ କରି ବ୍ଲୁଟୁଥ୍ ଓ ୱାଇ-ଫାଇ ମାଧ୍ୟରେ ମୋବାଇଲ୍‌କୁ ସବର୍ଦା ସକ୍ରିୟ ରଖିବାକୁ ଏହି ଗାଇଡ୍‌ଲାଇନ୍‌ରେ ଆହ୍ବାନ ଦିଆଯାଇଛି।

ସମ୍ବନ୍ଧିତ ଖବର