ଆସନ୍ତା ସପ୍ତାହରେ ଦୁଇ ଦିନିଆ ଜମ୍ମୁକଶ୍ମୀର ଗସ୍ତରେ ଯିବେ କେନ୍ଦ୍ର ଗୃହମନ୍ତ୍ରୀ

ଶ୍ରୀନଗର: ଆସନ୍ତା ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଗସ୍ତରେ ଜମ୍ମୁକଶ୍ମୀର ଗସ୍ତରେ ଯିବେ | ଧାରା ୩୭୦ ରଦ୍ଦ ହେବା ପରେ ଏହା ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ଵିତୀୟ କଶ୍ମୀର ଗସ୍ତ ହେବ। ଏହାପୂର୍ବରୁ ଶାହା ଗତ ବର୍ଷ ପୁଲୱାମା ଏବଂ ଶ୍ରୀନଗର ଗସ୍ତରେ ଯାଇଥିଲେ | ସୂଚନାନୁସାରେ, ଗୃହମନ୍ତ୍ରୀ ଅମିତ ଶାହା ୩୦ ସେପ୍ଟେମ୍ବରରେ ଜମ୍ମୁରେ ପହଞ୍ଚିବେ। ଅକ୍ଟୋବର ୧ରେ ସେ ରାଜୌରି ଜିଲ୍ଲାରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ। ଏହି ସମୟ ମଧ୍ୟରେ ସେ ନିର୍ବାଚନ ପ୍ରସ୍ତୁତିକୁ ନେଇ ମଧ୍ୟ ସମୀକ୍ଷା କରିବେ । କେନ୍ଦ୍ର ଗୃହମନ୍ତ୍ରୀ ଏହି ସମୟ ମଧ୍ୟରେ ଉତ୍ତର କଶ୍ମୀରର ବାରାମୁଲ୍ଲା ଏବଂ ରାଜୌରିରେ ରାଲି କରିବେ। ଏହି ରାଲିରେ ଅନେକ ବଡ଼ ଘୋଷଣା ମଧ୍ୟ କରାଯାଇପାରେ ବୋଲି କୁହାଯାଉଛି।

ଅକ୍ଟୋବର ୨ ରେ ବାରମୁଲ୍ଲାରେ ଆୟୋଜିତ ହେବାକୁ ଥିବା ଏହି ସମାବେଶରେ କେବଳ ଉତ୍ତର କାଶ୍ମୀରର ଲୋକ ନୁହଁନ୍ତି ବରଂ କଶ୍ମୀରର ବିଭିନ୍ନ ଜିଲ୍ଲାରୁ ମଧ୍ୟ ଲୋକମାନେ ଯୋଗଦେବେ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ ଗୃହମନ୍ତ୍ରୀ, କଶ୍ମୀର ଏବଂ ଏହା ସହିତ ଜମ୍ମୁକଶ୍ମୀରର ବିକାଶ ପାଇଁ କେନ୍ଦ୍ର ସରକାର ଯେଉଁ ସବୁ ଦିଗରେ କାର୍ଯ୍ୟ କରୁଛନ୍ତି ତାହା ବାବଦରେ ମଧ୍ୟ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବେ |

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତରରେ ବିଜେପିର କଶ୍ମୀର ପ୍ରଭାରୀ ସୁନୀଲ ଶର୍ମା କହିଛନ୍ତି ଯେ କଶ୍ମୀରରେ ନିର୍ବାଚନ ଘୋଷଣା କରିବା ଭାରତର ନିର୍ବାଚନ ଆୟୋଗର ଏକମାତ୍ର ଅଧିକାର ଏବଂ ଏଠାରେ ନିର୍ବାଚନ ପାଇଁ ବିଜେପି ସର୍ବଦା ପ୍ରସ୍ତୁତ। ସୁନୀଲ କହିଛନ୍ତି ଯେ ଅମିତ ଶାହାଙ୍କ ଗସ୍ତକୁ ଜମ୍ମୁକଶ୍ମୀରରେ ହେବାକୁ ଥିବା ନିର୍ବାଚନ ସହିତ ଯୋଡିବା ସମ୍ପୂର୍ଣ୍ଣ ଭୁଲ ହେବ, କିନ୍ତୁ ଜମ୍ମୁକଶ୍ମୀରର ବିକାଶ ତଥା ସୁରକ୍ଷା ପାଇଁ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଅମିତ ଶାହା ଦୁଇ ଦିନିଆ ଗସ୍ତ ସମୟରେ ଶ୍ରୀନଗରରେ ଜମ୍ମୁକଶ୍ମୀର ୱାକଫ ବୋର୍ଡ ଦ୍ୱାରା ନିର୍ମିତ କର୍କଟ ହସ୍ପିଟାଲର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ସମ୍ବନ୍ଧିତ ଖବର