ସଂସଦରେ ‘ବଟି ଆଦାୟ’ ତାତି

ନୂଆଦିଲ୍ଲୀ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ମୁମ୍ବାଇର ପୂର୍ବତନ ପୁଲିସ କମିସନର ପରମ ବୀର ସିଂହ ଆଣିଥିବା ବଟି ଆଦାୟ ଅଭିଯୋଗର ପ୍ରତିକ୍ରିୟା ଆଜି ସଂସଦର ଉଭୟ ଗୃହରେ ଦେଖିବାକୁ ମିଳିଛି। ଶାସକ ଦଳର ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଇସ୍ତଫା ସହ ଏପରି ସଙ୍ଗିନ ଅଭିଯୋଗର କେନ୍ଦ୍ରୀୟ ତଦନ୍ତ ଦାବି କରିଥିଲେ। ସେହିପରି ଏତେ ସତ୍ତ୍ବେ ଏନ୍‌ସିପିର ବରିଷ୍ଠ ନେତା ଶ୍ରୀ ଦେଶମୁଖ ତଥାପି ସୁରକ୍ଷିତ କି ବୋଲି ସଭ୍ୟମାନେ ପ୍ରଶ୍ନ କରିଥିଲେ। ଅପରପକ୍ଷେ, ଏଭଳି ଅଭିଯୋଗ କେବଳ ସବୁଠୁ ଦୁର୍ନୀତିଗ୍ରସ୍ତମାନଙ୍କ ଦ୍ବାରା ସମ୍ଭବ ବୋଲି ଶିବସେନା ସଦସ୍ୟମାନେ ବିଜେପିକୁ ଆକ୍ଷେପ କରି କହିଥିଲେ।

ଆଜି ରାଜ୍ୟସଭାରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କ ସମେତ ଅନ୍ୟ ବିଜେପି ସଭ୍ୟମାନେ ଏହି ପ୍ରସଙ୍ଗ ଉଠାଇବାକୁ ଅଡ଼ି ବସିଥିଲେ, ମାତ୍ର ଏ ସମ୍ପର୍କରେ କୌଣସି ବିବୃତି ଦେବାକୁ ଅଧ୍ୟକ୍ଷ ଅନୁମତି ଦେଇନଥିଲେ। ତେବେ ଏହାକୁ କେନ୍ଦ୍ର କରି ପ୍ରବଳ ପାଟିତୁଣ୍ଡ ଭିତରେ ଗୃହକୁ ଅପରାହ୍ଣ ୨ଟା ଯାଏ ମୁଲତବୀ ରଖାଯାଇଥିଲା। ସେହିପରି ଲୋକସଭାରେ ଏହି ପ୍ରସଙ୍ଗକୁ ଜବଲପୁରର ବିଜେପି ସଂସଦ ରାକେଶ ସିଂହ ଉଠାଇ ମହାରାଷ୍ଟ୍ରରେ ଏକ ବି ମେଣ୍ଟ ସରକାର ଚାଲିଛି ବୋଲି କହିଥିଲେ। ରାଜ୍ୟର ଗୃହମନ୍ତ୍ରୀଙ୍କୁ ସୁରକ୍ଷା ଦେବାର କାରଣ କ’ଣ ବୋଲି ସେ ପଚାରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଓ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଅଭିଯୋଗର ତଦନ୍ତ ଦାବି କରିଥିଲେ। ତେବେ କହିବାର ସୁଯୋଗ ଦିଆଯାଉନଥିବା ଅଭିଯୋଗ ଆଣି ଶିବସେନାର ସମସ୍ତ ସଦସ୍ୟ ଗୃହତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର