ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ହୋଇଥିବା ଭୁଲ ପାଇଁ ଅମିତ ଶାହ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଦାୟୀ କରିବାର ଗୋଟିଏ ଦିନ ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି ଯେ ଗୃହମନ୍ତ୍ରୀଙ୍କର ଇତିହାସକୁ ପୁନର୍ଲିଖିତ (ବିକୃତ) କରିବାର ଅଭ୍ୟାସ ରହିଛି।
ପଣ୍ଡିତ ନେହରୁ ଭାରତ ପାଇଁ ଜୀବନ ଦେଇଥିଲେ, ସେ ବର୍ଷ ବର୍ଷ ଧରି ଜେଲରେ ଥିଲେ। ଅମିତ ଶାହ ଇତିହାସ ବିଷୟରେ ଅଜ୍ଞ। ବରଂ ତାଙ୍କର ଏହାକୁ ପୁନର୍ଲିଖିତ କରିବାର ଅଭ୍ୟାସ ଅଛି ବୋଲି ରାହୁଲ ଗାନ୍ଧି ଆଜି ସଂସଦ ବାହାରେ ସାମ୍ବାଦିକମାନଙ୍କୁ କହିଛନ୍ତି। ନେହରୁଙ୍କ ନାତି ରାହୁଲ କହିଛନ୍ତି, ଏହା କେବଳ ବାସ୍ତବ ପ୍ରସଙ୍ଗରୁ ଲୋକଙ୍କୁ ବିଭ୍ରାନ୍ତ କରିବାର ଏକ ଉପାୟ।

Advertisment

୪ ବର୍ଷ ତଳେ ଧାରା ୩୭୦ ତଥା ଜମ୍ମୁ-କାଶ୍ମୀରରୁ ସ୍ୱତନ୍ତ୍ର ପାହ୍ୟା ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ସୁପ୍ରିମ୍‌କୋର୍ଟ ସମର୍ଥନ କରିବାର କିଛି ଘଣ୍ଟା ପରେ ଅମିତ ଶାହ ଜବାହରଲାଲ ନେହରୁଙ୍କୁ ଦୁଇଟି ବଡ଼ ଭୁଲ୍ ପାଇଁ ଦାୟୀ କରିଥିଲେ- ପାକିସ୍ତାନ ସହ ଯୁଦ୍ଧରେ ଅସ୍ତ୍ରବିରତି ଘୋଷଣା କରିବା ଏବଂ କାଶ୍ମୀର ପ୍ରସଙ୍ଗକୁ ଜାତିସଂଘକୁ ନେବା। ଯଦି (ପାକିସ୍ତାନ ସହ ଯୁଦ୍ଧ ସମୟରେ) ଅକାଳ ଅସ୍ତ୍ରବିରତି ହୋଇ ନ ଥାନ୍ତା, ତେବେ ପିଓକେ (ପାକ୍-ଅଧିକୃତ କାଶ୍ମୀର) ଏବେ ଭାରତରେ ଥାନ୍ତା। ଆମ ଦେଶ ଜିତିଥିଲା, ଯଦି ସେ (ନେହରୁ) ଦୁଇ ଦିନ ଅପେକ୍ଷା କରିଥାନ୍ତେ, ତେବେ ସମଗ୍ର କାଶ୍ମୀର ଆମର ହୋଇଥାନ୍ତା ବୋଲି ଶ୍ରୀ ଶାହ କହିଛନ୍ତି। ଜବାହରଲାଲ ନେହେରୁଙ୍କ ବିରୋଧରେ ଅମିତ ଶାହା ଦେଇଥିବା ମନ୍ତବ୍ୟକୁ କଂଗ୍ରେସ ସାଂସଦ ମନୀଷ ତିୱାରୀ ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି। ଭାରତୀୟ ସେନାର କମାଣ୍ଡର-ଇନ୍-ଚିଫ୍ ଜେନେରାଲ ରୟ ବୁଚର ତତ୍କାଳୀନ ସରକାରଙ୍କୁ ପରାମର୍ଶ ଦେଇଥିବାରୁ ଅସ୍ତ୍ରବିରତି ହୋଇଥିଲା, ଯାହା ଅନିବାର୍ଯ୍ୟ ଥିଲା ବୋଲି ତିୱାରୀ କହିଛନ୍ତି।