ହରିୟାଣାରେ ଗୃହମନ୍ତ୍ରୀମାନଙ୍କ ଚିନ୍ତନ ଶିବିର ଆଜିଠୁ ଆରମ୍ଭ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଅକ୍ଟୋବର ୨୭ ଓ ୨୮ରେ ହରିୟାଣାର ସୁରଜକୁଣ୍ଡରେ ବିଭିନ୍ନ ରାଜ୍ୟର ‘ଗୃହମନ୍ତ୍ରୀମାନଙ୍କର ଚିନ୍ତନ ଶିବିର’ରେ ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୮ରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ଶିବିରକୁ ସମ୍ବୋଧିତ କରିବେ।

ଦୁଇଦିନିଆ ଚିନ୍ତନ ଶିବିରରେ ଭାଗ ନେବା ପାଇଁ ସମସ୍ତ ରାଜ୍ୟର ଗୃହମନ୍ତ୍ରୀ ଏବଂ କେନ୍ଦ୍ରଶାସିତ ପ୍ରଦେଶର ଉପରାଜ୍ୟପାଳ ଓ ପ୍ରଶାସକଙ୍କୁ ଆମନ୍ତ୍ରିତ କରାଯାଇଛି। ରାଜ୍ୟର ଗୃହ ସଚିବ, ପୁଲିସ ମହାନିର୍ଦ୍ଦେଶକ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଏବଂ କେନ୍ଦ୍ରୀୟ ପୁଲିସ ସଙ୍ଗଠନର ମହାନିର୍ଦ୍ଦେଶକ ମଧ୍ୟ ଚିନ୍ତନ ଶିବିରରେ ଭାଗ ନେବେ।

ଦୁଇ ଦିନର ଏହି ଶିବିରର ଉଦ୍ଦେଶ୍ୟ ହେଉଛି ‘ଭିଜନ୍ ୨୦୪୭’ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବାଧୀନତା ଦିବସ ଭାଷଣରେ ଘୋଷିତ ପଞ୍ଚପ୍ରଣକୁ କାର୍ଯ୍ୟକାରୀ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା। ଗୃହମନ୍ତ୍ରୀଙ୍କ ଚିନ୍ତନ ଶିବିରରେ ସାଇବର ଅପରାଧ ପରିଚାଳନା ପାଇଁ ଇକୋ-ସିଷ୍ଟମ୍ ବିକଶିତ କରିବା, ପୁଲିସ ବଳର ଆଧୁନିକୀକରଣ, ଆପରାଧିକ ନ୍ୟାୟ ପ୍ରଣାଳୀରେ ଆଇଟିର ବଢ଼ୁଥିବା ବ୍ୟବହାର, ଭୂମି ସୀମା ପରିଚାଳନା, ଉପକୂଳ ସୁରକ୍ଷା ଏବଂ ଅନ୍ୟ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ବନ୍ଧିତ ବିଷୟରେ ଚିନ୍ତନ କରାଯିବ। ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ନାରୀଶକ୍ତିର ଭୂମିକା ମହତ୍ତ୍ବପୂର୍ଣ୍ଣ। ତେଣୁ ଚିନ୍ତନ ଶିବିରରେ ଦେଶର ମହିଳାଙ୍କ ସୁରକ୍ଷା ଏବଂ ତାଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିବାରେ ବିଶେଷ ଗୁରୁତ୍ବ ପ୍ରଦାନ କରାଯିବ।

ଚିନ୍ତନ ଶିବିରରେ ଛଅଟି ଅଧିବେଶନରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯିବ। ପ୍ରଥମ ଦିନ ହୋମ୍ ଗାର୍ଡ଼, ନାଗରିକ ସୁରକ୍ଷା, ଅଗ୍ନିରୁ ସୁରକ୍ଷା ଏବଂ ଶତ୍ରୁ ସମ୍ପତ୍ତି ଆଦି ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ବିଚାର-ବିମର୍ଶ କରାଯିବ। ଦ୍ବିତୀୟ ଦିନ ସାଇବର ସୁରକ୍ଷା, ମାଦକ ଦ୍ରବ୍ୟର ଚୋରା ଚାଲାଣ, ମହିଳା ସୁରକ୍ଷା ଏବଂ ସୀମା ପରିଚାଳନା ପରି ଅନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ। ମାଦକ ଦ୍ରବ୍ୟର ଚୋରା ଚାଲାଣ ବିଷୟରେ ଏନ‌୍‌ଡିପିଏସ୍ ଅଧିନିୟମ, ଏନ୍‌କୋର୍ଡ଼ ନିଦାନ ଏବଂ ନିଶାମୁକ୍ତ ଭାରତ ଅଭିଯାନ ଉପରେ ମଧ୍ୟ ଆଲୋଚନା କରାଯିବ। ଭୂମି ସୀମା ପରିଚାଳନା ଏବଂ ଉପକୂଳ ସୁରକ୍ଷା ଅନ୍ତର୍ଗତ ସୀମାର ସୁରକ୍ଷା ଏବଂ ସୀମାବର୍ତ୍ତୀ କ୍ଷେତ୍ରର ବିକାଶ ଆଦି ଉପରେ ଚିନ୍ତନ କରାଯିବ।

ସମ୍ବନ୍ଧିତ ଖବର