ଲକ୍ଷ୍ନୌ: କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁମୋଦନ ପାଇବା ପରେ ଉତ୍ତରପ୍ରଦେଶରେ ଦୁଇଟି ସ୍ଥାନର ନାମ ପରିବର୍ତ୍ତନ କରିବାକୁ ସ୍ଥିର ହୋଇଛି। ରାଜ୍ୟ ସରକାରଙ୍କ ସୁପାରିଶ ପରେ ଗୋରଖପୁରର ଏକ ମ୍ୟୁନିସିପାଲିଟି କାଉନସିଲ୍ ଏବଂ ଦେଓରିଆର ଏକ ଗ୍ରାମର ନାମ ପରିବର୍ତ୍ତନ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମ୍ମତି ପ୍ରଦାନ କରିଛି। ଗୋରଖପୁର ଜିଲ୍ଲାର ‘ମୁଣ୍ଡେରା ବଜାର’ ମ୍ୟୁନିସିପାଲିଟି ପରିଷଦର ନାମକୁ ‘ଚୌରୀ-ଚୌରା’ ଏବଂ ଦେଓରିଆ ଜିଲ୍ଲାର ‘ତେଲିଆ ଆଫଗାନ’ ଗାଁକୁ ‘ତେଲିଆ ଶୁକ୍ଳା’ ରେ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ‘ନୋ-ଅବ୍‌ଜେକସନ୍‌’ ସାର୍ଟିଫିକେଟ ପ୍ରଦାନ କରାଯାଇଛି।

Advertisment

ସୂଚନାଯୋଗ୍ୟ, ଗୋରଖପୁର ଜିଲ୍ଲାର ମୁଣ୍ଡେରା ବଜାର ପୌର ପରିଷଦ ୧୯୨୨ ମସିହା ଫେବ୍ରୁଆରି ୪ରେ ଘଟିଥିବା ଚୌରୀ-ଚୌରା ଘଟଣାର ୧୦୦ ବର୍ଷ ପୂର୍ତ୍ତି ପାଇଁ ‘ଚୌରୀ-ଚୌରା’ ମ୍ୟୁନିସିପାଲିଟି ପରିଷଦ ହେବ। ମହାତ୍ମା ଗାନ୍ଧୀଙ୍କ ଦ୍ବାରା ହୋଇଥିବା ଅସହଯୋଗ ଆନ୍ଦୋଳନରେ ଅଂଶଗ୍ରହଣ କରୁଥିବା ଏକ ବିରାଟ ବିକ୍ଷୋଭକାରୀଙ୍କ ଉପରକୁ ପୁଲିସ ଗୁଳି ଚଳାଇଥିଲା। ବିକ୍ଷୋଭକାରୀମାନେ ଏହାର ପ୍ରତିବାଦ କରି ଥାନାରେ ନିଆଁ ଲଗାଇ ପ୍ରତିଶୋଧ ନେଇଥିଲେ। ଏହି ଘଟଣାରେ ତିନିଜଣ ସାଧାରଣ ନାଗରିକ ଏବଂ ୨୨ ଜଣ ପୁଲିସଙ୍କର ମୃତ୍ୟୁ ହୋଇଥିଲା।

ସେହିଭଳି ଦେଓରିଆର ସ୍ଥାନୀୟ ସୂତ୍ର ଅନୁଯାୟୀ, ପୂର୍ବ ୟୁପି ଜିଲ୍ଲାର ବାରହା ତହସିଲ ଅନ୍ତର୍ଗତ ତେଲିଆ ଆଫଗାନ ଗ୍ରାମ ତେଲିଆ ଶୁକ୍ଳା ଭାବରେ ଲୋକପ୍ରିୟ ହୋଇସାରିଛି।