ନୂଆଦିଲ୍ଲୀ: କୃଷକଙ୍କ ସମସ୍ୟାକୁ ନେଇ ସଂସଦରେ ବିରୋଧୀ ଲଗାତାର ସ୍ୱର ଉଠାଉଛନ୍ତି | ଏହାରି ମଧ୍ୟରେ ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟସଭାରେ ସୂଚନା ଦିଆଯାଇଛି ଯେ ୨୦୨୦ ମସିହାରୁ ୨୦ ଜୁଲାଇ ୨୦୨୧ ମଧ୍ୟରେ ଦିଲ୍ଲୀ ପୁଲିସ କୃଷକଙ୍କ ଆନ୍ଦୋଳନ ସହ ଜଡିତ ୧୮୩ ଜଣଙ୍କୁ ଗିରଫ କରିଛି | ଆଉ ସମସ୍ତ ଗିରଫ ହୋଇଥିବା କୃଷକ ଏବେ ଜାମିନରେ ଅଛନ୍ତି | ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ସୂଚନା ଦେଇ କହିଛନ୍ତି ଯେ ଆନ୍ଦୋଳନ କରୁଥିବା କୌଣସି ଚାଷୀଙ୍କ ବିରୋଧରେ ରାଜଦ୍ରୋହ ଆଇନ ବା ଯୁଏପିଏ(UAPA) ଲାଗୁ କରାଯାଇନାହିଁ | ସେହିପରି ୨୦୨୦-୨୧ରେ ନ୍ୟାୟିକ ହେପାଜତରେ ୧୮୪୦ ଓ ପୁଲିସ ହେପାଜତରେ ୧୦୦ ଜଣ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଛି |

Advertisment

ଗୃହ ରାଷ୍ଟ୍ର ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ଜାତୀୟ ମାନବାଧିକାର ଆୟୋଗ ଏପ୍ରିଲ ୧, ୨୦୧୮ରୁ ଜୁନ ୩୦, ୨୦୨୧ ମଧ୍ୟରେ ବିଚାରାଧୀନ ବନ୍ଦୀ ଭାବେ ମୃତ୍ୟୁ ହୋଇଥିବା ୫୯୩ଟି ମାମଲାକୁ ବିଚାର କରିଛନ୍ତି | ଆୟୋଗଙ୍କ ପକ୍ଷରୁ ୫୯୩ଟି ମାମଲା ପାଇଁ କ୍ଷତିପୂରଣ ବାବଦକୁ ୧୫ କୋଟି ୯୦ ଲକ୍ଷ ଟଙ୍କା ଦେବାକୁ ସୁପାରିଶ କରାଯାଇଛି |

ସେହିପରି ନ୍ୟାୟିକ ହେପାଜତରେ ବନ୍ଦୀଙ୍କ ମୃତ୍ୟୁ ହୋଇଥିବାରୁ କାର୍ଯ୍ୟରେ ଅବହେଳା ପାଇଁ ୪ଟି ମାମଲାରେ ଦୋଷୀ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୁପାରିଶ ମଧ୍ୟ କରିଥିଲେ | ସେହିପରି ମେ ୨୦୧୮ରୁ ଜୁନ ୨୦୨୧ ମଧ୍ୟରେ ଜମ୍ମୁକାଶ୍ମୀରରେ ୪୦୦ ଏନକାଉଣ୍ଟର ହୋଇଥିବାବେଳେ ୬୩୦ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି ଓ ୮୫ ଜଣ ଯବାନ ସହିଦ ହୋଇଛନ୍ତି |