ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ ପ୍ରକ୍ରିୟା ଆରମ୍ଭ କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶମତେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ ପ୍ରକ୍ରିୟା ଆରମ୍ଭ କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି । ମନ୍ତ୍ରାଳୟର କେତେକ ବରିଷ୍ଠ ଅଧିକାରୀ ଏବେ କୋର୍ଟଙ୍କ ରାୟର ତର୍ଜ୍ଜମା କରୁଛନ୍ତି । ଏହା ପରେ ଟ୍ରଷ୍ଟ ଗଠନ ପାଇଁ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯିବ । ଏହି ଟ୍ରଷ୍ଟ ହିଁ ମନ୍ଦିର ନିର୍ମାଣ ଦାୟିତ୍ୱ ନିର୍ବାହ କରିବ । ଏହି ଟ୍ରଷ୍ଟ୍ରରେ କେଉଁମାନେ ସଦସ୍ୟ ରହିବେ ସେ ନେଇ ମଧ୍ୟ ବିଚାରବିମର୍ଷ ଚାଲିଛି । କୋର୍ଟଙ୍କ ରାୟ ଅନୁସାରେ ଏହି ଟ୍ରଷ୍ଟରେ ନିର୍ମୋହୀ ଅଖାଡାର ପ୍ରତିନିଧିଙ୍କୁ ମଧ୍ୟ ରଖାଯିବ ।

ସୂଚନାଯୋଗ୍ୟ ଯେ ଗତ ଶନିବାର ଅର୍ଥାତ ୯ ତାରିଖ ଦିନ ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାର ଐତିହାସିକ ରାୟ ଶୁଣାଇଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ଏକ ୫ ଜଣିଆ ବେଞ୍ଚ ଏହି ରାୟ ଶୁଣାଇଥିଲେ । ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ପାଇଁ ରାୟ ଦିଆଯାଇଥିବାବେଳେ ମୁସଲିମ ପକ୍ଷଙ୍କୁ ଅନ୍ୟ ଏକ ସ୍ଥାନରେ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ପ୍ରଦାନ କରିବାକୁ ରାୟରେ ଉଲ୍ଲେଖ ଅଛି । ମନ୍ଦିର ନିର୍ମାଣ ଲାଗି ଏକ ଟ୍ରଷ୍ଟ ଗଠନ କରିବାକୁ ମଧ୍ୟ କୁହାଯାଇଥିଲା । ଏଥିରେ ନିର୍ମୋହୀ ଅଖାଡାର ପ୍ରତିନିଧିଙ୍କୁ ସ୍ଥାନ ଦେବା ପାଇଁ କୁହାଯାଇଥିଲା ।

ସମ୍ବନ୍ଧିତ ଖବର