‘କିଛି ବି ଅଘଟଣ ପାଇଁ ଦାୟୀ ରହିବେ ଗୃହ ମନ୍ତ୍ରାଳୟ’: ରାବ୍‌ରୀ ଦେବୀ

ପାଟନା (ବିହାର): ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତ୍ରୀ ରାବ୍‌ରୀ ଦେବୀଙ୍କ ସରକାରୀ ବାସଭବନରେ ସୁରକ୍ଷା ଦାୟିତ୍ୱରେ ମୁତୟନ ଥିବା ସମସ୍ତ ସୁରକ୍ଷା କର୍ମୀଙ୍କୁ ବିନା କୌଣସି ପ୍ରାକ୍‌ ସୂଚନା କିମ୍ବା ନୋଟିସ୍‌ରେ ସରକାର ଗତ ମଙ୍ଗଳବାର ରାତିରେ ହଠାତ୍‌ ପ୍ରତ୍ୟାହାର କରିନେବା ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାବ୍‌ରୀ ଦେବୀ। ସରକାରଙ୍କର ଏତାଦୃଶ ଆଚରଣରେ ଗଭୀର କ୍ଷୋଭ ପ୍ରକାଶ କରି ସେ କହିଛନ୍ତି ଯେ ଏପରିସ୍ଥିତିରେ ଯଦି ମୋର କିମ୍ବା ମୋ ପରିବାରର କୌଣସି ପ୍ରକାରର ଅଘଟଣ ଘଟେ, ତେବେ ସେଥିପାଇଁ ସଂପୂର୍ଣ୍ଣ ରୂପେ ଦାୟୀ ରହିବେ ଗୃହ ମନ୍ତ୍ରାଳୟ। ଏବଂ ଏଥିନେଇ ସେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏକ ପତ୍ର ଲେଖିଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି।

 

ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମ୍ମୁଖରେ ନିଜର କ୍ଷୋଭ ବ୍ୟକ୍ତ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତ୍ରୀ ରାବ୍‌ରୀ ଦେବୀ କହିଛନ୍ତି ଯେ ସବୁବେଳେ ନୀତି ଓ ଆଦର୍ଶର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନୀତି ଗଲା କୁଆଡ଼େ? କେଉଁ ନୀତିର ଆଧାରରେ ସେ ବିଳମ୍ବିତ ରାତ୍ରରେ କୌଣସି ପ୍ରକାରର ପ୍ରାକ୍‌ ସୂଚନା ନଦେଇ ଜଣେ ପୂର୍ବତନ ମହିଳା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ସୁରକ୍ଷା ଦାୟିତ୍ୱରେ ମୁତୟନ ଥିବା ସୁରକ୍ଷା କର୍ମୀଙ୍କୁ ପ୍ରତ୍ୟାହାର କରିନେଲେ? କ’ଣ ଏଥିପାଇଁ ତାଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ କି? ଏସବୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଗ ସ୍ପଷ୍ଟ କରନ୍ତୁ ବୋଲି ଆହ୍ଵାନ ଦେଇଛନ୍ତି ରାବ୍‌ରୀ ଦେବୀ।

ବିଜେପି ଓ ମୋଦି ସରକାରଙ୍କ ହାତବାରିସି ସାଜି ନୀତୀଶ କୁମାର ତାଙ୍କ ଓ ତାଙ୍କ ପରିବାର ଉପରେ ଆକ୍ରୋଶମୂଳକ ଭାବେ ଦାଉ ସାଧୁଛି ବୋଲି ଅଭିଯୋଗ କରିଛନ୍ତି ରାବ୍‌ରୀ ଦେବୀ। ତାଙ୍କ ପତି ଲାଳଉପ୍ରସାଦ ଜେଲ୍‌ରେ ଗୁରୁତର ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କର ନୂଆଦିଲ୍ଲୀ ଏଆଇଆଇଏମ୍‌ଏସ୍‌ରେ ଚିକିତ୍ସାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ ଡାକ୍ତରୀଦଳ ପରାମର୍ଶ ଦେଲେ, ଲାଲୁଙ୍କୁ ନୂଆଦିଲ୍ଲୀ ଯିବାପାଇଁ ସିବିଆଇ ଅଦାଲତ ମଧ୍ୟ ଅନୁମତି ଦେଲେ; କିନ୍ତୁ ଲାଲୁଙ୍କୁ ବିମାନ ଯାତ୍ରା ପାଇଁ ଅନୁମତି ଦେଲେ ନାହିଁ ନୀତୀଶ ସରକାର। ଏହା ପଛର କାରଣ କ’ଣ? ଯଦି ମୁଖ୍ୟମନ୍ତ୍ରୀ ନୀତୀଶ ଏସବୁ ପ୍ରଶ୍ନର ଉତ୍ତର ନଦିଅନ୍ତି, ତେବେ ବିହାରର ଜନତା ଏସବୁ ପ୍ରଶ୍ନର ଉତ୍ତର ଭୋଟ ଜରିଆରେ ଦେବେ ବୋଲି ସତର୍କ କରାଇ ଦେଇଛନ୍ତି ରାବ୍‌ରୀ ଦେବୀ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତ୍ରୀ ରାବ୍‌ରୀ ଦେବୀଙ୍କ ସରକାରୀ ବାସଭବନରେ ସୁରକ୍ଷା ଦାୟିତ୍ୱରେ ମୁତୟନ ଥିବା ବିହାର ମିଲିଟାରି ପୋଲିସ୍‌ର ୩୨ ଜଣ ଯବାନଙ୍କୁ ଗତ ମଙ୍ଗଳବାର ବିଳମ୍ବିତ ରାତ୍ରରେ ବିନା କୌଣସି ସୂଚନାରେ ପ୍ରତ୍ୟାହାର କରି ନିଆ ଯାଇଛି।

ସମ୍ବନ୍ଧିତ ଖବର