ନୂଆଦିଲ୍ଲୀ : ଅକ୍ସଫାମ୍ ଇଣ୍ଡିଆ ଉପରେ ଆୟକର ଚଢ଼ଉ ହେବାର ୭ ମାସ ପରେ କେନ୍ଦ୍ର ସରକାର ଆଜି ସିବିଆଇ ତଦନ୍ତ ପାଇଁ ସୁପାରିସ କରିଛନ୍ତି। ବିଦେଶୀ ପାଣ୍ଠି ନିୟନ୍ତ୍ରଣ ଆଇନ (ଏଫସିଆରଏ) ଉଲ୍ଲଂଘନ ଅଭିଯୋଗ ଏମାନଙ୍କ ନାମରେ ରହିଛି। ୨୦୨୧ ଡିସେମ୍ବର ୩୧ରେ ଅକ୍ସଫାମ୍ ଇଣ୍ଡିଆର ଏଫସିଆରଏ ଲାଇସେନ୍ସ ନବୀକରଣ କରିବାକୁ ଗୃହ ମନ୍ତ୍ରାଳୟ ମନା କରି ଦେଇଥିଲା।
ଗୃହ ମନ୍ତ୍ରାଳୟର ଅଧିକାରୀଙ୍କ କହିବାନୁଯାୟୀ, ଅକ୍ସଫାମ ଇଣ୍ଡିଆ ଏଫସିଆରଏ ୨୦୧୦ ଅଧୀନରେ ପଞ୍ଜୀକୃତ ହୋଇଥିଲା ଏବଂ ସେମାନଙ୍କର ପଞ୍ଜୀକରଣ ୨୦୨୧ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୈଧ ଥିଲା। ତେବେ ଏହି ସମୟ ମଧ୍ୟରେ ସଂସ୍ଥା ଏକାଧିକ ବେଆଇନ କାର୍ଯ୍ୟ କରିଛି। ସେଥିପାଇଁ ସିବିଆଇ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି। ଅନ୍ୟପକ୍ଷରେ ଅକ୍ସଫାମ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଭାରତୀୟ ଆଇନକୁ ସଂସ୍ଥା ସଂପୂର୍ଣ୍ଣ ଭାବେ ଆରମ୍ଭରୁ ପାଳନ କରିଆସୁଛି।