ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଗୁଜରାଟ ଉପରେ ବିରକ୍ତ ହେଲା କେନ୍ଦ୍ର

ରାଜସ୍ଥାନରୁ ଆସିଲେ ୧୧ ଶହ ଶ୍ରମିକ, ତୀର୍ଥଯାତ୍ରୀ

ନୂଆଦିଲ୍ଲୀ : କୋଭିଡ୍‌-୧୯ ପରିଚାଳନାକୁ ଠିକ୍‌ ଭାବେ କରୁ ନଥିବାରୁ କେନ୍ଦ୍ର ସରକାର ଆଜି ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟ ସଚିବ ରାଜୀବ ସିହ୍ନାଙ୍କ ନିକଟକୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଏକ ଚିଠି ଲେଖି କହିଛନ୍ତି, କୋଭିଡ-୧୯ର ମୁକାବିଲା ପାଇଁ ଲକ୍‌ଡାଉନ୍ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ। ପଶ୍ଚିମବଙ୍ଗ ଗସ୍ତରେ ଆସିଥିବା ଦୁଇଟି କେନ୍ଦ୍ରୀୟ ଦଳ ନୂଆଦିଲ୍ଲୀ ଫେରିବା ପରେ କେନ୍ଦ୍ର ଗୃହ ସଚିବ ଏହି ଚିଠି ଲେଖିଛନ୍ତି। ରାଜ୍ୟରେ କମ୍ ସଂଖ୍ୟାରେ ନମୁନା ପରୀକ୍ଷା କରାଯାଉଥିବାବେଳେ ମୃତ୍ୟୁ ହାର ୧୩.୨ ପ୍ରତିଶତ ଅଧିକ ରହିଛି, ଯାହାକି ଦେଶର ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବାଧିକ ବୋଲି ଗୃହ ସଚିବ ଚିଠିରେ ଦର୍ଶାଇଛନ୍ତି। କେବଳ ପଶ୍ଚିମବଙ୍ଗ ନୁହେଁ, ମହାରାଷ୍ଟ୍ର ଏବଂ ଗୁଜରାଟରେ କୋଭିଡ-୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହାର ଅଧିକ ଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଚିନ୍ତାବ୍ୟକ୍ତ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଆଜି ଗୁଜରାଟ ଉପମୁଖ୍ୟମନ୍ତ୍ରୀ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନିତିନଭାଇ ପଟେଲ ଏବଂ ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଏସଏଆରଆଇ ଏବଂ ଆଇଏଲଆଇ ରୋଗୀଙ୍କ ଉପଯୁକ୍ତ ପରୀକ୍ଷା ପାଇଁ କେନ୍ଦ୍ରମନ୍ତ୍ରୀ ମତ ଦେଇଥିଲେ।

ରାଜସ୍ଥାନରୁ ଆସିଲେ ୧୧ ଶହ ଶ୍ରମିକ, ତୀର୍ଥଯାତ୍ରୀ
କୋଲକାତା : ରାଜସ୍ଥାନରୁ ୧୧ ଶହରୁ ଅଧିକ ଶ୍ରମିକ ଏବଂ ତୀର୍ଥଯାତ୍ରୀ ଟ୍ରେନ୍‌ ଯୋଗେ ଗତକାଲି ହୁଗୁଳି ଜିଲ୍ଲାର ଡାନକୁନିରେ ଆସି ପହଞ୍ଚିଛନ୍ତି। ଜନ୍ମମାଟିରେ ପାଦ ଦେବା ମାତ୍ରେ ସମସ୍ତଙ୍କ ମୁହଁରେ ହସ ଉକୁଟି ଉଠିଥିଲା। ସୋମବାର ସକାଳେ ୨୪ଟି କୋଚ୍‌ ସହ ଏକ ସ୍ବତନ୍ତ୍ର ଟ୍ରେନ୍‌ ରାଜସ୍ଥାନର ଆଜମେର ଷ୍ଟେସନ ଛାଡ଼ିଥିଲା। ଏହି ଟ୍ରେନ୍‌ରେ ୧୧ ଶହରୁ ଊର୍ଦ୍ଧ୍ବ ଶ୍ରମିକ ଏବଂ ତୀର୍ଥଯାତ୍ରୀ ଆସିଥିଲେ। ଟେୟନ୍‌ଟି ମଙ୍ଗଳବାର ପୂର୍ବାହ୍ନ ୧୦ଟା ୪୦ ମିନିଟ୍‌ରେ ଡାନ୍‌କୁନି ଷ୍ଟେସନରେ ପହଞ୍ଚିଥିଲା। ରେଲଗାଡ଼ିଟି ପ୍ଲାଟଫର୍ମ ଭିତରକୁ ପ୍ରବେଶ କରିବା ମାତ୍ରେ ପୁଷ୍ପ ବୃଷ୍ଟି ହୋଇଥିଲା। ଷ୍ଟେସନରେ ଉପସ୍ଥିତ ଥିଲେ ଶ୍ରମମନ୍ତ୍ରୀ ମଳୟ ଘଟକ ଏବଂ ତପନ ଦାସଗୁପ୍ତା। ସେମାନଙ୍କ ସହ ଉପସ୍ଥିତ ଥିଲେ ରାଜ୍ୟ ସରକାରଙ୍କ ଅନ୍ୟ କେତେଜଣ ଅଧିକାରୀ। ସେମାନେ ସମସ୍ତ ଯାତ୍ରୀମାନଙ୍କୁ ସ୍ବାଗତ ଜଣାଇଥିଲେ। ସାମାଜିକ ଦୂରତ୍ବ ରକ୍ଷା କରିବା ପାଇଁ ପୂର୍ବରୁ ପ୍ଲାଟଫର୍ମରେ ଚିହ୍ନିତ କୋଠରିକୁ ଅନୁକରଣ କରି ମହିଳା ଏବଂ ପିଲାଙ୍କ ସମେତ ୧୧୮୬ ଯାତ୍ରୀ ଷ୍ଟେସନ ବାହାରକୁ ଯାଇଥିଲେ। ସେମାନେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୂର୍ବରୁ ପ୍ରସ୍ତୁତ କୋଭିଡ୍-୧୯ ଚିକିତ୍ସା ଶିବିରରେ ସମସ୍ତ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ସମ୍ବନ୍ଧିତ ଖବର