ନୂଆଦିଲ୍ଲୀ: ହିଂସାର ଲେଲିହାନ ଶିଖାରେ ସବୁକିଛି ପୋଡ଼ିଜଳି ଛାରଖାର ହୋଇଯିବା ପରେ ହିଂସାକାରୀଙ୍କ ମରଣାନ୍ତକ ଆକ୍ରମଣରୁ ବର୍ତ୍ତି ଆସିଥିବା ୩୦ ବର୍ଷ ବୟସ୍କା ଶବାନା ପରଭିନ୍ଙ୍କ ପାଇଁ ଏହା ଏକ ‘ଚତ୍ମକାର’ ବ୍ୟତୀତ ଅନ୍ୟ କିଛି ନୁହେଁ। ସେଥିପାଇଁ ବୋଧହୁଏ ସେ ତାଙ୍କର ନବଜାତକର ନାଁ ରଖିଛନ୍ତି ‘ଚତ୍ମକାରୀ ଶିଶୁ’। ଆଉ ଏଇ ଚତ୍ମକାରୀ ନବଜାତକ ହିଁ ହେଉଛି ଏବେ ତାଙ୍କର ଏକମାତ୍ର ଓ ଶେଷ ଆଶ୍ରୟ।
/sambad/media/post_attachments/wp-content/uploads/2020/02/Sabana2.jpg)
ଏ କାହାଣୀ ହେଉଛି ଉତ୍ତରପୂର୍ବ ଦିଲ୍ଲୀର କରଓ୍ଵଲ ନଗରରେ ବାସବାସ କରୁଥିବା ଶବାନା ପରଭିନ୍ଙ୍କର। ତାଙ୍କ ଜୀବନରେ କେବେ ଏମିତି ଏକ ଦିନକୁ ଯେ ସାମନା କରିବାକୁ ପଡ଼ିବ, ତାହା ଥିଲା ତାଙ୍କ ଉଦ୍ଭଟତମ କଳ୍ପନାର ସୁଦ୍ଧା ବାହାରେ। ସେଦିନ ଥିଲା ସୋମବାର ରାତି। ନାଗରିକତା ସଂଶୋଧନ ଆଇନ୍ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ହିଂସାରେ ଜଳୁଥିଲା ସମଗ୍ର ଉତ୍ତରପୂର୍ବ ଦିଲ୍ଲୀ। ଆଠ ମାସର ଗର୍ଭବତୀ ଥିବା ଶବାନା ନିଜର ସ୍ୱାମୀ, ଶାଶୁ ଓ ପାଞ୍ଚବର୍ଷର ଶିଶୁପୁତ୍ରକୁ ଧରି ଶୋଇଥିଲେ ନିଜର କରଓ୍ଵଲ ନଗର ଘରେ। ପ୍ରାୟ ମଧ୍ୟରାତ୍ରି ପରେ, ତାଙ୍କ ଘରର କବାଟ ଭାଙ୍ଗି ଭିତରେ ପାଶିଲେ ଦଙ୍ଗାକାରୀ। ଆଉ ସେମାନ ସମସ୍ତଙ୍କ ଉପରେ ଆରମ୍ଭ କରିଦେଲେ ମରଣାନ୍ତକ ଆକ୍ରମଣ। କିଛି ଦଙ୍ଗାକାରୀ ଆଠମାସର ଗର୍ଭବତୀ ଶବାନାଙ୍କୁ ଖଣ୍ଡେ ଦୂରକୁ ଟାଣିନେବା ସହ ତାଙ୍କ ତାଙ୍କ ତଳିପେଟକୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ମାରି ଚାଲିଥିଲେ ଗୋଇଠା ପରେ ଗୋଇଠା। ସବୁ ଆଡ଼ୁ ଶୁଭୁଥିଲା ‘ବଚାଓ’, ‘ବଚାଓ’ର ଚିତ୍କାର। ପଛପଟେ ଜଳୁଥିଲା ତାଙ୍କ ଘର ଆଉ ବିଗତ ଦୁଇ ଦଶନ୍ଧି ଧରି ସେମାନେ ସେ ଘର ଭିତରେ ସାଇତି ରଖିଥିବା ସବୁ ଆସବାବ ପତ୍ର। ଏଇସବୁ ଭିତରେ ଚେତା ବୁଡ଼ି ଯାଇଥିଲା ଶବାନାଙ୍କର। ଆଉ କିଛି ଜାଣି ନାହାନ୍ତି ସେ।
/sambad/media/post_attachments/wp-content/uploads/2020/02/Sabana1.jpg)
ବୁଧବାର ଦିନ ଯେତେବେଳେ ତାଙ୍କର ଚେତା ଫେରିଲା ସେ ନିଜକୁ ଆବିଷ୍କାର କଲେ ଅଲ୍- ହିନ୍ଦ ହସ୍ପିଟାଲର ଖଟ ଉପରେ। ଆଉ ନିକଟରେ ଶୋଇଥିଲା ଏଇ ଚମ୍ତକାରୀ ଶିଶୁ। ତାଙ୍କ ଚେତା ଫେରିଥିବା ଶୁଣି ଡାକ୍ତର ଆସିଲେ ତାଙ୍କ ପାଖକୁ ଆଉ କହିଲେ, ‘ବେଳେ ବେଳେ ଚତ୍ମକାର ଘଟେ ବୋଲି ଶୁଣିଥିଲି। ପରେ କେବେ ଦେଖି ନଥିଲି। କିନ୍ତୁ ଏବେ ଦେଖୁଛି। ତୁମେ ଯେଉଁ ଅବସ୍ଥାରେ ଏଠାକୁ ଆସିଲ ଓ ନିଜେ ବଞ୍ଚିବା ସହ ଏ ସୁସ୍ଥ ଶିଶୁପୁତ୍ରକୁ ଜନ୍ମ ଦେଲ, ତାହା କେବଳ ମାତ୍ର ଚତ୍ମକାର ବ୍ୟତୀତ ଅନ୍ୟ କିଛି ନୁହେଁ’!
ନିଜେ ଶବାନା ସବୁକିଛି ହୃଦୟଙ୍ଗମ କରି ବୁଝିବା ପୂର୍ବରୁ ତାଙ୍କ ଅଜାଣତରେ ତାଙ୍କ ନବଜାତକର ନାଁ ହୋଇ ସାରିଥିଲା ‘ଚତ୍ମକାରୀ’। ଆଉ ଏଇ ଚତ୍ମକାରୀ ନବଜାତକ ହିଁ ହେଉଛି ଏବେ ତାଙ୍କର ଏକମାତ୍ର ଓ ଶେଷ ଆଶ୍ରୟ।