ଗୃହରକ୍ଷୀ ପାଇବେ ଦିନକୁ ୫୩୩ ଟଙ୍କା, ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ

୨୦୧୮, ଜୁନ୍‌ ୧ରୁ ଲାଗୁହେବ ବର୍ଦ୍ଧିତ ପ୍ରାପ୍ୟ

କଟକ / ନୂଆଦିଲ୍ଲୀ : ଗୃହରକ୍ଷୀମାନେ ଏଣିକି ଦୈନିକ ପ୍ରାପ୍ୟ ହିସାବରେ ୫୩୩ ଟଙ୍କା ପାଇବେ। ଏ ସଂପର୍କିତ ଓଡ଼ିଶା ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ ରହିଛି। ଗୃହରକ୍ଷୀଙ୍କୁ ପ୍ରତିଦିନ ୫୩୩ ଟଙ୍କା ପ୍ରଦାନ ସପକ୍ଷରେ ହାଇକୋର୍ଟର ଜଣିକିଆ ବିଚାରପତି ପ୍ରଦାନ କରିଥିବା ରାୟକୁ ଦୁଇ ଜଣିଆ ଖଣ୍ଡପୀଠ କାଏମ ରଖିଛନ୍ତି। ଦୁଇଜଣିଆ ଖଣ୍ଡପୀଠଙ୍କ ଏହି ପ୍ରସଙ୍ଗରେ ରାୟ ସୁପ୍ରିମକୋର୍ଟରେ ବି କାଏମ ରହିଛି। ୨୦୧୮, ଜୁନ ୧ରୁ ଗୃହରକ୍ଷୀଙ୍କୁ ଏହି ବର୍ଦ୍ଧିତ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ, ଗୃହରକ୍ଷୀମାନଙ୍କୁ ବର୍ଦ୍ଧିତ ପ୍ରାପ୍ୟ ବାବଦ ବକେୟା ଅର୍ଥ ତିନିମାସ ଭିତରେ ପ୍ରଦାନ କରାଯିବ। ପର୍ଯ୍ୟାୟକ୍ରମେ ବିଭିନ୍ନ ସମୟରେ ପୁଲିସ କର୍ମଚାରୀଙ୍କର ଯେଉଁଭଳି ଦରମା ବଢୁଛି, ସମାନ ଢଙ୍ଗରେ ଗୃହରକ୍ଷୀମ‌ାନଙ୍କ ପ୍ରାପ୍ୟ ମଧ୍ୟ ବୃଦ୍ଧି କରାଯିବ ବୋଲି ସୁପ୍ରିମକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ହାଇକୋର୍ଟର ଦୁଇଜଣିଆ ବିଚାରପତିଙ୍କ ରାୟ ବିରୋଧରେ ଗୃହରକ୍ଷୀମାନେ ଦାୟର କରିଥିବା ଆବେଦନକୁ ଆଂଶିକ ଭାବେ ଗ୍ରହଣ କରି ସୁପ୍ରିମକୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ, ଏ ନେଇ ରାଜ୍ୟ ସରକାର ଦାୟର କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ଏମ.ଆର.ଶାହା ଓ ଜଷ୍ଟିସ ଏମ.ଏମ.ସୁନ୍ଦରେଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୃହରକ୍ଷୀ ଓ ରାଜ୍ୟ ସରକାରଙ୍କ ଆବେଦନର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏଭଳି ରାୟ ଦ୍ବାରା ରାଜ୍ୟର ୧୭ହଜାର ୭୬୫ ଗୃହରକ୍ଷୀ ଉପକୃତ ହେବେ। ଏହି ବର୍ଦ୍ଧିତ ପ୍ରାପ୍ୟ ପ୍ରଦାନ ଦ୍ବାରା ସରକାରଙ୍କ ଉପରେ ୧୮୯ କୋଟି ଟଙ୍କାର ବାର୍ଷିକ ଆର୍ଥିକ ବୋଝ ପଡ଼ିବ।

Photo by : mhlivenews.com

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୦, ଫେବ୍ରୁଆରି ୨୮ରେ ହାଇକୋର୍ଟ ଗୃହରକ୍ଷୀଙ୍କୁ ବର୍ଦ୍ଧିତ ହାରରେ ପ୍ରାପ୍ୟ ପ୍ରଦାନ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ସପ୍ତମ ବେତନ କମିସନଙ୍କ ସୁପାରିସ ଆଧାରରେ, ଅଗ୍ନିଶମ ଓ ଗୃହରକ୍ଷୀ ମହାନିର୍ଦ୍ଦେଶକଙ୍କ ସୁପାରିସ ତଥା ସୁପ୍ରିମେକାର୍ଟଙ୍କ ୨୦୧୫ର ନିର୍ଦ୍ଦେଶ ଅନୁଯାୟୀ ଗୃହରକ୍ଷୀଙ୍କୁ ପ୍ରାପ୍ୟ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୧୬, ନଭେମ୍ବର ୧୦ରୁ ଗୃହରକ୍ଷୀଙ୍କୁ ଦୈନିକ ପ୍ରାପ୍ୟ ଆକାରରେ ୫୩୩ ଟଙ୍କା ପ୍ରଦାନ ପାଇଁ ଜଣିକିଆ ବିଚାରପତି ନିର୍ଦ୍ଦେଶ ଦେଇଥିଲେ। ଜଣିକିଆ ବିଚାରପତିଙ୍କ ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ହାଇକୋର୍ଟର ଦୁଇ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରିଥିଲେ। ଏ ସଂପର୍କିତ ରିଟ୍ ଅପିଲର ଦୁଇଜଣିଆ ଖଣ୍ଡପୀଠ ଶୁଣାଣି କରି ଦୈନିକ ୫୩୩ ଟଙ୍କା ପ୍ରାପ୍ୟ ସଂକ୍ରାନ୍ତୀୟ ଗୃହରକ୍ଷୀ ମହାନିର୍ଦ୍ଦେଶକଙ୍କ ସୁପାରିସ କାର୍ଯ୍ୟକାରୀ ନିର୍ଦ୍ଦେଶ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଥିଲେ। ଜଣିକିଆ ବିଚାରପତିଙ୍କ ଏ ସଂପର୍କିତ ରାୟକୁ ଖଣ୍ଡପୀଠ କାଏମ ରଖିଥିଲେ। କିନ୍ତୁ ୨୦୧୬, ଜାନୁଆରି ୧୦ରୁ ବର୍ଦ୍ଧିତ ପ୍ରାପ୍ୟ ପ୍ରଦାନ ପାଇଁ ୨୦୨୦, ଫେବ୍ରୁଆରି ୨୮ରେ ପ୍ରଦାନ କରାଯାଇଥିବା ରାୟରେ ଦୁଇଜଣିଆ ବିଚାରପତିଙ୍କ ଖଣ୍ଡପୀଠ ପରିବର୍ତ୍ତନ କରି ୨୦୨୦, ଜାନୁଆରିରୁ ଗୃହରକ୍ଷୀମାନେ ବର୍ଦ୍ଧିତ ପ୍ରାପ୍ୟ ପାଇବେ ବୋଲି ରାୟ ଦେଇଥିଲେ। ସରକାରଙ୍କ ରିଟ୍ ଅପିଲକୁ ଆଂଶିକ ଭାବେ ଗ୍ରହଣ କରି ଖଣ୍ଡପୀଠ ୨୦୨୦, ଅଗଷ୍ଟ ୧୯ରେ ଏପରି ରାୟ ପ୍ରଦାନ କରିଥିଲେ। ଦୁଇଜଣିଆ ଖଣ୍ଡପୀଠଙ୍କ ରାୟ ବିରୋଧରେ ଗୃହରକ୍ଷୀ ଓ ରାଜ୍ୟ ସରକାର ଉଭୟ ସୁପ୍ରିମ‌କୋର୍ଟରେ ପୃଥକ୍‌ ଆବେଦନ ଦାୟର କରିଥିଲେ।

ପ୍ରକାଶ କୁମାର ଜେନା ଓ ଅନ୍ୟମାନେ ୨୦୧୮ରେ ପ୍ରଥମେ ଏହି ପ୍ରସଙ୍ଗରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟରେ ଗୃହରକ୍ଷୀଙ୍କ ତରଫରୁ ଆଇନଜୀବୀ ସତ୍ୟବ୍ରତ ମହାନ୍ତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର