ଡେରା ମୁଖ୍ୟ ଗୁର୍‌ମୀତ୍‌ ରାମ୍‌ ରହିମ୍‌ଙ୍କୁ ଭେଟବା ଲାଗି ଅଦାଲତରେ ଆବେଦନ କରି ପାରନ୍ତି ହନିପ୍ରୀତ୍‌

ନୂଆଦିଲ୍ଲୀ: ବନ୍ଦୀ ଡେରା ସଚା ସୌଦାର ମୁଖ୍ୟ ଗୁର୍‌ମୀତ୍‌ ରାମ୍‌ ରହିମ୍‌ଙ୍କ ପୋଷ୍ୟା କନ୍ୟା ହନିପ୍ରୀତ୍‌ ପିତାଙ୍କୁ ଭେଟିବାକୁ ବ୍ୟାକୁଳ। ଏଥିପାଇଁ ସେ ମାତ୍ର ଦୁଇ ଦିନରେ ତିନି ଚାରି ଥର ଉଦ୍ୟମ କରିଛନ୍ତି।

ହନିପ୍ରୀତ୍‌ଙ୍କ ଓକିଲ ତଥା ସୁପ୍ରିମ୍‌ କୋର୍ଟର ଆଡ୍‌ଭୋକେଟ୍‌ ଏହା ସତ୍ୟ ବୋଲି ନିଶ୍ଚିତ କରି ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି: ହନିପ୍ରୀତ୍‌ ଜେଲ୍‌ରୁ ମୁକୁଳିଛନ୍ତି। ଜେଲ୍‌ ଭିତରେ ଥିବା ଯେକୌଣସି ବ୍ୟକ୍ତିଙ୍କୁ ଭେଟିବାରେ ତାଙ୍କୁ ବାଧା ଦିଆଯିବା ଅନୁଚିତ। ଜେଲ୍‌ କର୍ତ୍ତୃପକ୍ଷମାନେ ତାଙ୍କୁ ରାମ୍‌ ରହିମ୍‌ଙ୍କୁ ଭେଟିବାକୁ ଅନୁମତି ନ ଦେବା ହେଉଛି ତାଙ୍କ ମୌଳିକ ଅଧିକାର କ୍ଷୁଣ୍ଣ କରିବା। ହରିୟାଣା କାରାଗାର ମହାନିର୍ଦେଶକଙ୍କ ଠାରୁ ଆରମ୍ଭ କରି ଅଦାଲତଯାଏଁ- ଏଥିପାଇଁ ସେ ସମସ୍ତ ସମ୍ଭାବ୍ୟ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବେ।

Image Source: Siasat

ପଞ୍ଚକୁଳ ଅଦାଲତଙ୍କ ଠାରୁ ଜାମିନ ପାଇବା ପରେ ନଭେମ୍ବର ୬ ତାରିଖ ଦିନ ହନିପ୍ରୀତ୍‌ ଅମ୍ବାଲା ଜେଲ୍‌ରୁ ମୁକୁଳିଥିଲେ। ସିର୍ସାରେ ଥିବା ଡେରା ସଚ୍ଚା ସୌଦା ଠାରେ ପହଞ୍ଚିବା ପର ଠାରୁ ସେ ତାଙ୍କ ବାପାଙ୍କୁ ଭେଟିବାକୁ କେତେ ଥର ଉଦ୍ୟମ କରିସାରିଲେଣି।

ଏବେ ସେ ଏ ସଂକ୍ରାନ୍ତରେ ହରିୟାଣା କାରାଗାରର ମହାନିର୍ଦେଶକଙ୍କ ପାଖକୁ ଆବେଦନ କରିଛନ୍ତି। ସେ ଅନୁମତି ନ ଦେଲେ ହନିପ୍ରୀତ୍‌ ଅଦାଲତକୁ ଯିବେ ବୋଲି ତାଙ୍କ ଓକିଲ କହିଛନ୍ତି।

ସମ୍ବନ୍ଧିତ ଖବର