ବାବାଙ୍କ ସହିତ ବିଦେଶ ଫେରାର ହୋଇ ବିଶ୍ୱ ମାନଚିତ୍ରରୁ ଭାରତକୁ ହଟାଇବାର ଷଡଯନ୍ତ୍ର କରିଥିଲେ ହନିପ୍ରୀତ !

ସିରିସା: ଦୁଇଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ କରିବା ଅପରାଧରେ ପଞ୍ଚକୁଲା ସ୍ୱତନ୍ତ୍ର ଅଦାଲତ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମଙ୍କୁ ୨୦ବର୍ଷ ଜେଲଦଣ୍ଡ ସହିତ ୩ ଲକ୍ଷ ଟଙ୍କାର ଜରିମାନାର ଶୁଣାଣି କରିଥିଲେ। ତେବେ ଅଗଷ୍ଟ ୨୫ ତାରିଖରେ ରାମ ରହିମଙ୍କ ମାମଲାର ଶୁଣାଣି ପାଇଁ ଏକ କାର୍‌ ଯୋଗେ ପଞ୍ଚକୁଲା ଅଣାଯାଇଥିଲା। ତେବେ ଏହି ସମୟରେ ରାମ ରହିମଙ୍କ ପୋଷ୍ୟକନ୍ୟା ହନିପ୍ରୀତ ଇନ୍‌ସା ବାବାଙ୍କ ସହିତ ମିଶି ବିଦେଶ ଫେରାର ହେବାର ଯୋଜନା ପ୍ରସ୍ତୁତ କରିଥିଲେ ବୋଲି ଗୁରୁବାର ଜଣାପଡ଼ିଛି । ପୁଲିସ୍‌ ପକ୍ଷରୁ ହନିପ୍ରୀତ ମାମଲାର ଚାର୍ଜସିଟ୍‌ ଦାଖଲ କରାଯିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ପୁଲିସ ସୂତ୍ରରୁ ପ୍ରକାଶ, ରାମ ରହିମଙ୍କୁ ଫେରାର କରିବା ତଥା ଦେଶଦ୍ରୋହୀ ମାମଲାରେ ହନିପ୍ରୀତଙ୍କୁ ଗିରଫ କରାଯାଇଥିଲା। ରାମ ରହିମ ଦୋଷୀସାବ୍ୟସ୍ତ ହେବା ପରେ ସିର୍‌ସାରେ ସୃଷ୍ଟି କରିଥିବା ହିଂସାକୁ ନେଇ ହନିପ୍ରୀତଙ୍କୁ ବିଭିନ୍ନ ପ୍ରଶ୍ନ ପଚରା ଯାଇଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ରହସ୍ୟ ଖୋଲିବାରେ ଲାଗିଛି।

ଗୁରୁବାର ହନିପ୍ରୀତ ଆଉ ଏକ ରହସ୍ୟର ପର୍ଦ୍ଦାଫାସ କରିଛନ୍ତି। ହନିପ୍ରୀତଙ୍କ କହିବାନୁସାରେ, ଅଗଷ୍ଟ ୧୭ରେ ଗୁରୁମିତ ରାମରହିମଙ୍କୁ କଷ୍ଟୋଡିରୁ ଛଡ଼ାଇ ନେପାଳ ରାସ୍ତା ଦେଇ ବିଦେଶ ଫେରାର ହୋଇଯିବାର ଯୋଜନା କରିଥିଲେ। ଏହି ଯୋଜନା ପାଇଁ ସେ ତାଙ୍କର ଓ ଗୁରୁମିତ ରାମ ରହିମଙ୍କର ପୋସ୍‌ପୋର୍ଟ, ସମସ୍ତ ସମ୍ପତ୍ତିର ଦସ୍ତାବିଜ, ବ୍ୟାଙ୍କ୍‌ ଚେକ୍‌ବୁକ୍‌, କ୍ରେଡିଟ୍‌ କାର୍ଡ ନେଇ ଆସିଥିଲେ। ଏହି ସମସ୍ତ ସମାଗ୍ରୀକୁ ଏକ ସୁଟ୍‌କେସ୍‌ରେ ରଖାଯାଇଥିଲା, ଯାହାକି ୨୫ଅଗଷ୍ଟରେ ଗୁରୁମିତ ରାମ ରହିମ ଯେଉଁ କାର୍‌ରେ ବସି ପଞ୍ଚକୁଲା ଆସିଥିଲେ ସେଥିରେ ସେ ରଖିଥିଲେ।

ହନିପ୍ରୀତଙ୍କ ଏହି ଚାର୍ଟସିଟ୍‌କୁ ପଞ୍ଚକୁଲା ଅଦାଲତରେ ଜମା କରାଯାଇଛି। ଚାର୍ଟସିଟ୍‌ ମୁତାବକ, ରାମରହିମଙ୍କୁ ଦୋଷୀସାବ୍ୟସ୍ତ କରିବା ପରେ ତାଙ୍କର ସମର୍ଥକମାନେ ଭାରତକୁ ବିଶ୍ୱ ମାନଚିତ୍ରକୁ ହଟାଇବା ପାଇଁ ଶପଥ ନେଇଥିଲେ। ବିଦେଶରେ ରହି ଦେଶବିରୋଧୀ ଗତିବିଧିରେ ସାମିଲ ହୋଇ ଭାରତକୁ ନଷ୍ଟ କରିଦେବାର ଯୋଜନା କରିଥିଲେ ହନିପ୍ରୀତ ।

ତେବେ ବାବାଙ୍କ ସହିତ ବିଦେଶ ଫେରାର ହେବାର ଯୋଜନା ସଫଳ ହୋଇ ପାରି ନଥିଲା। ହନିପ୍ରୀତ ଦସ୍ତାବିଜ ଭର୍ତ୍ତି ଥିବା ସୁଟକେସ୍‌କୁ ଧରି ଅଗଷ୍ଟ ୨୫ ତାରିଖରେ ଡେରାକୁ ଫେରି ଯାଇଥିଲେ। ୨୭ ଅଗଷ୍ଟରେ ଏହି ସମସ୍ତ ଦସ୍ତାବିଜ ନେଇ ଜୟପୁର ଯାଇଥିଲେ। ଏହାପୂର୍ବରୁ ସେ ତାଙ୍କ ଲ୍ୟାପ୍‌ଟପ୍‌ ଓ ମୋବାଇଲ ବିପାଶନାଙ୍କ ନିକଟରେ ଜମା ରଖିଥିଲେ।

ଗୁରୁମିତ ରାମ ରହିମ ତାଙ୍କ ସୁରକ୍ଷା ପାଇଁ ‘କୁରବାନି ଗ୍ୟାଙ୍ଗ୍‌’ ପ୍ରସ୍ତୁତ କରି ରଖିଥିଲେ। ଏହି ଗ୍ୟାଙ୍ଗ୍‌ ବାବାଙ୍କୁ ପୁଲିସ୍‌ କଷ୍ଟୋଡିରୁ ମୁକୁଲାଇବା ସହିତ ପୁଲିସ ଓ ସୁରକ୍ଷାକର୍ମୀଙ୍କ ଉପରେ ହାମ୍‌ଲା କରିବାକୁ ବି ପ୍ରସ୍ତୁତ ହୋଇ ରହିଥିଲେ। ଏପରିକି ସିରିସ୍‌ାରେ ହିଂସା ସୃଷ୍ଟି କରିବା ପାଇଁ ଭଡାରେ ଗୁଣ୍ଡା ଡକାଇବା ନେଇ ଚକୌର ସିଂହକୁ ଦାୟିତ୍ୱ ଦିଆଯାଇଥିଲା।

ସମ୍ବନ୍ଧିତ ଖବର