ହନିପ୍ରୀତଙ୍କ ମା’ ରାକ୍ଷୀ ସାଓ୍ଵନ୍ତଙ୍କୁ ପଠାଇଲେ ୫କୋଟିର ମାନହାନୀ ନୋଟିସ୍‌, ମାସକ ମଧ୍ୟରେ କ୍ଷମା ମାଗିବାକୁ କହିଲେ

ନୂଆଦିଲ୍ଲୀ: ଜେଲରେ ବନ୍ଦୀ ଥିବା ଡେରା ସଚ୍ଚାସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କ ପୋଷ୍ୟକନ୍ୟା ହନିପ୍ରୀତଙ୍କୁ ନେଇ ଆଉ ଏକ ଖବର ପ୍ରକାଶ ପାଇଛି। ଏଥର ହନିପ୍ରୀତ ଚର୍ଚ୍ଚାକୁ ଆସିବାର କାରଣ ରାକ୍ଷୀ ସାଓ୍ଵନ୍ତଙ୍କ ପାଖକୁ ତାଙ୍କ ମା’ ପଠାଯାଇଥିବା ୫କୋଟିର ମାନହାନୀ ନୋଟିସ୍‌ ରହିଛି।

ସୂଚନାଯୋଗ୍ୟ, ହନିପ୍ରୀତଙ୍କ ମା’ ଆଶା ତନେଜା ରାକ୍ଷୀ ସାଓ୍ଵନ୍ତଙ୍କ ପାଖକୁ ଏକ ମାନହାନୀ ନୋଟିସ୍‌ ପଠାଇଛନ୍ତି। ଏହି ନୋଟିସ୍‌ର ଜବାବ ଦେବା ପାଇଁ ରାକ୍ଷୀ ସାଓ୍ଵନ୍ତଙ୍କୁ ୩୦ଦିନର ସମୟ ଦିଆଯାଇଛି। ଯଦି ୩୦ଦିନ ମଧ୍ୟରେ ରାକ୍ଷୀ ସାଓ୍ଵନ୍ତ ଏହି ନୋଟିସ୍‌ର ଜବାବ ନଦିଅନ୍ତି ତେବେ ତାଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ ହେବ।

ରାକ୍ଷୀ ସାଓ୍ଵନ୍ତ ଗୁରମିତ ରାମ ରହିମ ଓ ତାଙ୍କର ପୋଷ୍ୟକନ୍ୟା ହନିପ୍ରୀତଙ୍କ ବିରୋଧରେ ଡେରା ବିବାଦ ସମୟରେ ସାଂଘାତିକ ଅଭିଯୋଗ ଆଣିଥିଲେ। ରାକ୍ଷୀ କହିଥିଲେ, ସେ ଏକ ସିନେମା କରିବେ, ଯେଉଁଥିରେ ସେ ହନିପ୍ରୀତଙ୍କ ଭୂମିକାରେ ଅଭିନୟ କରି ଦୁହିଁଙ୍କ ଚରିତ୍ରକୁ ସମସ୍ତଙ୍କ ସାମ୍ନାକୁ ଆଣିବେ ।

ଅକ୍ଟୋବରରେ ହନିପ୍ରୀତ ଗିରଫ ହେବା ପରେ ସାଓ୍ଵନ୍ତ କହିଥିଲେ, ‘ମୁଁ ପୂର୍ବରୁ ଗୁରମିତଙ୍କ ପୋଷ୍ୟ କନ୍ୟାଙ୍କୁ ଜାଣିଥିଲି। ପାଖାପାଖି ସାତରୁ ଆଠବର୍ଷ ହେବ ମୁଁ ହନିପ୍ରୀତଙ୍କୁ ଚିହ୍ନଛି ଏବଂ ତାଙ୍କ ସମ୍ପର୍କରେ ବହୁତ କିଛି ଭଲ ଭାବେ ଜାଣିଛି। ଏବେ ସେ ଗିରଫ ହୋଇ ଯାଇଛନ୍ତି। ମୁଁ ସିନେମାର ସମାପ୍ତି ପାଇଁ ହନିପ୍ରୀତଙ୍କୁ ଗୁରମିତ ରାମ ରହିମଙ୍କ ଦ୍ୱାରା ହତ୍ୟା କରିବା  ଦର୍ଶାଇବି ।’

ଏତଦବ୍ୟତୀତ ସାଓ୍ଵନ୍ତ ଅକ୍ଟୋବରରେ ଅଭିଯୋଗ ଆଣି କହିଥିଲେ, ଗୁରମିତ ମୋତେ ବିଭିନ୍ନ ସମୟରେ ଡେରାକୁ ଡକାଇ ଥାଆନ୍ତି। ମୋ ସହିତ ଶାରୀରିକ ସମ୍ପର୍କ ରଖିବାରେ ତାଙ୍କର ରୁଚି ରହିଛି ବୋଲି ବି ସେ କହିଥିଲେ। ବାବା ମୋତେ ଚାହୁଁଥିଲେ,କିନ୍ତୁ ହନିପ୍ରୀତ ତାଙ୍କୁ ମୋ ସହିତ ମିଶିବାକୁ ଦେଉ ନଥିଲେ। କାରଣ ମୋତେ ନେଇ ହନିପ୍ରୀତ ଭିବଷ୍ୟତରେ କୌଣସି ସୁବିଧାରେ ନପଡନ୍ତୁ, ସେ ନେଇ ତାଙ୍କର ଭୟ ଥିଲା।

ହନିପ୍ରୀତଙ୍କ ମା’ ଆଶା ତନେଜା ଓକିଲଙ୍କ ଦ୍ୱାରା ରାକ୍ଷୀ ସାଓ୍ଵନ୍ତଙ୍କୁ ପଠାଇଥିବା ମାନହାନୀ ନୋଟିସ୍‌ରେ, ରାକ୍ଷୀ ସାଓ୍ଵନ୍ତଙ୍କୁ ୩୦ଦିନ ଭିତରେ କ୍ଷମା ମାଗିବାକୁ କହିଛନ୍ତି। ହନିପ୍ରୀତଙ୍କ ମା’ଙ୍କ କହିବାନୁସାରେ ଡେରା ସଚ୍ଚା ସୌଦା ମାମଲାରେ ରାକ୍ଷୀ ସାଓ୍ଵନ୍ତ ଭୁଲ ବୟାନ ଦେଇ ହନିପ୍ରୀତଙ୍କୁ ବଦନାମ କରିଥିଲେ। ଓକିଲ କହିଛନ୍ତି, ରାକ୍ଷୀ ସାଓ୍ଵନ୍ତ ନିଜ ବୟାନ ଫେରାଇ ନେବା ଉଚିତ। ଯଦି ସେ ଏପରି ନକରି କରନ୍ତି ତେବେ ତାଙ୍କ ବିରୋଧରେ ୫କୋଟି ଟଙ୍କାର ମାନହାନୀ ମାମଲା ରୁଜୁ ହେବ। ଏହି ଘଟଣାକୁ ନେଇ ରାକ୍ଷୀ ସାଓ୍ଵନ୍ତ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନାହିଁ।

ଉଲ୍ଲେଖଯୋଗ୍ୟ, ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ଦୁଇଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପଞ୍ଚକୁଲା ସିବିଆଇ ସ୍ୱତନ୍ତ୍ର ଅଦାଲତ ତାଙ୍କୁ ୨୦ବର୍ଷ ଜେଲ ଦଣ୍ଡ ସହିତ ୩ଲକ୍ଷ ଟଙ୍କାର ଜରିମାନର ଶୁଣାଣି କରିଥିଲେ।

ସମ୍ବନ୍ଧିତ ଖବର