ଚୀନ୍‌ରେ ଖୋଲିଲା ବିଶ୍ୱର ଦୀର୍ଘତମ ସମୁଦ୍ର ସେତୁ

ଝୁହାଇ: ହଙ୍ଗ୍‌ କଙ୍ଗ୍‌, ମାକାଉ ଏବଂ ମେନ୍‌ଲାଣ୍ଡ୍‌ ଚାଇନାକୁ ସଂଯୋଗ କରୁଥିବା ବିଶ୍ୱର ସର୍ବବୃହତ୍‌ ସମୁଦ୍ର ସେତୁକୁ ମଙ୍ଗଳବାର ଦିନ ଚୀନ୍‌ର ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଉଦ୍ଘାଟନ କରିଛନ୍ତି।

ଦକ୍ଷିଣ ମେନ୍‌ଲାଣ୍ଡ୍‌ର ଝୁହାଇ ସହରରେ ଥିବା ନିୟୁ ପୋର୍ଟ ଟର୍ମିନାଲ୍‌ ଠାରେ ହଙ୍ଗ୍‌ କଙ୍ଗ୍‌ ଏବଂ ମାକାଉ ସହରର ନେତା ଯୋଗ ଦେଇଥିବା ଉଦ୍‌ଘାଟନୀ ଉତ୍ସବରେ ଜି ଏହି ସେତୁକୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଥିଲେ।

ଘର ଭିତରେ ହୋଇଥିବା ଏହି ଉଦ୍‌ଘାଟନୀ ଉତ୍ସବର ମଞ୍ଚ ପଛରେ ଡିଜିଟାଲ୍‌ ବାଣ ଫୁଟୁଥିବା ବେଳେ ଜି କହିଲେ: ହଙ୍ଗ୍‌ କଙ୍ଗ୍‌-ଝୁହାଇ-ମାକାଉ ସେତୁ ଆନୁଷ୍ଠାନିକ ଭାବେ ଖୋଲିଲା ବୋଲି ମୁଁ ଘୋଷଣା କରୁଛି। ଏତିକି କହି ସେ ତୁରନ୍ତ ଚାଲିଯାଇଥିଲେ। ଶ୍ରୋତାମାନଙ୍କୁ ସେ କୌଣସି ଉଦ୍‌ବୋଧନ ଦେଇ ନ ଥିଲେ।

୫୫ କିଲୋମିଟର୍‌ ଦୀର୍ଘ ଏହି ସେତୁରେ ରହିଛି ଏକ ସର୍ପିଳ ରାସ୍ତା ଏବଂ ପାଣି ଭିତର ସୁଡ଼ଙ୍ଗ। ଏହା ହଙ୍ଗ୍‌ କଙ୍ଗ୍‌ର ଲାଣ୍ଟାଉ ଦ୍ୱୀପରୁ ଝୁହାଇ ଏବଂ ମାକାଉର ଗ୍ୟାମ୍ବ୍‌ଲିଙ୍ଗ୍‌ ଏନ୍‌କ୍ଲେଭ୍‌, ପର୍ଲ ରିଭର୍‌ ଏସ୍‌ଟାଉରିର କ୍ରସ୍‌ ଓ୍ଵାଟର୍‌କୁ ସଂଯୋଗ କରୁଛି। ଏହା ହେଉଛି ବେଜିଙ୍ଗ୍‌ ଯୋଜନା କରିଥିବା ‘ଗ୍ରେଟର୍‌ ବେ ଏରିଆ’ ଅର୍ଥନୈତିକ ନାଭିଚକ୍ରର ଅଂଶ ବିଶେଷ।

ଏହି ବିଶାଳ ସେତୁ ଦେଇ ବୁଧବାର ଦିନ ଯାନବାହନ ଚଳାଚଳ କରିବ।

୨୦୦୯ରେ ନିର୍ମାଣ ଆରମ୍ଭ ହୋଇଥିବା ଏହି ସେତୁର ସମାପ୍ତି, ଅଟକଳକୁ ବଳିଯିବା, ଦୁର୍ନୀତି ବିଚାର ଏବଂ ଶ୍ରମିକଙ୍କ ମୃତ୍ୟୁ ଆଦି କାରଣ ଯୋଗୁଁ ବିଳମ୍ବ ହୋଇଥିଲା।

ସମ୍ବନ୍ଧିତ ଖବର