ପୁଣି କାହିଁକି ଚର୍ଚ୍ଚାରେ ତିଆନାନମେନ ଗଣହତ୍ୟା ?

ହଂକଂ : ଶନିବାର ଅର୍ଥାତ ଜୁନ ୪ ଥିଲା ତିଆନାନମେନ ଗଣହତ୍ୟାର ୩୪ତମ ବର୍ଷପୂର୍ତ୍ତି । କିନ୍ତୁ ଏହି ଗଣହତ୍ୟା ସ୍ମୃତିରେ  ହଂକଂରେ ଆୟୋଜିତ ଏକ ମହମ ବତୀ ଶୋଭାଯାତ୍ରାକୁ ଚୀନ ପକ୍ଷରୁ ନିଷିଦ୍ଧ କରାଯାଇଛି । ୩ ବର୍ଷ ପୂର୍ବେ ହଂକଂରେ ହୋଇଥିବା ଗଣତନ୍ତ୍ର ସପକ୍ଷବାଦୀ ବିକ୍ଷୋଭ ପରେ ଚୀନ ଏପରି କୌଣସି ଶୋଭାଯାତ୍ରାକୁ ଅନୁମତି ଦେଉନାହିଁ ଓ ଏପରି ଶୋଭାଯାତ୍ରାରେ ଭାଗ ନେଉଥିବା ଲୋକମାନଙ୍କୁ କଠୋର ହସ୍ତରେ ଦମନ କରୁଛି । ହଂକଂରେ ଚୀନ ପକ୍ଷରୁ ଲାଗୁ କଠୋର ଜାତୀୟ ସୁରକ୍ଷା ଆଇନକୁ ବ୍ୟବହାର କରି ପୁଲିସ ପକ୍ଷରୁ ଦମନଲୀଳା ଚଳାଯାଉଛି ।

ଅନ୍ୟପକ୍ଷରେ ତାଇଓ୍ବାନର ରାଜଧାନୀ ତାଇପେଇଠାରେ ଆଜି ସତ୍ତ୍ବେ ଶହ ଶହ ବିକ୍ଷୋଭକାରୀ ‘ଲଜ୍ଜା ସ୍ତମ୍ଭ’ ନିକଟରେ ଏକତ୍ରିତ ହୋଇ ବିକ୍ଷୋଭ କରିଥିଲେ ।

ତିଆନାନମେନ ଗଣହତ୍ୟା କଣ ?

୧୯୮୦ ଦଶକରେ ଚୀନରେ ଅର୍ଥନୈତିକ ସଂକଟ ଦେଖାଦେଇଥିବାବେଳେ ଶାସକ କମ୍ୟୁନିଷ୍ଟ ଦଳ ବିରୋଧରେ ଅନେକ ଦୁର୍ନୀତି ଅଭିଯୋଗ ଆସିଥିଲା । ଏସବୁ ବିରୋଧରେ ଚୀନର ସାଧାରଣ ଲୋକେ ବିଶେଷକରି ଛାତ୍ରଛାତ୍ରୀମାନେ ବିକ୍ଷୋଭ ଆରମ୍ଭ କରିଦେଇଥିଲେ ।

ଲୋକମାନେ ଚୀନରେ କମ୍ୟୁନିଷ୍ଟ ଦଳର କଠୋର କଟକଣାକୁ ଉଠାଇବା ସହ ଗଣତାନ୍ତ୍ରିକ ଅଧିକାର ପ୍ରଦାନ କରିବାକୁ ବିକ୍ଷୋଭ କରୁଥିଲେ । ୧୯୮୯, ଜୁନ ୪ରେ ବେଜିଂର ତିଆନାନମେନ ଛକଠାରେ ଏକ ବଡ଼ ଧରଣର ବିକ୍ଷୋଭ ହୋଇଥିଲା । ଏହାକୁ ଦମନ କରିବାକୁ ଚୀନ ସରକାର ଚୀନ ସେନା (ପିଏଲଏ)କୁ ନିୟୋଜିତ କରିଥିଲେ । ପିଏଲଏ ଅତ୍ୟନ୍ତ ନିର୍ମମ ଭାବେ ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ଟ୍ୟାଙ୍କରୁ ଗୁଳି ଚଳାଇ ହତ୍ୟା କରିଥିଲେ । ଚୀନ ସରକାରଙ୍କ ତଥ୍ୟ ଅନୁସାରେ ପ୍ରାୟ ୩୦୦ ଲୋକ ମୃତ୍ୟୁବରଣ କରିଥିଲେ । କିନ୍ତୁ ବିଭିନ୍ନ ଅନ୍ତର୍ଜାତୀୟ ଏଜେନ୍ସିଙ୍କ ରିପୋର୍ଟ ଅନୁସାରେ ଏହି ଘଟଣାରେ ପ୍ରାୟ ୨୭୦୦ଲୋକ ପ୍ରାଣ ହରାଇଥିଲେ ।

ସମ୍ବନ୍ଧିତ ଖବର