ତୀବ୍ର ହେଲା ହଂକଂରେ ଗଣତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ, ଏୟାରପୋର୍ଟରୁ ଫ୍ଲାଇଟ୍‌ ଚଳାଚଳ ବନ୍ଦ କରାଗଲା

ହଂକଂ : ହଂକଂରେ ଚୀନ ବିରୋଧୀ ଓ ଗଣତନ୍ତ୍ର ସପକ୍ଷବାଦୀ ବିକ୍ଷୋଭ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ହଂକଂ ଅନ୍ତର୍ଜାତୀୟ ବିମାନବନ୍ଦର ଆଗରେ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ବସିରହିଥିବାରୁ କ୍ରମାଗତ ଦୁଇଦିନ ଧରି ଫ୍ଲାଇଟ ଚଳାଚଳ ବନ୍ଦ ରହିଛି । ମଙ୍ଗଳବାରଦିନ ସକାଳେ ଫ୍ଲାଇଟ ସେବା କିଛି ସମୟପାଇଁ ଖୋଲିଥିଲେ ମଧ୍ୟ କିଛି ସମୟ ମଧ୍ୟରେ ତାହାକୁ ବନ୍ଦ କରିଦିଆଯାଇଥିଲା । ସୋମବାରଦିନ ପରି ଆଜି ମଧ୍ୟ ହଂକଂ ଏୟାରପୋର୍ଟରୁ ସବୁ ଫ୍ଲାଇଟକୁ ବାତିଲ କରିଦିଆଯାଇଛି ।

ଏହା ସହିତ ସବୁ ଯାତ୍ରୀମାନଙ୍କୁ ତୁରନ୍ତ ଏୟାରପୋର୍ଟ ଛାଡିବାକୁ କୁହାଯାଇଛି ।
ଏକ ପ୍ରତ୍ୟାର୍ପଣ ଆଇନକୁ ନେଇ ହଂକଂରେ ଗତ ଦୁଇ ମାସ ତଳେ ଏହି ବିକ୍ଷୋଭ ଆରମ୍ଭ ହୋଇଥିଲା । ପ୍ରବଳ ବିରୋଧ ଯୋଗୁଁ ଚୀନ ସରକାର ଏହି ବିଲକୁ ସ୍ଥଗିତ ରଖିଛନ୍ତି । କିନ୍ତୁ ବିକ୍ଷୋଭକାରୀମାନେ ଏହି ବିଲର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି କରୁଛନ୍ତି । ଅନ୍ୟପକ୍ଷରେ ଏହି ଆନ୍ଦୋଳନର ପରିଣତି ଭୟଙ୍କର ହେବ ବୋଲି ଚୀନ ସରକାର ସତର୍କ କରାଇଦେଇଛନ୍ତି । ଏହା ସତ୍ତ୍ୱେ ବିକ୍ଷୋଭ ଜାରି ରହିଛି ଓ ଦିନକୁ ଦିନ ଅଧିକ ବିଶାଲ ହେଉଛି ।

ସମ୍ବନ୍ଧିତ ଖବର