ନିରବ ମୋଦି ଗିରଫ ବାବଦରେ ହଂକଂ ସରକାର ନିଷ୍ପତ୍ତି ନେବେ: ଚୀନ

ବେଜିଂ: ଦେଶର ସବୁଠୁ ବଡ଼ ଠକ ନିରବ ମୋଦି ହଂକଂରେ ଥିବା ସଂଦେହ କରାଯାଉଛି । ଏ ନେଇ ଗୁଇନ୍ଦା ସୁତ୍ରରୁ ସୁରାକ ମିଳିବା ପରେ ତାକୁ ଗିରଫ କରିବାକୁ ଭାରତ ସରକାର ହଂକଂର ସ୍ୱତନ୍ତ୍ର ପ୍ରାଶାସନିକ ଅଞ୍ଚଳ ସରକାରଙ୍କୁ ଅନୁରୋଧ କରିଥିବା ଜଣାପଡିଛି । ଗତ ସପ୍ତାହରେ କେନ୍ଦ୍ର ବିଦେଶ ରାଷ୍ଟ୍ରମନ୍ତ୍ରୀ ଭି.କେ. ସିଂ ଏ ସଂପର୍କରେ ସଂସଦକୁ ସୂଚୀତ କରିଛନ୍ତି ।

ଅନ୍ୟପକ୍ଷରେ ଚୀନ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଚୀନର ଏକ ଦେଶ ଦୁଇ ବ୍ୟବସ୍ଥା ନିୟମ ଅନୁସାରେ ହଂକଂ ସରକାର କେନ୍ଦ୍ରୀୟ ସରକାରଙ୍କ ପରାମର୍ଶ ଓ ନିଜସ୍ୱ ଆଇନ ଅନୁସାରେ ଏ ବାବଦରେ ନିଷ୍ପତ୍ତି ନେଇପାରିବେ । ଭାରତ ଯଦି ଉପଯୁକ୍ତ ଭାବେ ହଂକଂ ସରକାରଙ୍କୁ ଆବେଦନ କରନ୍ତି ତେବେ ହଂକଂ ସରକାର ଏ ନେଇ ଆଇନ ଅନୁସାରେ ପଦକ୍ଷେପ ନେବେ । ଉଲ୍ଲେଖଯୋଗ୍ୟ ଯେ ଚୀନ ଅଧିନରେ ଆସୁଥିଲେ ମଧ୍ୟ ହଂକଂ କେତେକ ପ୍ରାଶାସନିକ ସ୍ୱାୟତ୍ତତା ଉପଭୋଗ କରିଥାଏ ।

ସୂଚନାଯୋଗ୍ୟ ଯେ ପ୍ରାୟ ୧୩ ହଜାର କୋଟି ଟଙ୍କାର ପିଏନବି ମହାଦୁର୍ନୀତିର ମୁଖ୍ୟ ନାୟକ କୁହାଯାଉଥିବା ନିରବ ମୋଦି ହଂକଂରେ ଥିବା ଗତ ମାର୍ଚ୍ଚ ମାସରେ ହିଁ ଜଣାପଡିଥିଲା । ନିରବ ମୋଦି ଓ ତାଙ୍କ ମାମୁଁ ମେହୁଲ ଚୋକସୀ ମିଳିତଭାବେ ଷଡ଼ଯନ୍ତ୍ର କରି ଜାଲ ଏଲଓୟୁ ମାଧ୍ୟମରେ ଏହି ଠକେଇ କରିଥିବା ଜଣାପଡିଛି । ପିଏନବି ଠକେଇ ମାମଲାର ସିବିଆଇ ତଦନ୍ତ କରୁଛି । କିନ୍ତୁ ଏହା ସହିତ ଇଡି ମଧ୍ୟ ଏକ ମନି ଲଣ୍ଡରିଂ ମାମଲା ରଜ୍ଜୁ କରିଛି ।

ସମ୍ବନ୍ଧିତ ଖବର