ନୂଆଦିଲ୍ଲୀ : ଆଜାଦୀର ଅମୃତ କାଳରେ ଦେଶରେ ଜୀବିତ ରହିଥିବା ସ୍ବାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନିତ କରାଯାଉ ବୋଲି ଆଜି ଲୋକସଭାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଲୋକସଭାର ଶୂନ୍ୟକାଳରେ ଶ୍ରୀ ମହତାବ ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଲେ ଯେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନିତ କରାଯିବା ସହିତ ସମସ୍ତ ସ୍ବାଧୀନତା ସଂଗ୍ରାମୀମାନଙ୍କ ପରିବାରକୁ ‘ଫାମିଲି ଅଫ୍ ପାଟ୍ରିଅଟ୍‌ସ’ ପରିଚୟପତ୍ର ପ୍ରଦାନ କରାଯିବାର ଆବଶ୍ୟକତା ରହିଛି।

Advertisment

ଏହି ଅବସରରେ ‌ସେ ଆମେରିକାର ଉଦାହରଣ ଦେଇ କହିଲେ ଯେ ୨୦୦ ବର୍ଷ ପୂର୍ବେ ଆମେରିକାରେ ସ୍ବାଧୀନତା ସଂଗ୍ରାମ ହୋଇଥିଲା। ଏଠାରେ ସ୍ବାଧୀନତା ଆନ୍ଦୋଳନରେ ସାମିଲ ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ଚିହ୍ନଟ କରାଯାଇ ସେମାନଙ୍କୁ ‘ଫାମିଲି ଅଫ୍ ପାଟ୍ରିଅଟ୍‌ସ’ ଭାବେ ସମ୍ମାନିତ କରାଯାଇଛି। ୧୯୪୭ରେ ଦେଶ ସ୍ବାଧୀନ ହେଲା ବେଳେ ଭାରତର ଜନସଂଖ୍ୟା ୩୩ କୋଟି ଥିଲା। ସେହି ସମୟରେ କେବଳ ୧୦ ଲକ୍ଷ ଲୋକ ହିଁ ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ । ୧୯୭୨ରେ ଇନ୍ଦିରା ଗାନ୍ଧିଙ୍କ ସମୟରେ ସ୍ବାଧୀନତାର ରୌପ୍ୟ ଜୟନ୍ତୀ ପାଳନ କରାଯାଇଥିଲା। ସେତେବେଳେ ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କୁ ‘କପର୍‌ ପ୍ଲେକ୍‌’ ପ୍ରଦାନ କରାଯାଇଥିଲା। ଜେଲ ଯାଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ନିକଟରେ ଏବେ ବି ଏହି ସ୍ମୃତି ଚିହ୍ନ ରହିଛି ବୋଲି ଶ୍ରୀ ମହତାବ କହିଥିଲେ।