ଅନର୍‌ କିଲିଂ:ଆନ୍ଧ୍ରପ୍ରଦେଶରେ ଝିଅକୁ ହତ୍ୟା କଲା ବାପା

ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶ‌ରେ ଅନ୍ୟ ଜାତିରେ ପ୍ରେମ କରିବାରୁ ଝିଅକୁ ନିଜ ହାତରେ ବାପା ତଣ୍ଟି ଚିପି ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲା ସ୍ଥିତ ଥାଲୁର ବ୍ଲକ୍‌ର କୋଟ୍ଟାପାଲେମ୍‌ ଗ୍ରାମରେ ଏଭଳି ଘଟଣା ଘଟିଛି। କେ ଭେଙ୍କା ରେଡ୍ଡି ନାମକ ଜଣେ ବ୍ୟକ୍ତି ତାଙ୍କର ୨୦ ବର୍ଷୀୟା ଝିଅ କେ ବୈଷ୍ଣବୀଙ୍କୁ ତଣ୍ଟି ଚିପି ମାରିଦେଇଛନ୍ତି। ବୈଷ୍ଣବୀ ଓଙ୍ଗୋଲ୍‌ ସହରର ଏକ ଘରୋଇ ‌କଲେଜ୍‌ରେ ଯୁକ୍ତ ୩ ଦ୍ବିତୀୟ ବର୍ଷର ବାଣିଜ୍ୟ ଛାତ୍ରୀ ଥିଲେ। ‌ତେବେ ସେ ତାଙ୍କର ଜଣେ କ୍ଲାସମେଟ୍‌ଙ୍କ ପ୍ରେମରେ ପଡ଼ି ଯାଇଥି‌ଲେ। ଏହି ଯୁବକ ଜଣକ ଅନ୍ୟ ଜାତିର ଥିଲେ। ଏକଥା ବୈଷ୍ଣବୀଙ୍କ ବାପା ଜାଣିବାପରେ ତାଙ୍କୁ ଏଥିରୁ ବାରଣ କରିଥିଲେ। କିନ୍ତୁ ବୈଷ୍ଣବୀ ତାଙ୍କ ବାପାଙ୍କ କଥାରେ ରାଜି ହୋଇନଥିଲେ। ନିଜ ପ୍ରେମିକ ସହ ଘର ଛାଡ଼ି ପଳାଇବାକୁ ଯୋଜନା କରିଥିଲେ। ଗତ ୨ ତାରିଖରେ ସେ ଘର ଛାଡ଼ି ଦେଇଥିଲେ । କିନ୍ତୁ ବୈଷ୍ଣବୀଙ୍କ ବାପା ଏ ବାବଦରେ ଜାଣିବାପରେ ତାଙ୍କୁ ଘରକୁ ଫେରାଇ ଆଣିଥି‌ଲେ। ବୈଷ୍ଣବୀଙ୍କୁ ନିଷ୍ପତ୍ତି ବଦଳାଇବାପାଇଁ ତାଙ୍କୁ ବାଧ୍ୟ କରାଯିବାରୁ ଏହାକୁ ନେଇ ଏହି ବୈଷ୍ଣବୀ ଏବଂ ତାଙ୍କ ବାପାଙ୍କ ମଧ୍ୟ‌ରେ ଜୋରଦାର ଯୁକ୍ତିତର୍କ ହୋଇଥିଲା। ଶେଷରେ ବୈଷ୍ଣବୀଙ୍କୁ ତାଙ୍କ ବାପା ତଣ୍ଟି ଚିପି ମାରିଦେଇଥିବା ଜଣାପଡ଼ିଛି। ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଅଟକ ରଖି ମାମଲାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର