ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଦେଶରେ ଜନଗଣନା କରିବା ସମ୍ଭାବନା ଦୃଷ୍ଟିଗୋଚର ହେଉନାହିଁ। ଆଗାମୀ ଲୋକସଭା ନିର୍ବାଚନ ୨୦୨୩ ଏପ୍ରିଲ-ମେ ବେଳକୁ ହୋଇପାରେ। ତେବେ ଜନଗଣନା ପାଇଁ ଦେଶରେ ୩୦ ଲକ୍ଷ ଗଣନାକାରୀ ଦୁଇଟି ପର୍ଯ୍ୟାୟରେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ୨୦୨୩ରେ ଜନଗଣନା ପାଇଁ ହାତରେ କମ୍‌ ସମୟ ରହିଛି। ଯଦି ୨୦୨୩ରେ ଜନଗଣନା କରା ନଯାଏ ତାହେଲେ ୨୦୨୪ରେ ହେବା ସମ୍ଭାବନା ନାହିଁ। କାରଣ ସାଧାରଣ ନିର୍ବାଚନ ସମୟରେ ଏହି କାର୍ଯ୍ୟ ସମ୍ଭବ ହେବନାହିଁ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ୨୦୨୧ ଜନଗଣନା କରିବା ପାଇଁ କେନ୍ଦ୍ର ସରକାର ୨୦୧୯ ମାର୍ଚ୍ଚ ୨୮ରେ ‌ଗେଜେଟ୍ ବିଜ୍ଞପ୍ତି ଜାରି କରିଥିଲେ। କିନ୍ତୁ କରୋନା ମହାମାରୀ ଆସିଯିବା ଦ୍ବାରା କ୍ଷେତ୍ର‌ସ୍ତରରେ ହେବାକୁ ଥିବା କାର୍ଯ୍ୟକୁ ସରକାର ଘୁଞ୍ଚାଇ ଦେଇଥିଲେ। ଯଦିଓ ଚଳିତବର୍ଷ ମାର୍ଚ୍ଚରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ କରୋନା ସଂକ୍ରମଣ ଜନିତ କଣକଣାକୁ ଉଠାଇ ଦେଇଛନ୍ତି ତଥାପି ଜନଗଣନା ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ।

Advertisment

ଅନ୍ୟପକ୍ଷରେ ଚଳିତବର୍ଷ ଅକ୍ଟୋବର ୧୯ରେ ଭାରତର ରେଜିଷ୍ଟ୍ରାର ଜେନେରାଲ ଆଣ୍ଡ ସେନସସ କମିସନର ଥିବା ବିବେକ ଯୋଶୀଙ୍କୁ ଆର୍ଥିକ ସେବା ବିଭାଗର ସଚିବ କରାଯାଇଛି। ଗୃହ ବିଭାଗରେ ଅତିରିକ୍ତ ସଚିବ ଥିବା ମୃତ୍ୟୁଞ୍ଜୟ କୁମାର ନାରାୟଣଙ୍କୁ ଗୃହ ବିଭାଗକୁ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ତାଙ୍କୁ ସେନସସ କମିସନର ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ତେଣୁ ଏଥିରୁ ଯାହା ଜଣାପଡ଼ୁଛି ବର୍ତ୍ତମାନ ଜନଗଣନା କାର୍ଯ୍ୟ ସରକାରଙ୍କ ଅଗ୍ରାଧିକାର ଭାବେ ନାହିଁ।

publive-image www.thehindu.com

ଭାରତରେ ଜନଗଣନା ଦୁଇଟି ପର୍ଯ୍ୟାୟରେ ହୋଇଥାଏ। ପ୍ରଥମ ଘରର ତାଲିକା ହୋଇଥାଏ। ପ୍ରଥମ ପର୍ଯ୍ୟାୟରେ ଗୃହର ସ୍ଥିତି, ପରିବାରରେ ଉପଲବ୍ଧ ଥିବା ସୁବିଧା ସୁଯୋଗ ଏବଂ ସଂପତ୍ତି ବିଷୟରେ ସୂଚନା ମିଳିଥାଏ। ଦ୍ବିତୀୟ ପର୍ଯ୍ୟାୟରେ ଲୋକ, ଧର୍ମ, ତଫସିଲଭୁକ୍ତ ଜାତି ଓ ଜନଜାତି, ଭାଷା, ସାକ୍ଷରତା ଏବଂ ଶିକ୍ଷା, ଅର୍ଥନୈତିକ କାର୍ଯ୍ୟକଳାପ, ଦେଶାନ୍ତର ଏବଂ ପ୍ରଜନନ ଆଦି ତଥ୍ୟ ସଂଗ୍ରହ ହୋଇଥାଏ।

ଘର ତାଲିକାଭୁକ୍ତ କରିବା ପାଇଁ ତୃଣମୂଳ ସ୍ତରରେ ପ୍ରତି ରାଜ୍ୟକୁ ୪୫ ଦିନ ସମୟ ପ୍ରଦାନ କରାଯିବ। ଏହି ପ୍ରକ୍ରିୟା ୬ ମାସ ଭିତରେ ସରିବା ଆବଶ୍ୟକ। ସାଧାରଣତଃ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଏହି କାର୍ଯ୍ୟ ହୋଇଥାଏ।

ବର୍ଷା କିମ୍ବା ଶୀତ ଦିନେ ଜନଗଣନା କାର୍ଯ୍ୟ କରାଯାଇ ପାରିବ ନାହିଁ। ରାଜ୍ୟଗୁଡ଼ିକ ସାଧାରଣତଃ ଏପ୍ରିଲ-ମେ ମାସରେ ଏହି କାର୍ଯ୍ୟ କରିଥାନ୍ତି। କାରଣ ଦେଶର ଅଧିକାଂଶ ସ୍ଥାନରେ ଜୁନ ମାସରେ ମୌସୁମୀ ବର୍ଷା ଆସିଯାଇଥାଏ। ତେଣୁ ଯଦି ବି ଏବେ ଜନଗଣନା ପାଇଁ ବିଜ୍ଞପ୍ତି ଜାରି ହୁଏ ସମୟ ଅଭାବରୁ ୨୦୨୩ରେ ଉକ୍ତ କାର୍ଯ୍ୟ ସମ୍ଭବ ହେବନାହିଁ ବୋଲି ଅନ୍ୟ ଜଣେ ଅଧିକାରୀ କହିଛନ୍ତି। ସେହିଭଳି ଦ୍ବିତୀୟ ପର୍ଯ୍ୟାୟରେ ଜନଗଣନା କାର୍ଯ୍ୟ ସାଧାଣଣତଃ ଫେବ୍ରୁଆରି ୯ରୁ ଫେବ୍ରୁଆରି ୨୮ ମଧ୍ୟରେ ହୋଇଥାଏ।

publive-image Deccan Herald

ଅନ୍ୟ ବଡ଼ ସମସ୍ୟା ହେଲା ଗଣନା କାର୍ଯ୍ୟରେ ସାମିଲ ହେବାକୁ ଥିବା ପାଖାପାଖି ୩୦ ଲକ୍ଷ ଲୋକଙ୍କୁ ତାଲିମ ପ୍ରଦାନ। ଏଥିପାଇଁ ସମୟ ଆବଶ୍ୟକ ହୋଇଥାଏ। ରାଜ୍ୟ ସରକାରମାନେ ଜନଗଣନା କାର୍ଯ୍ୟ କରିଥାନ୍ତି। କେନ୍ଦ୍ର ସରକାର କେବଳ ଜାତୀୟ ସ୍ତରର ଟ୍ରେନର (ପାଖାପାଖି ୧୦୦) ଯୋଗାଇ ଦେଇଥାନ୍ତି। ଜନଗଣନା କାର୍ଯ୍ୟକୁ ସୂଚାରୁ ରୂପେ ସଂପାଦନ କରିବା ପାଇଁ ପାଇଲଟ କାର୍ଯ୍ୟ ହୋଇଥାଏ। ଗତବର୍ଷ ଡିସେମ୍ବରରେ ପାଇଲଟ କାର୍ଯ୍ୟ ହୋଇଥିଲା। କିନ୍ତୁ ଏହି ସମୟ ମଧ୍ୟରେ ପ୍ରଯୁକ୍ତିରେ ଅନେକ ପରିବର୍ତ୍ତନ ଅଣାଯାଇଛି। ତେଣୁ ଆଉ ଥରେ ପରୀକ୍ଷଣ କରିବାକୁ ପଡ଼ିବ। ଜନଗଣନା ଠିକ ସମୟରେ କରାନଗଲେ ଅନ୍ୟାନ୍ୟ କେତେକ ସମସ୍ୟା ମଧ୍ୟ ଉପୁଜିବ।