ନୂଆଦିଲ୍ଲୀ: ଭାରତୀୟ କ୍ରୀଡ଼ା ଜଗତକୁ ଲାଗିଛି ବହୁତ ବଡ଼ ଝଟ୍କା। ପ୍ୟାରିସ୍ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେବା ପରେ ଯୁଗ୍ମ ରୌପ୍ୟ ପଦକ ଦାବି କରି ଭାରତୀୟ କୁସ୍ତି ତାରକା ଭିନେଶ ଫୋଗଟ ସ୍ବିଜରଲାଣ୍ଡର ଲୁସାନେସ୍ଥିତ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ (କାସ୍)ରେ କରିଥିବା ଅପିଲ ଖାରଜ ହୋଇଯାଇଛି। ମାମଲାର ଶୁଣାଣି କରୁଥିବା ‘କାସ୍’ର ଜଣିକିଆ ଅସ୍ଥାୟୀ ଖଣ୍ଡପୀଠ ବୁଧବାର ରାତିରେ ଧାଡ଼ିକିଆ ବିଜ୍ଞପ୍ତି ଜାରି କରି ଭିନେଶ ଫୋଗଟ ଅଗଷ୍ଟ ୭, ୨୦୨୪ରେ ଦାଖଲ କରିଥିବା ଆବଦନ ଖାରଜ କରାଗଲା ବୋଲି କହିଛନ୍ତି। ଯାହାଫଳରେ ଭିନେଶଙ୍କ ସହ କୋଟି କୋଟି ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ହୃଦୟ ଭାଙ୍ଗି ଚୂର୍ମାର୍ ହୋଇଯାଇଛି। ଭିନେଶ ପ୍ୟାରିସ୍ ଅଲିମ୍ପିକ୍ସରୁ ରୌପ୍ୟ ପଦକ ନେଇ ଫେରିବେ ବୋଲି ସେମାନେ ଯେଉଁ ଆଶା ରଖିଥିଲେ, ତାହା ମଧ୍ୟ ମଉଳି ଯାଇଛି।
ଖବର ପ୍ରକାଶ ପାଇବା ପରେ ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ସଭାପତି ତଥା ଦୌଡ଼ରାଣୀ ପିଟି ଉଷା ଆଶ୍ଚର୍ଯ୍ୟପ୍ରକଟ କରିବା ସହ ହତାଶାବୋଧ ଜାହିର କରିଛନ୍ତି। ଭିନେଶଙ୍କ ସହ ଆଇଓଏ ଅଛି। ଆଗାମୀ ସମୟରେ ଅଧିକ ଆଇନଗତ ବିକଳ୍ପ ପାଇଁ ବିଚାର କରାଯିବ। ଏହି ରାୟ ଭିନେଶଙ୍କ ସହ ସଂପୂର୍ଣ୍ଣ କ୍ରୀଡ଼ା ଜଗତ ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ। ଏହି ରାୟ ଅଲିମ୍ପିକ୍ସର ଦ୍ବନ୍ଦ୍ବାତ୍ମକ ନିୟମ ଓ ଏହାର ବ୍ୟାଖ୍ୟା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ ଏହି ମାମଲାର ଶୁଣାଣି ସରିବା ପରେ କାସ୍ ରାୟ ଶୁଣାଇବାରେ ଟାଳଟୁଳ ନୀତି ଅବଲମ୍ବନ କରି ଆସୁଥିଲା। ଏପରିକି ତିନି ଥର ରାୟ ଶୁଣାଣିର ତାରିଖ ଧାର୍ଯ୍ୟ କରି ଏହାକୁ ଘୁଞ୍ଚାଇ ଦେଇଥିଲା। ଚୂଡ଼ାନ୍ତ ରାୟ ୧୬ ତାରିଖରେ ପ୍ରକାଶ କରିବ ବୋଲି ଶେଷରେ କହିଥିଲା। ହେଲେ ଏହାର ଦୁଇ ଦିନ ପୂର୍ବରୁ ହଠାତ୍ ରାୟ ପ୍ରକାଶ କରି ଭିନେଶଙ୍କ ଅପିଲ ଖାରଜ ହୋଇଛି ବୋଲି କହିଛି। ଯାହା ଏହାର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭିନେଶ ସଂପ୍ରତି ପ୍ୟାରିସ୍ରେ ଅଛନ୍ତି। ଆବେଦନ ଖାରଜ ହେବା ପରେ ଭଙ୍ଗା ମନ ଓ ନିରାଶାର ସହ ଆସନ୍ତା ଦିନେ ଦୁଇ ଦିନ ଭିତରେ ସେ ସ୍ବଦେଶ ଫେରିବାର ସମ୍ଭାବନା ରହିଛି।