କାଠମାଣ୍ଡୁ: କେନ୍ଦ୍ରୀୟ ନେପାଳର କାଭେରପାଲାନଚକ୍ ଜିଲ୍ଲାର ମଙ୍ଗଳବାର ସନ୍ଧ୍ୟାରେ ଏକ ଭୟବହ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ (ନଂ. ବିଏ ୩ କେଏଚଏ ୪୩୮୫)ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୭ଜଣଙ୍କ ମୃତ୍ୟୁ ହୋଇଛି। ଜିଲ୍ଲା ଏସପି ଚକ୍ରରାଜ ଯୋଶୀଙ୍କ ସୂତ୍ରରୁ ପ୍ରକାଶ ଯେ, କେତେକ ଯାତ୍ରୀ ନିଜ ଗ୍ରାମକୁ ବ୍ରତବନ୍ଧ ଧାର୍ମିକ କାର୍ଯ୍ୟକ୍ରମରୁ ଉକ୍ତ ବସରେ ଫେରୁଥିଲେ।
ତେବେ ସ୍ଥାନୀୟ ସମୟ ପ୍ରାୟ ସାଢ଼େ ୬ଟାରେ ନେପାଳ ରାଜଧାନୀ କାଠମାଣ୍ଡୁଠାରୁ ୯୦ କିମି ଦୂର କାଭେରପାଲାନଚକ ଜିଲ୍ଲାର ବେଥାନ ଚୌକ ଗ୍ରାମ କାଉନସିଲ -୪ର ଜଲାଲ ଗଣେଶସ୍ଥାନ ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇ ଥିଲା। ଫଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ଖବରପାଇ ନେପାଲ ଆର୍ମି ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ତେବେ ଗୁରୁତରମାନଙ୍କୁ ହସ୍ପିଟାଲ ନେଉଥିବାବେଳେ ବାଟରେ ଆଉ ୧୪ଜଣଙ୍କ ମୃତ୍ୟୁ ହୋଇଥିଲା। ବହୁ ଲୋକ ଆହତ ହୋଇଥିଲେ। ଗୁରୁତରମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗୁରୁତରମାନଙ୍କୁ ଶ୍ରୀ ମେମୋରିଆଲ ହସ୍ପିଟାଲ ଏବଂ ଧୂଳିଖେଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ବସଟି ଓଲଟି ପଡ଼ିଲା ତାହାର କୌଣସି ତଥ୍ୟ ମିଳିନାହିଁ।