ତେ‌ହରାନ: ଆମେରିକା ସହ ପରମାଣୁ ଚୁକ୍ତି ନେଇ ଆଲୋଚନା ଚାଲିଥିବା ବେଳେ  ଆଜି ଇରାନର ସାହିଦ ରାଜାଇ ବନ୍ଦରରେ ଭୟାବହ ବିସ୍ଫୋରଣ ଘଟିଛି। ଏଥିରେ ୫୬୧ ଜଣ ଆହତ ହୋଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ମୃତ୍ୟୁସଂଖ୍ୟା ୪ରେ ପହଞ୍ଚିଛି। ଇରାନର  ଅବ୍ବାସ ସ୍ଥିତ ସାହିଦ୍ ରାଜାଇ ବନ୍ଦର ଆଜି ଅପରାହ୍ନରେ  ପ୍ରଚଣ୍ଡ ବିସ୍ଫୋରଣରେ ଥରି ଉଠିଥିଲା ଏବଂ ସମଗ୍ର ଅଂଚଳ ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ନିଆଁ ଲିଭାଇବା ପାଇଁ ବନ୍ଦର କାର୍ଯ୍ୟକୁ ତୁରନ୍ତ ବନ୍ଦ କରି ଦିଆଯାଇଛି। ବିସ୍ଫୋରଣ ସମୟରେ ବନ୍ଦରରେ  ୨ ହଜାରୁ ଅଧିକ ଲୋକ ଉପସ୍ଥିତ ଥିଲେ ବୋଲି ଇରାନର ତସନିମ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି। ବନ୍ଦର ନିକଟରେ ସମୁଦ୍ର କୂଳରେ ରଖାଯାଇଥିବା ଏକ କଣ୍ଟେନରରେ ପ୍ରଥମେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା ଏବଂ ଏହାପରେ ଅନ୍ୟ କେତେକ କଣ୍ଟେନରରେ ମଧ୍ୟ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି।   ସୂଚନା ଅନୁଯାୟୀ, ବିସ୍ଫୋରଣର ପ୍ରଭାବ ଏତେ ଅଧିକ ଥିଲା ଯେ ଘଟଣା ସ୍ଥଳଠାରୁ  ପ୍ରାୟ ୩ କିମି ଦୂରରେ ଥିବା ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

Advertisment

ସୂଚନାଯୋଗ୍ୟ, ଆମେରିକା ଓ ଇରାନ ମଧ୍ୟରେ ଏବେ ପରମାଣୁ ଚୁକ୍ତି ନେଇ ଆଲୋଚନା ଚାଲିଛି। ଓମାନରେ ଏ ବାବଦ ଆଲୋଚନା ଚାଲିଥିବା ସମୟରେ ଏଭଳି ବିସ୍ପୋରଣ ମଧ୍ୟପ୍ରାଚ୍ୟର ଶାନ୍ତି ପ୍ରକ୍ରିୟା ପାଇଁ ଏକ ବଡ଼ ଝଟ୍‌କା ହେବ ବୋଲି କୁହାଯାଉଛି । ଆମେରିକାର ସ୍ବତନ୍ତ୍ର ଦୂତ ଷ୍ଟିଭ୍ ହ୍ୱିଟ୍‌କଫ୍‌ ଏବଂ ଇରାନ୍ ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚିଙ୍କ ନେତୃତ୍ବରେ  ପରମାଣୁ ଚୁକ୍ତି ସଂକ୍ରାନ୍ତ ଆଲୋଚନା ହୋଇଛି। ଏଥିସହ ଉଭୟ ପକ୍ଷର ବିଶେଷଜ୍ଞଙ୍କ ମଧ୍ୟରେ ବୈଷୟିକସ୍ତରୀୟ ବୈଠକ ମଧ୍ୟ କରାଯାଉଛି। ଅଧିକାରୀଙ୍କ କହିବାନୁସାରେ, ଇରାନକୁ ପରମାଣୁ ଅସ୍ତ୍ର ବିକଶିତ କରିବାରୁ ରୋକିବା ଉଦ୍ଦେଶ୍ୟରେ ଏକ ନୂତନ ପରମାଣୁ ଚୁକ୍ତି ପାଇଁ ଆମେରିକା ବାଧ୍ୟ କରୁଛି।  ଏହା ବଦଳରେ ଆମେରିକା ଇରାନ ଉପରେ ଲାଗିଥିବା କଠୋର କଟକଣା ଉଠାଇବ ବୋଲି ପ୍ରତିଶ୍ରୁତି ଦେଇଛି । ତେବେ ଇରାନ ଏ ପର୍ଯ୍ୟନ୍ତ ଆମେରିକାର କୌଣସି ପ୍ରସ୍ତାବକୁ ଗ୍ରହଣ କରିନାହିଁ।

ଏହି ପ୍ରସଙ୍ଗରେ ଇରାନର ବୈଦେଶିକ ମନ୍ତ୍ରୀ ଅରାଘଚି ଚଳିତ  କହିଛନ୍ତି ଯେ  ଏବେ ଆମେରିକାର ଏକସୂତ୍ରୀ ଲକ୍ଷ୍ୟ ଇରାନକୁ ପରମାଣୁ ଅସ୍ତ୍ରରୁ ବଞ୍ଚିତ ରଖିବା । ଏଭଳି ସ୍ଥିତିରେ ଆମେରିକା ଏହାର ଅନେକ ସର୍ତ୍ତରୁ ଓହରିଯିବା ଆବଶ୍ୟକ।  ଆମେରିକା ଅଯଥା  ଅଯୌକ୍ତିକ ଦାବି କଲେ ଇରାନ ପରମାଣୁ ଚୁକ୍ତି ସଂକ୍ରାନ୍ତ କୌଣସି ପ୍ରସ୍ତାବକୁ  ଗ୍ରହଣ କରିବ ନାହିଁ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରଥମ କାର୍ଯ୍ୟକାଳରେ ଦୁଇ ଦେଶ ମଧ୍ୟରେ ହୋଇଥିବା ବହୁପକ୍ଷୀୟ ପରମାଣୁ ଚୁକ୍ତିକୁ ରଦ୍ଦ କରିଥିଲେ।