ସିଓଲ: ଦକ୍ଷିଣ କୋରିଆର ମୁଆନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଏକ ଭୟାବହ ବିମାନ ଦୁର୍ଘଟଣାରେ ୧୭୯ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ପରିଚାଳକ ଦଳ ସମେତ ୧୮୧ ଜଣଙ୍କୁ ନେଇ ଯାଉଥିବା ଜେଜୁ ଏୟାରର ଏହି ବିମାନର କିଛି ଅଂଶରେ ଅବତରଣ ପୂର୍ବରୁ ନିଆଁ ଲାଗିଯାଇଥିଲା ଏବଂ ଏହା ନିୟନ୍ତ୍ରଣ ହରାଇ ରନ୍ୱେ କାନ୍ଥରେ ପିଟି ହୋଇ ଜଳିଯାଇଥିଲା। ୧୭୫ ଯାତ୍ରୀ ଓ ୪ ଜଣ ପରିଚାଳକ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଥିବା ବେଳେ ଆଉ ଦୁଇ ଜଣ ଜୀବିତ ଉଦ୍ଧାର ହୋଇଛନ୍ତି। ଦକ୍ଷିଣ କୋରିଆ ଇତିହାସରେ ଏହା ସବୁଠାରୁ ଭୟଙ୍କର ବିମାନ ଚଳାଚଳ ବିପର୍ଯ୍ୟୟ ବୋଲି କୁହାଯାଇଛି। ଥାଇଲାଣ୍ଡର ବ୍ୟାଙ୍କକ୍ରୁ ବାହାରିଥିବା ଏହି ୧୫ ବର୍ଷ ପୁରୁଣା ବୋଇଂ ୭୩୭-୮୦୦ ବିମାନ ଦକ୍ଷିଣ କୋରିଆର ଦକ୍ଷିଣ-ପଶ୍ଚିମ ଉପକୂଳ ବିମାନବନ୍ଦରରେ ସ୍ଥାନୀୟ ସମୟ ସକାଳ ୯ଟା ୭ ମିନିଟ୍ ରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଲ୍ୟାଣ୍ଡିଂ ଗିୟର କାମ କରୁନଥିବାରୁ ରନୱେରୁ ଖସି ଏକ କାନ୍ଥରେ ପ୍ରଚଣ୍ଡ ଧକ୍କା ହୋଇଥିଲା। ପକ୍ଷୀ ଆକ୍ରମଣ ଯୋଗୁଁ ଲ୍ୟାଣ୍ଡିଂ ଗିଅର ଫେଲ୍ ହୋଇଯିବାରୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି କର୍ତ୍ତୃପକ୍ଷ ସନ୍ଦେହ କରୁଛନ୍ତି। ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଏଥିରେ ବରିଷ୍ଠ ବିଶେଷଜ୍ଞମାନଙ୍କୁ ସାମିଲ କରାଯାଇଛି।
ଅବତରଣ ପୂର୍ବରୁ ନିଆଁ, ଲ୍ୟାଣ୍ଡିଂ ଗିୟର୍ ଅଚଳ
ରନ୍ୱେ କାନ୍ଥରେ ପିଟିହେବା ପରେ ଜଳିଗଲା
ଅବତରଣ ସମୟରେ ବିମାନରୁ ପ୍ରବଳ ଧୂଆ ଉଠିବା ସହ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ସ୍ଥାନୀୟ ଅଗ୍ନିଶମ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏକ କାନ୍ଥ ସହ ଧକ୍କା ହେବା ପରେ ବିମାନଟି ଚୁରମାର୍ ହୋଇଯାଇଥିଲା ଏବଂ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା। ଚେତାଶୂନ୍ୟ ଅବସ୍ଥାରେ ଥିବା ଦୁଇ ଜଣଙ୍କୁ ଜରୁରୀକାଳୀନ କର୍ମଚାରୀମାନେ ଉଦ୍ଧାର କରିଥିଲେ। ୟୋନହାପ୍ ରିପୋର୍ଟ ଅନୁଯାୟୀ, ବିମାନରେ ୧୭୫ ଜଣ ଯାତ୍ରୀ ଏବଂ ୬ ଜଣ ପରିଚାଳକ ସଦସ୍ୟ ଥିଲେ । ମୃତକଙ୍କ ମଧ୍ୟରୁ ୧୭୩ ଜଣ ଯାତ୍ରୀ ଦକ୍ଷିଣ କୋରିଆର ଏବଂ ଅନ୍ୟମାନେ ଥାଇଲାଣ୍ଡ୍ ନାଗରିକ ଥିଲେ।
ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପେଟୋଙ୍ଗଟାର୍ଣ୍ଣ ସିନାୱାତ୍ରା ‘ଏକ୍ସ’ରେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ତୁରନ୍ତ ସହାୟତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜେଜୁ ଏୟାର ଏକ ବିବୃତି ଜାରି କରି ଏହି ଦୁଃଖଦ ଘଟଣା ପାଇଁ ଗଭୀର କ୍ଷମା ପ୍ରାର୍ଥନା କରିବା ସହ ଦୁର୍ଘଟଣା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ପାଇଁ ଯଥାସମ୍ଭବ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛି। ଦକ୍ଷିଣ କୋରିଆରେ ବ୍ୟାପକ ରାଜନୈତିକ ଉତ୍ତେଜନା ମଧ୍ୟରେ ଶୁକ୍ରବାର ନେତୃତ୍ୱ ଗ୍ରହଣ କରିଥିବା କାର୍ଯ୍ୟକାରୀ ରାଷ୍ଟ୍ରପତି ଚୋଇ ସୁଙ୍ଗ-ମୋକ୍ ଉଦ୍ଧାର କାର୍ଯ୍ୟକୁ ପ୍ରାଥମିକତା ଦେବାକୁ ସରକାରୀ ଏଜେନ୍ସିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବିମାନ ଦୁର୍ଘଟଣା ପାଇଁ ଦେଶ ଏକ ସପ୍ତାହ ବ୍ୟାପୀ ଶୋକ ପାଳନ କରିବ ବୋଲି ଘୋଷଣା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/30/dQuIvF7mRXsYo1kiIxGx.jpg)