ଅହମଦାବାଦ: ଅହମଦାବାଦରେ ଆଜି ଏକ ଭୟାବହ ବିମାନ ଦୁର୍ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଅହମଦାବାଦ ବିମାନ ବନ୍ଦରରୁ ଗୁରୁବାର ଅପରାହ୍ନରେ ଏୟାର ଇଣ୍ଡିଆର ବିମାନ (ବୋଇଂ ୭୮୭-୮) ଉଡ଼ାଣ ଭରିବାର ମାତ୍ର ୫ ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ‘ଡ୍ରିମ୍‌ଲାଇନର୍‌’ ନାମକ ଏହି ବିମାନରେ ୨୩୦ ଜଣ ଯାତ୍ରୀ ଓ ୧୨ ଜଣ କ୍ୟାବିନ୍ କ୍ରୁ ମେମ୍ବରଙ୍କୁ ମିଶାଇ ମୋଟ ୨୪୨ ଜଣ ଥିଲେ। ଜନବସତିପୂର୍ଣ୍ଣ ମେଘାନୀ ଅଞ୍ଚଳରେ ଥିବା ଏକ ମେଡିକାଲ‌୍ କଲେଜ ହଷ୍ଟେଲ ଓ ଏହା ସଂଲଗ୍ନ ପରିସରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଲଣ୍ଡନର ଗାଟୱିକ୍ ବିମାନବନ୍ଦର ଅଭିମୁଖେ ଏହି ବିମାନ ଅପରାହ୍ନ ୧ଟା ୩୮ମିନିଟ୍‌ରେ ଉଡ଼ାଣ ଭରିଥିଲା ଏବଂ ଏହାର ୫ ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନ‌ଟି ଖଣ୍ଡ ଖଣ୍ଡ ହୋଇ ଜଳିଯାଇଥିବା ବେଳେ କେବଳ ଜଣକୁ ବାଦ୍‌ ଦେଲେ ଅନ୍ୟ କୌଣସି ଯାତ୍ରୀ ବଞ୍ଚିଥିବା ସମ୍ଭାବନା ନାହିଁ ବୋଲି ଅହମଦାବାଦ ପୁଲିସ କମିସନର ଜିଏସ୍‌ ମଲିକ କହିଛନ୍ତି। ଏ ପର୍ଯ୍ୟନ୍ତ ୨୦୪ ଜଣଙ୍କର ଶବ ଉଦ୍ଧାର ହୋଇଛି। ଅନ୍ୟପକ୍ଷରେ ବିମାନର ଏକ ବଡ଼ ଅଂଶ ମେଡିକାଲ କଲେଜ ଛାତ୍ରାବାସରେ ଖସିଥିବାରୁ ୫ ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି ଏବଂ ୪୧ ଜଣ ଆହତ ହୋଇଛନ୍ତି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଦୁର୍ଘଟଣାସ୍ଥଳ ପରିଦର୍ଶନ ପାଇଁ ଅହମଦାବାଦ ଆସୁଥିବା ଜଣାପଡ଼ିଛି। ଦୁର୍ଘଟଣାସ୍ଥଳରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପହଞ୍ଚି ସ୍ଥିତି ତଦାରଖ କରୁଛନ୍ତି।

Advertisment

ଜନବସତି ଅଞ୍ଚଳରେ ଜଳିଗଲା ଏୟାର ଇଣ୍ଡିଆ ବିମାନ
ବିମାନରେ ଥିଲେ ୨୩୦ ଯାତ୍ରୀ, ୧୨ କ୍ୟାବିନ୍‌ କ୍ରୁ
ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିଲା ବୋଇଂ ୭୮୭-୮
ବ୍ରିଟେନ୍‌ର ୫୩, ପର୍ତ୍ତୁଗାଲର ୭ ଓ କାନାଡ଼ାର ଜଣେ ନାଗରିକ ଥିଲେ
ମେଡିକାଲ କଲେଜ ହଷ୍ଟେଲ୍‌ ଧ୍ବସ୍ତ, ୫ ଡାକ୍ତରୀ ଛାତ୍ର ମୃତ, ୪୧ ଆହତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ଅତ୍ୟନ୍ତ ହୃଦୟ ବିଦାରକ ଓ ଅବର୍ଣ୍ଣନୀୟ ବୋଲି କହିବା ସହ ଏହି ଦୁଃଖଦ ଘଟଣା ଆମ ସମସ୍ତଙ୍କୁ ସ୍ତବ୍ଧ ଏବଂ ଗଭୀର ଭାବେ ଦୁଃଖିତ କରିଛି ବୋଲି କହିଛନ୍ତି। ବିମାନ ଦୁର୍ଘଟଣାରେ ସମସ୍ତ ପ୍ରଭାବିତଙ୍କ ସହିତ ମୋର ସମବେଦନା ରହିଛି। ସହାୟତା ପାଇଁ କାର୍ଯ୍ୟ କରୁଥିବା ମନ୍ତ୍ରୀ ଓ କର୍ତ୍ତୃପକ୍ଷଙ୍କ ସହ ଲଗାତାର ଯୋଗାଯୋଗରେ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।    ଦୁର୍ଘଟଣା ପରେ ୭ଟି ଦମକଳ ଗାଡ଼ି ସମେତ ଜରୁରୀକାଳୀନ ସେବା ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ଦୁର୍ଘଟଣା ଅତ୍ୟନ୍ତ ଭୟାବହ ଥିଲା ଏବଂ ବିମାନଟି ତଳେ ପଡ଼ିବା ପୂର୍ବରୁ ଏକ ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇଥିଲା। ବିମାନର ସମ୍ମୁଖ ଅଂଶ ଏକ ମେଡିକାଲ କଲେଜ ହଷ୍ଟେଲ ଛାତ ଉପରେ ପଡ଼ି ଭିତରକୁ ପଶି ଯାଇଥିବା ବେଳେ ଆଖପାଖରେ ବିମାନର ଧ୍ବଂସାବଶେଷ ଦେଖିବାକୁ ମିଳିଥିଲା।
ଅହମଦାବାଦରୁ ଲଣ୍ଡନର ଗାଟୱିକ୍ ବିମାନବନ୍ଦର ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିବା ଏଆଇ-୧୭୧ ବିମାନ ଅହମଦାବାଦର ଆବାସିକ ଅଞ୍ଚଳ (ମେଘାନୀ ନଗର)ରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସମଗ୍ର ଅଞ୍ଚଳକୁ ଏବେ କର୍ଡନ କରି ପୁଲିସ, ଅଗ୍ନିଶମ ବାହିନୀ, ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଦୁର୍ଘଟଣାସ୍ଥଳରେ ୬ଟି ଏନ୍‌ଡିଆର୍‌ଏଫ୍‌ ଟିମ୍ ମୁତୟନ କରାଯାଇଛି। ଏଭିଏସନ୍ ଟ୍ରାକର ଫ୍ଲାଇଟ୍‌ ରାଡାର ୨୪ ଅନୁଯାୟୀ ବୋଇଂ ୭୮୭-୮ ଯାତ୍ରୀବାହୀ ବିମାନ ଅହମଦାବାଦରୁ ଉଡ଼ାଣ ଭରିବା ପୂର୍ବରୁ ଦିଲ୍ଲୀରୁ ଉଡ଼ାଣ ଭରିଥିଲା ଏବଂ ଯାଞ୍ଚରେ ସବୁକିଛି ଠିକ୍‌ଠାକ୍‌ ଥିଲା। ଯାତ୍ରୀ ତାଲିକା ଅନୁଯାୟୀ ଏହି ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସମେତ ୧୬୯ ଜଣ ଭାରତୀୟ ଥିଲେ। ଯାତ୍ରୀ ତାଲିକାରେ ୫୩ ଜଣ ବ୍ରିଟେନର ନାଗରିକ ରହିଥିବା ବେଳେ ୭ ଜଣ ପର୍ତ୍ତୁଗୀଜ ଏବଂ କାନାଡ଼ାର ଜଣେ ନାଗରିକ ଅଛନ୍ତି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ମଧ୍ୟ ଏହି ଭୟଙ୍କର ଦୁର୍ଘଟଣା ନେଇ ଏକ ବିବୃତି ଜାରି କରିଛି।  

ଏହି ବିମାନରେ ୨ ଜଣ ପାଇଲଟ ଓ ୧୦ ଜଣ କ୍ୟାବିନ୍ କ୍ରୁଙ୍କୁ ମିଶାଇ ମୋଟ ୨୪୨ ଜଣ ଯାତ୍ରୀ ଥିବା ଡିଜିସିଏ ସ୍ପଷ୍ଟ କରିଛି। ବିମାନଟି କ୍ୟାପଟେନ୍ ସୁମିତ ସବରୱାଲଙ୍କ ନିୟନ୍ତ୍ରଣରେ ଥିଲା ଏବଂ କ୍ଲାଇଭ୍ କୁନ୍ଦର ଥିଲେ ଫାଷ୍ଟ ଅଫିସର।   କ୍ୟାପଟେନ୍‌ ସୁମିତ ସବରୱାଲଙ୍କର ୮୨୦୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ରହିଥିବା ବେଳେ ସହ ପାଇଲଟଙ୍କର ୧୧୦୦ ଘଣ୍ଟା ଉଡ଼ାଣ ଅଭିଜ୍ଞତା ଥିଲା। ବିମାନଟି ଅହମଦାବାଦରୁ ୨୩ ନମ୍ବର ରନ୍‌ୱେରୁ ଉଡ଼ାଣ ଭରିବାର କିଛି ସମୟ ପରେ ସମ୍ଭବତଃ ପାଇଲଟ୍‌ ନିୟନ୍ତ୍ରଣ ହରାଇ (ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ)କୁ ବିପଦସୂଚକ ‘ମେ ଡେ’ କଲ୍ କରିଥିଲେ। କିନ୍ତୁ ଏହା ପରେ ଏଟିସି ଦ୍ୱାରା କରାଯାଇଥିବା କଲ୍ ଉପରେ ପାଇଲଟ୍‌ଙ୍କଠାରୁ ଆଉ କୌଣସି ପ୍ରତିକ୍ରିୟା ଆସିନଥିଲା। ରନୱେ ୨୩ରୁ ଉଡ଼ାଣ ଭରିବା ପରେ ବିମାନଟି ବିମାନବନ୍ଦର ପରିସର ବାହାରେ ମେଘାନୀ ଅଞ୍ଚଳରେ ଖସି ପଡ଼ିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିବା ସହ ତୁରନ୍ତ ଅହମଦାବାଦ ଯାଇ ପ୍ରଭାବିତ ଲୋକଙ୍କୁ ସମସ୍ତ ସହାୟତା ଯୋଗାଇ ଦେବାକୁ କହିଥିଲେ। ଦୁର୍ଘଟଣା ପରେ ସମସ୍ତ ଏଜେନ୍ସି ହାଇ ଆଲର୍ଟରେ ଅଛନ୍ତି ଏବଂ ସମନ୍ୱିତ ପ୍ରୟାସ ଜାରି ରହିଛି ।

ଚମତ୍କାର! ବଞ୍ଚିଗଲେ ବିହାରର ବିଶ୍ବାସ କୁମାର ରମେଶ

fssxcxc

ନୂଆଦିଲ୍ଲୀ: ଏହାକୁ ଭଗବାନଙ୍କ ଆଶୀର୍ବାଦ ବା କୌଣସି ଚମତ୍କାର ବୋଲି କୁହାଯାଇପାରେ। ଯିଏ ଶୁଣୁଛି ସିଏ ବି ଚକିତ ହୋଇଯାଉଛି। ଅହମଦାବାଦରେ ଆଜି ଘଟିଥିବା ଲୋମଟାଙ୍କୁରା ବିମାନ ଦୁର୍ଘଟଣାରୁ ଜଣେ ଯାତ୍ରୀ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚି ଯାଇଛନ୍ତି। ଉକ୍ତ ଯାତ୍ରୀଙ୍କ ନାଁ ବିଶ୍ବାସ କୁମାର ର‌ମେଶ ଏବଂ ତାଙ୍କ ବୟସ ୪୦। ବିଶ୍ବାସ ବିମାନର ୧୧ଏ ସିଟ୍‌ରେ ବସିଥିଲେ। ତାଙ୍କୁ ତାଙ୍କ ସିଟ୍‌ରୁ ଉଦ୍ଧାର କରାଯାଇଛି। ବିଶ୍ବାସ ନିଜ ପରିବାର ସଦସ୍ୟଙ୍କୁ ଭେଟିବା ପାଇଁ ନିକଟରେ ଭାରତ ଆସିଥିଲେ। ଭାଇ ଅଜୟ କୁମାର ରମେଶ (୪୫)ଙ୍କ ସହ ସେ ଆଜି ବ୍ରିଟେନ୍‌ ଫେରୁଥିଲେ। ଏକପ୍ରକାର ପୁନର୍ଜୀବନ ପାଇଥିବା ବିଶ୍ବାସ ଏହି ଭୟଙ୍କର ଦୁର୍ଘଟଣାର ଏକମାତ୍ର ଜୀବିତ ପ୍ରତ୍ୟକ୍ଷଦର୍ଶୀ। ସେ କହିଛନ୍ତି, ବିମାନ ଉଡ଼ାଣ ଭରିବାର କିଛି ମିନିଟ୍‌ ମଧ୍ୟରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା ଏବଂ ଏହା ହୁତୁହୁତୁ ହୋଇ ଜଳିଥିଲା। ମୁଁ ଚେତା ଫେରିପାଇବା ପରେ ଚାରିଆଡ଼େ ଖାଲି ଦଗ୍ଧ ମରଶରୀର ଦେଖିଥିଲି। ମୁଁ ଅତିମାତ୍ରାରେ ଭୟଭୀତ ହୋଇଥିଲି ଏବଂ କିଛି ବୁଝିପାରୁ ନଥିଲି। ମୋ ଚାରିପାଖରେ ବିମାନର ବିଭିନ୍ନ ଭଗ୍ନାବଶେଷ ପଡ଼ିଥିଲା। ଏହି ସମୟରେ ମତେ କେହି ଜଣେ ଧରି ଆମ୍ବୁଲାନ୍ସରେ ହସ୍ପିଟାଲ୍‌ ଆଣିଥିଲେ। ବିଶ୍ବାସ ଗତ ୨୦ ବର୍ଷ ଧରି ଲଣ୍ଡନରେ ରହୁଛନ୍ତି। ତାଙ୍କ ପତ୍ନୀ ଏବଂ ପିଲା ମଧ୍ୟ ଲଣ୍ଡନରେ ରହନ୍ତି। ତାଙ୍କ ଭାଇ ବିଜୟ ବିମାନର ଅନ୍ୟ ଏକ ସିଟ୍‌ରେ ବସିଥିଲେ। ଏଯାଏଁ ତାଙ୍କୁ ଠାବ କରାଯାଇପାରିନାହିଁ।