ନୂଆଦିଲ୍ଲୀ: ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୮ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି। ସମସ୍ତ ମୃତକ ଜୟପୁରରୁ ପ୍ରୟାଗରାଜର ମହାକୁମ୍ଭକୁ ସ୍ନାନ କରିବାକୁ ଯାଉଥିଲେ। 

Advertisment

ସୂଚନାଯୋଗ୍ୟ, ଜୟପୁରରୁ ପ୍ରୟାଗରାଜର ମହାକୁମ୍ଭକୁ ଯାଉଥିବା ଏକ କାର ସହିତ ରୋଡୱେଜ ବସର ମୁହାଁମୁହିଁ ଧକ୍କା ହୋଇଥିଲା।

ସ୍ଥାନୀୟଲୋକଙ୍କ କହିବାନୁସାରେ ମହାକୁମ୍ଭ ଅଭିମୁଖେ ଯାତ୍ରା କରୁଥିବା କାରର ହଠାତ ଚକା ଫାଟି ଯାଇଥିଲା। ଫଳରେ କାରଟି ରାସ୍ତାରେ ଅନିୟନ୍ତ୍ରିତ ହୋଇ ଡିଭାଇଡର ଡେଇଁ ଅପରପାର୍ଶ୍ବକୁ ଚାଲି ଯାଇଥିଲା। 

ଉକ୍ତ ରାସ୍ତା ଦେଇ ଆସୁଥିବା ଏକ ରୋଡୱେଜ ବସ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଭୟାବହ ସଡ଼କ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେ‌ତେଜଣ ଆହତ ହୋଇଥିବା ସୂଚନା ରହିଛି।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସ ମୃତକଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରୁଛି। ଯେଉଁ ମୃତକମାନଙ୍କ ପରିଚୟ ପାଇଛି ସେମାନଙ୍କ ସମ୍ପର୍କୀୟମାନଙ୍କୁ ଏହି ଦୁଃଖଦ ଘଟଣା ବିଷୟରେ ପୁଲିସ ଖବର ଦେଇଛି। ଏହି ଦୁର୍ଘଟଣା ହେତୁ ରାସ୍ତାରେ ଅନେକ ଯାନବାହନ ଅଟକି ରହିଛି। ଯେଉଁ କାରଣରୁ ପ୍ରବଳ ଜାମ ଲାଗିରହିଛି।