ଚକଲେଟ ଖାଇ ଚାରିଜଣ ଶିଶୁଙ୍କ ମୃତ୍ୟୁ, ଛୁଆଙ୍କୁ ହରାଇ ଅଚେତ ହୋଇପଡ଼ୁଛନ୍ତି ମା’-ବାପା

ଲକ୍ଷ୍ମୌ: ଉତ୍ତରପ୍ରଦେଶର କୁସିନଗରରେ ‌ଚକଲେଟ ଖାଇ ଚାରିଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକାସାଙ୍ଗରେ ୪ଜଣ ଶିଶୁଙ୍କ ମୃତ୍ୟୁ ଖବର ମିଳିବା ପରେ ସମଗ୍ର ଅଞ୍ଚଳରେ ଶୋକରଛାୟ ଖେଳି ଯାଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ ପୁଅ ଏବଂ ଦୁଇଜଣ ଝିଅ ସାମିଲ ଅଛନ୍ତି। ସମସ୍ତଙ୍କର ବୟସ ୨ରୁ ୬ ବର୍ଷ ମଧ୍ୟରେ ରହିଛି। ଏହି ଦୁଃଖଦ ଘଟଣା କସୟା ପୁଲିସ ଷ୍ଟେସନର କୁଡୱା ଓରଫ ଦିଲୀପନଗରର ଲଠଉର ଟୋଲେରୁ ସାମ୍ନାକୁ ଆସିଛି।

ମୃତକଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ କେହି ଜଣେ ଦ୍ବାର ପାଖରେ ଏହି ଚକଲେଟଗୁଡ଼ିକୁ ପିଙ୍ଗି ଦେଇ ଚାଲି ଯାଇଥିଲା। ଛୋଟପିଲାମାନେ ଖେଳୁଥିବା ବେଳେ ଏହି ଚୋକୋଲେଟ ଖାଇ ଦେଇଥିଲେ। ଆଉ ତାଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା। ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ମୃତକ ମଧ୍ୟରୁ ତିନିଜଣ ଶିଶୁ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ଶିଶୁଙ୍କୁ ହରାଇ କାନ୍ଦିକାନ୍ଦି ଅଚେତ ହୋଇପଡ଼ୁଛନ୍ତି ମା’-ବାପା।

ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ତୁରନ୍ତ ସହାୟତା କରିବା ସହିତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଉପଜିଲ୍ଲାପାଳ ବରୁଣ କୁମାର ପାଣ୍ଡେ କହିଛନ୍ତି ଯେ କସୟା ପୁଲିସ ଷ୍ଟେସନ ଅଞ୍ଚଳର କୁଡୱା ଓରଫ ଦିଲୀପନଗରର ଲଠଉର ଟୋଲେର ମୁଖିଆ ଦେବୀ ସକାଳେ ଘର ସଫା କରୁଥିଲେ। ଏହି ସମୟ ମଧ୍ୟରେ ସେ ଏକ ପଲିଥିନରେ ପାଞ୍ଚଟି ଚକଲେଟଏବଂ ନଅ ଟଙ୍କା ପାଇଥିଲେ ।

ଏହି ଚକଲେଟକୁ ସେ ତାଙ୍କ ତିନିଜଣ ନାତିନାତୁଣୀ ଏବଂ ପଡ଼ିଶାର ଜଣେ ଶିଶୁକୁ ଖାଇବାକୁ ଦେଇଥିଲେ। ଚାରିଜଣ ଶିଶୁ ଏହାକୁ ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ଡାକ୍ତର ବହୁ ଚେଷ୍ଟା ପ‌‌ରେ ବି ୪ଜଣ ଶିଶୁଙ୍କୁ ବଞ୍ଚାଇ ପାରି ନଥିଲେ।

ସମ୍ବନ୍ଧିତ ଖବର