ଯେଉଁମାନେ ସରକାରୀ ସଂପତ୍ତିରେ ନିଆଁ ଲଗାଉଛନ୍ତି ସେମାନେ ଆତ୍ମନିରୀକ୍ଷଣ କରନ୍ତୁ : ମୋଦୀ

ନୂଆଦିଲ୍ଲୀ : ନାଗରିକତା (ସଂଶୋଧନ) ଆଇନ ବିରୋଧୀ ହିଂସାବେଳେ ବିଭିନ୍ନ ଜାତୀୟ ସଂପତ୍ତିକୁ ନଷ୍ଟ କରିଥିବା ଲୋକମାନଙ୍କୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲକ୍ଷ୍ନୌଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ଅବସରରେ ସେ କହିଛନ୍ତି ଯେଉଁମାନେ ବିଭିନ୍ନ ଜାତୀୟ ସଂପତ୍ତିକୁ ନଷ୍ଟ କରିଛନ୍ତି ସେମାନେ ଆତ୍ମନିରୀକ୍ଷଣ କରିବା ଉଚିତ । ସେମାନେ ମନେରଖିବା ଉଚିତ ଯେ ନାଗରିକର ଅଧିକାର ସହିତ କର୍ତ୍ତବ୍ୟ ମଧ୍ୟ ରହିଛି ।

ସେମାନେ ନିଜେ ନିଜକୁ ପ୍ରଶ୍ନ କରନ୍ତୁ, ତାହା କ’ଣ ଠିକ ଥିଲା ? ଯେଉଁ ସରକାରୀ ସଂପତ୍ତିରେ ନିଆଁ ଲଗାଇଲେ ତାହା କ’ଣ ସେମାନଙ୍କ ପିଲାମାନଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ନଥିଲା ? ପୁଲିସ କର୍ମଚାରୀ ଓ ସାଧାରଣ ଲୋକ ଆହତ ହେଲେ, ତାହା କଣ ଭଲ ହେଲା ? ଭଲ ସଡ଼କ, ପରିବହନ ବ୍ୟବସ୍ଥା, ସ୍ୱେରେଜ ବ୍ୟବସ୍ଥା ପାଇବା ଆମର ଅଧିକାର କିନ୍ତୁ ତାହାର ସୁରକ୍ଷା କରିବା ମଧ୍ୟ ଆମର କର୍ତ୍ତବ୍ୟ ।

ସୂଚନାଯୋଗ୍ୟ ଯେ, ନାଗରିକତା (ସଂଶୋଧନ) ଆଇନ ବିରୋଧୀ ହିଂସାରେ କେବଳ ଉତ୍ତରପ୍ରଦେଶରେ ୧୫ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ଜଣ ୮ ବର୍ଷୀୟ ବାଳକ ଅନ୍ତର୍ଭୁକ୍ତ । ଏହା ସହିତ ପ୍ରାୟ ୨୬୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହି ହିଂସା ବେଳେ ବିଭିନ୍ନ ସରକାରୀ ସଂପତ୍ତିକୁ ନଷ୍ଟ କରିଥିବା ଲୋକମାନଙ୍କୁ ଏବେ ରାଜ୍ୟସରକାର ନୋଟିସ ପଠାଉଛନ୍ତି ।

ସମ୍ବନ୍ଧିତ ଖବର