ସିଙ୍ଗ୍ରୌଲୀ: ମଧ୍ୟପ୍ରଦେଶର ସିଙ୍ଗରୌଲୀ ଜିଲ୍ଳାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ବାପା ତା’ କୁନି ପୁଅର ମୃତ ଶରୀରକୁ ଏକ ବାଇକ୍ ଡିକିରେ ରଖି ନେଉଥିବାର ଦୃଶ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଛି। ହସ୍ପିଟାଲ୍ରୁ ଆମ୍ବୁଲାନ୍ସ ନମିଳିବାରୁ ବ୍ୟକ୍ତି ଜଣକ ନିଜ ପୁଅକୁ ଡିକିରେ ନେଇ କଲେକ୍ଟର ଅଫିସ୍ ପର୍ଯ୍ୟନ୍ତ ଯାଇଥିଲେ ବୋଲି ସୂଚନା ରହିଛି। ତାଙ୍କୁ ଆମ୍ବୁଲାନ୍ସ ନମିଳିବାରୁ ସେ ବାଧ୍ୟ ହୋଇ ଏପରି ଚରମ ନିଷ୍ପତ୍ତି ନେଇଥିବା କହିବା ପରେ ଏ ନେଇ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଲେକ୍ଟର ତାଙ୍କୁ ଆଶ୍ବାସନା ଦେଇଛନ୍ତି।
ସୂଚନାରୁ ଜାଣିବାକୁ ମିଳିଛି ଯେ ଅକ୍ଟୋବର ୧୭ ତାରିଖରେ ଦିନେଶ ଭାରତୀ ତାଙ୍କ ପତ୍ନୀ ମିନା ଭାରତୀଙ୍କର ପ୍ରସବ କରାଇବାକୁ ସିଙ୍ଗରୌଲୀ ଜିଲ୍ଳାର ଏକ ହସ୍ପିଟାଲ୍ରେ ପହଞ୍ଚିଥିଲେ। ହସ୍ପିଟାଲ୍ର ଡାକ୍ତରାଣୀ ସରିତା ଶାହା ସେଠାରେ ପ୍ରସବ କରାଇବା ବଦଳରେ ପ୍ରସୂତୀଙ୍କୁ ନିଜ କ୍ଲିନିକ୍କୁ ପଠାଇ ଦେଲେ। ତାଙ୍କଠାରୁ ୫ ହଜାର ଟଙ୍କା ବି ଡାକ୍ତରାଣୀ ଜଣକ ନେଇଥିବା ଅଭିଯୋଗ ହୋଇଛି।
ମାତ୍ର ଯେତେବେଳେ ତାଙ୍କୁ ଜଣାପଡ଼ିଲା କି ପିଲାଟି ପେଟରେ ହିଁ ମରିଯାଇଛି ତ ସେ ତାଙ୍କୁ ଜିଲ୍ଲା ହସ୍ପିଟାଲ୍କୁ ପଠାଇ ଦେଇଥିଲେ। ସେଠାରେ ତାଙ୍କର ପ୍ରସବ କରାଯିବାରୁ ମୃତ ପିଲା ଜନ୍ମ ନେଇଥିଲା। ପିଲାଟିକୁ ମୃତ ଅବସ୍ଥାରେ ଦେଖି ମାଆର ବି ଅବସ୍ଥା ଖରାପ ହୋଇ ଯାଇଥିଲା। ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏହାପରେ ପରିବାର ଲୋକେ ମୃତପିଲାଟିକୁ ନେବାକୁ ଅମ୍ବୁଲାନ୍ସ ଚାହିଁଥିଲେ। ମାତ୍ର ଆମ୍ବୁଲାନ୍ସ ନମିଳିବାରୁ ମୃତନବଜାତକର ବାପା ତାକୁ ବାଧ୍ୟ ହୋଇ ନିଜ ଗାଡ଼ି ଡିକିରେ ପୂରାଇ ନେଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପରିସରକୁ ଆସିଛି।